ସୁନ୍ଦରଗଡ଼ : 'ମୁଁ ଗୀତା ଛୁଇଁ ଶପଥ କରୁଛି, ଯାହା କହିବି....। ଏହି ଉଚ୍ଚାରଣଟି ଶୁଣିବା ମାତ୍ରେ ଆଖି ଆଗକୁ ଚାଲି ଆସେ ଅଦାଲତ କାଠଗଡ଼ାରେ ସାକ୍ଷ୍ୟ ଦେବାକୁ ଠିଆ ହୋଇଥିବା କେହି ଜଣେ ସାକ୍ଷୀର ଚିତ୍ର। କିନ୍ତୁ ଏ ଶପଥ ଅଦାଲତ ବାହାରେ କୌଣସି ଭିନ୍ନ ମଞ୍ଚରେ ନିଆଯାଉଥିବ ଯଦି, ମନରେ କୌତୁହଳ ଜାତ ହେବ ନିଶ୍ଚୟ। ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ କୁସୁମୁରା ପଞ୍ଚାୟତ ଆଦିବାସୀ ଗାଁ କାଁକେରଯୁରାରେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀମାନଙ୍କୁ ଧର୍ମଗ୍ରନ୍ଥ ଗୀତା ଓ ବାଇବେଲ ଛୁଆଁଇ ଭୋଟରମାନେ ଶପଥ ପାଠ କରାଇଥିଲେ। ଯାହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି।
ପୂର୍ବରୁ ଜିଲ୍ଲାର କୁତ୍ରା ବ୍ଲକ୍ ମାଲୁପଡ଼ା ଓ ହେମଗିର ବ୍ଲକ ମୁଣ୍ଡେରକ୍ଷେତରେ ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା କରାଇବା ସହ ଜନମଞ୍ଚରେ ଠିଆ କରି ପ୍ରଶ୍ନ କରିବା ଘଟଣା ରାଜ୍ୟ ବ୍ୟାପି ଆଲୋଡ଼ନ ସୃଷ୍ଟି କରିଥିଲା। ଆଉ ଆଜି ଧର୍ମଗ୍ରନ୍ଥ ଛୁଆଁଇ ଶପଥ ପାଠ। ଗଣତନ୍ତ୍ରର ଏ ମହାପର୍ବରେ ସହରୀ ସଭ୍ୟତା ଠାରୁ ଦୂର ନିପଟ ଆଦିବାସୀ ଗାଁର ଭୋଟରଙ୍କ ଏ ସଚେତନତାଧର୍ମୀ କାର୍ଯ୍ୟକ୍ରମ କିଛି ଭିନ୍ନ ବାର୍ତ୍ତା ଦେଉଥିଲା। କୁସୁମୁରା ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପଦବି ପାଇଁ ୪ ଜଣ ଲେଖାଏ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଆସନ୍ତା ୨୦ରେ ସେଠାରେ ମତଦାନ ଅନୁଷ୍ଠିତ ହେବ। ଏହାର ଦୁଇ ଦିନ ପୂର୍ବରୁ କାଁକେରଯୁରା ଗାଁର ଭୋଟର୍ ଏପରି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ପୂର୍ବରୁ ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ପାଇବା ପରେ ଗାଁକୁ ଭୁଲି ଲୋକଙ୍କ ସମସ୍ୟାଗୁଡ଼ିକୁ ଅଣଦେଖା କରୁଥିବାରୁ ଏଥର ପ୍ରାର୍ଥୀମାନଙ୍କୁ ଶପଥ କରାଇବାକୁ ନିଷ୍ପତ୍ତି ନେଇଥିଲା ଗାଁ। ମଧୁସୂଦନ ଯୁବକ ସଂଘ ଆନୁକୂଲ୍ୟରେ ଗାଁ କୀର୍ତ୍ତନ ମଣ୍ଡପରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ପଞ୍ଚାୟତର ୪ ସରପଞ୍ଚ ଓ ୪ ସମିତିସଭ୍ୟଙ୍କୁ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କେବଳ ୩ ଜଣ ସରପଞ୍ଚ ପ୍ରାର୍ଥିନୀ ଆସିଥିଲେ। ପ୍ରାର୍ଥିନୀ ସବିତା ଟପ୍ନୋ, କମଳାମୁକ୍ତି ଲାକଡା, ଲିଲି ମଞ୍ଜୁଳା ଡୁଙ୍ଗଡୁଙ୍ଗ। ସବିତା ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କ ପାଇଁ ଭଗବତ ଗୀତା ରଖାଯାଇଥିଲା। କମଳାମୁକ୍ତି ଓ ଲିଲି ମଞ୍ଜୁଳା ଖ୍ରୀଷ୍ଟିଆନ ହୋଇଥିବାରୁ ସେମାନଙ୍କ ପାଇଁ ଥିଲା ବାଇବେଲ୍। ପ୍ରାର୍ଥିନୀମାନେ ଜଣ ଜଣ କରି ଆସି ନିଜ ନିଜ ଧର୍ମଗ୍ରନ୍ଥ ଛୁଇଁ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ କାମ କରିବାକୁ ଶପଥ କରିଥିଲେ। ପଞ୍ଚାୟତର ୭ଟି ଗାଁର ଶତାଧିକ ଭୋଟର୍ ସଭାରେ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ସଚେତନ ନାଗରିକ ଧ୍ରୁବ କାଲୋ ପରିଚାଳନା କରିଥିଲେ। ନିର୍ବାଚନରେ ଭୋଟ୍ ପାଇଁ ନେତାମାନେ ଭୋଟରଙ୍କୁ ଦୁବ, ବେଲପତ୍ର ଛୁଆଁଇ ଶପଥ କରାଉଥିବା ନଜିର ରହିଛି। କିନ୍ତୁ ଭୋଟରଙ୍କ ସାମ୍ମୁଖରେ ଛିଡ଼ା ହୋଇ ନେତା ବା ପ୍ରାର୍ଥୀ ଧର୍ମଗ୍ରନ୍ଥ ଛୁଇଁ ଶପଥ କରିବା ନିର୍ବାଚନ ଇତିହାସରେ ପ୍ରଥମ ବା ବିରଳ ଘଟଣା ବୋଲି କୁହାଯାଉଛି।