ବାଲିଅନ୍ତା:ବାଲିଅନ୍ତା ଥାନା ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା ଦେଖାଦେଇଛି। ସ୍ଥାନୀୟ ବେଣ୍ଟପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀଙ୍କ ସ୍ବାମୀ ପିତବାସ ଦାଶଙ୍କୁ ଅପହରଣ କରାଯାଇଛି। ଏସଂପର୍କରେ ଶ୍ରଦ୍ଧାଞ୍ଜଲି ମଙ୍ଗଳବାର ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସକାଳେ ତାଙ୍କ ମଟରସାଇକେଲ ସ୍ଥାନୀୟ ମଣିଦାଶବର ଛକ ନିକଟରୁ ମିଳିଛି । ହେଲେ ଏହା ମଧ୍ୟରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୀତବାସଙ୍କ ପତ୍ତା ମିଳି ପାରିନାହିଁ।
ନିର୍ବାଚନ ପୂର୍ବରୁ ପ୍ରାର୍ଥିନୀଙ୍କ ସ୍ବାମୀଙ୍କୁ ଅପହରଣ କରି ନିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସୋମବାର ପୀତବାସଙ୍କ ପ୍ରଚାରଗାଡ଼ିରେ ଜଣେ ଯୁବକ ମଦ ବୋତଲ ବାନ୍ଧିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ତେବେ ଏହି ଘଟଣାକୁ କେନ୍ଦ୍ରକରି ତାଙ୍କୁ ଅପହରଣ କରାଯାଇଛି କିମ୍ବା ଅନ୍ୟ କୌଣସି କାରଣରୁ ତାଙ୍କୁ ଅପହରଣ କରାଯାଇଛି ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପ୍ରାଥମିକ ଭାବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲା। ହେଲେ ତାଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନଥିବା ଥାନା ସୂତ୍ରରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କ ଭୂମିକା ନେଇ ସନ୍ଦେହ ଉପୁଜିଥିବାରୁ ପୁଲିସ ବୁଧବାର ସେମାନଙ୍କୁ ଥାନାକୁ ଡକାଇ ପଚରାଉଚରା କରିବ ବୋଲି ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ସୂଚନା ଅନୁସାରେ ପିତବାସ ଜଣେ ସାମ୍ବାଦିକ। ତାଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି ସରପଞ୍ଚ ପ୍ରାର୍ଥିନୀ ଥିଲେ। ଗତକାଲି ସଂଧ୍ୟା ୭ଟା ବେଳେ ଶ୍ରଦ୍ଧାଞ୍ଜଳିଙ୍କୁ ବଜାରରୁ ଆସୁଛି କହି ବାଇକ ନେଇ ପଳାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ସକାଳେ ମଣିଦାସବର ଛକ ନିକଟରୁ ତାଙ୍କ ବାଇକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଜଣାଇଥିଲେ। ଅନ୍ୟପକ୍ଷରେ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ। ପୁଲିସ ସିଡ଼ିଆର ରିପୋର୍ଟକୁ ଭିତ୍ତି କରି ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ପଚରାଉଚରା କରିବ ବୋଲି କହିଛି। ଅନ୍ୟପକ୍ଷରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀମାନଙ୍କୁ ମଧ୍ୟ ଥାନାକୁ ନେଇ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/10-2.jpg)