ଜିଲ୍ଲାପାଳ କ୍ଷମତା ଦେଖାଇଲେ ସରପଞ୍ଚ; ମାଣିତରା ପଞ୍ଚାୟତ ୭ଦିନ ଲାଗି ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମାଣିତରା ପଞ୍ଚାୟତର ସରପଞ୍ଚ ଦେଖାଇଛନ୍ତି ଜିଲ୍ଲାପାଳ କ୍ଷମତା। ଏହି ପଞ୍ଚାୟତ ଅଧିନରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ନିୟମ ନ ମାନିବାରୁ ପଞ୍ଚାୟତ ଅଞ୍ଚଳରେ ୭ଦିନ ଲାଗି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ।

ଏହି ସଟ୍‌ଡାଉନ୍‌ ଦିନ ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବଳବତ୍ତର ରହିବ। ୮ତାରିଖରୁ ୧୫ ତାରିଖ ଯାଏଁ  ଦିନରେ କେବଳ ୪ଘଣ୍ଟା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ ଲାଗି ମହଲତ ଦିଆଯାଇଛି। ବାକି ୨୦ ଘଣ୍ଟା ସଟଡାଉନ୍ ରହିଛି ପଞ୍ଚାୟତ।  ମାଣିତରା ପଞ୍ଚାୟତ ଅଧିନରେ ଥିବା ୯ଟି ଗାଁରେ ଏହି ସଟ୍‌ଡାଉନ୍‌ ବଳବତ୍ତର ରହିଛି। ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆମାନେ ନିୟମ ନମାନିବାରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରପଞ୍ଚ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଲାଗି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ମହିଳା ସରପଞ୍ଚ। କିଛିଦିନ ପୂର୍ବରୁ ରାଜ୍ୟ ସରକାର କରୋନା ମୁକାବିଲା ଲାଗି ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ।

ଉଲ୍ଲେଖ‌ଯୋଗ୍ୟକି, ଏହି ପଞ୍ଚାୟତରେ ବୁଗୁଡ଼ା, ମାଣିତରା, ତାମ୍ବିରି, ଭୋଗଡ଼ା, ମକରାପଲ୍ଲୀ, ସାପୁଆପଲ୍ଲୀ, ମଙ୍ଗରାଜପୁର ଆଦି ଗ୍ରାମରେ ସଙ୍ଗରୋଧ କେନ୍ଦ୍ର ରହିଛି। ଏହି ସବୁ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହିଛନ୍ତି। ସମାଜିକ ଦୂରତା ସହ ଅନ୍ୟ ସତର୍କତା ବଜାୟ ରଖିବା ଲାଗି ସରପଞ୍ଚ ଶାନ୍ତିଲତା ଏହି ପଦକ୍ଷେପ ଗ୍ରହଣକରି ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧିତ ଖବର