ପ୍ରତାପୁର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡ଼ୁତାଇ ପଞ୍ଚାୟତର ସରପଞ୍ଚ ସନତ କୁମାର ପ୍ରଧାନ (୪୧) ବିଷାକ୍ତ ଭୂଇଁକରୋଡ଼ା ମାଛି (ବିରୁଡ଼ି ପ୍ରଜାତି) ଆକ୍ରମଣରେ ପ୍ରାଣ ହରାଇଛନ୍ତି।

Advertisment

ଶନିବାର ସକାଳ ୯ଟାରେ ସନତ ତାଙ୍କ ଟ୍ରାକ୍ଟର୍ ଧରି ପାଟରାପଲ୍ଲୀ ନାଳ ନିକଟ ତୋଟା ଅଞ୍ଚଳରେ ଥିବା ଜମିକୁ ଯାଇଥିଲେ। ଟ୍ରାକ୍ଟର୍‌ ଚଳାଇ ଦୁଇଥର ଲଙ୍ଗଳ ବୁଲାଇଥିବା ବେଳେ ଭୂଇଁକରୋଡ଼ାଙ୍କ ଘରାରେ ତାହା ବାଜିଯାଇଥିଲା। ଫଳରେ, ହଜାର ହଜାର ସଂଖ୍ୟାରେ ମାଛି ଉଡ଼ି ସନତଙ୍କୁ ଆକ୍ରମଣ କରିଥିଲେ। ପ୍ରାଣବିକଳରେ ସନତ ଦୌଡ଼ି ପାଟରାପଲ୍ଲୀ ଗ୍ରାମ ଭିତରେ ପଶିଥି‌ଲେ। ଦୁଇଜଣ ଲୋକ ତାଙ୍କୁ ତୁରନ୍ତ ଏକ ଜରିପାଲ ଘୋଡ଼ାଇଦେଇଥିଲେ। ସେମାନଙ୍କୁ ମଧ୍ୟ ବିଷାକ୍ତ ମାଛି ଆକ୍ରମଣ କରିଥିଲେ। ଗ୍ରାମବାସୀମାନେ ସାହସ ଜୁଟାଇ ବଡ଼ ଡାଳ ଦ୍ବାରା ମାଛିପଲକୁ ଘଉଡ଼ାଇବାରେ ସମର୍ଥ ହୋଇଥିଲେ।

ସନତଙ୍କ ଶରୀରର ସମସ୍ତ ଭାଗରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ବେଙ୍ଗସରର ପ୍ରାଥମିକ ଚିକିତ୍ସାକେନ୍ଦ୍ର ଓ ସେଠାରୁ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ୍‌ ଡାକ୍ତରଖାନାକୁ ପଠାଯାଇଥିଲା। ଶନିବାର ବିଳମ୍ବିତ ରାତି ସାଢ଼େ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ସନତଙ୍କ ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ଶବ ତାଙ୍କ ଜନ୍ମମାଟି ବେଙ୍ଗସର ଗ୍ରାମରେ ପହଞ୍ଚିବା ପରେ ଶତାଧିକ ଗ୍ରାମବାସୀ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଗତବର୍ଷ ନିର୍ବାଚନରେ ସନତ ସରପଞ୍ଚ ପଦରେ ନିର୍ବାଚିତ ହୋଇଥିବା ବେଳେ ପଞ୍ଚାୟତରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ। ଜଣେ ମେଳାପୀ ବ୍ୟକ୍ତିତ୍ବ ଭାବେ ସଭିଙ୍କ ମହଲରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର କୁଡ଼ୁତାଇ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ଘରେ ୧୧ ବର୍ଷ ଓ ୭ ବର୍ଷ ବୟସର ଦୁଇଝିଅ ଏବଂ ପତ୍ନୀ ସଚଳା ଅଛନ୍ତି। ସନତଙ୍କ ବିୟୋଗ କୁଡ଼ୁତାଇ ପଞ୍ଚାୟତ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।