ଦଶାହ ଭୋଜି ବାରଣ ପାଇଁ ଦଣ୍ଡ : ସର୍ବସମ୍ମୁଖରେ ଉଠ୍‌ବସ୍‌, ଗୋଡ଼ଧରି କ୍ଷମାଭିକ୍ଷା

ନବରଙ୍ଗପୁର : ଦଶାହ ଭୋଜି ଯିବାକୁ ବାରଣ କରିବାରୁ ଜଣେ ପୂର୍ବତନ ସରପଞ୍ଚଙ୍କ ଦାଦାଗିରି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ହାତିବେଡା ପଞ୍ଚାୟତରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଲୋକଙ୍କୁ ସେ କାନଧରି ଉଠ୍‌ବସ୍‌ କରାଇବା ସହିତ ଗୋଡ଼ଧରି କ୍ଷମା ମଗାଇଛନ୍ତି।

ସୂଚନା ଅନୁସାରେ, କିଛି ମାସ ତଳେ ପାପଡାହାଣ୍ଡି ବ୍ଲକ ହାତିବେଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ରାମ ମାଝୀଙ୍କ ଶାଶୂଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଶବ ସତ୍କାର କିମ୍ବା ଦଶାହକୁ ଗାଁର ଅଧିକାଂଶ ଲୋକ ଆସିନଥିଲେ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ତେବେ ତାଙ୍କ ଶାଶୂଙ୍କ ଶୁଦ୍ଧି କାର୍ଯ୍ୟରେ ଲୋକେ ଯୋଗ ନଦେବା ପୂର୍ବତନ ସରପଞ୍ଚଙ୍କୁ ଚକିତ କରିଥିଲା। ତେଣୁ ଦଶାହ ସରିବା ପରେ ସେ ଗାଁ ଲୋକଙ୍କୁ ଡକାଇ କାରଣ ପଚାରିଥିଲେ। ଗାଁର ଯଦୁ ଭତ୍ରା ହିଁ ସେମାନଙ୍କୁ ନଯିବା ପାଇଁ ବାରଣ କରିଥିବା କହିଥିଲେ। ଲେକଙ୍କୁ କହିଥିଲା ଯେ, ପୂର୍ବତନ ସରପଞ୍ଚ ଦଶାହ ପାଇଁ ଯାଉଥିବା ଲୋକଙ୍କୁ ୫ଶହ ଟଙ୍କା ମାଗୁଛନ୍ତି। ତେଣୁ ସମସ୍ତେ ଦଶାହ କାର୍ଯ୍ୟକୁ ବର୍ଜନ କରିବା। ଯଦି କେହି ବାରଣ ସତ୍ତ୍ୱେ ଯିବ ତାହାହେଲେ ଗାଁରୁ ତଡି ଦିଆଯିବ ନଚେତ ମାଡ ମାରିବେ ବୋଲି କହିଥିଲେ। ତେଣୁ ଭୟରେ କେହି ଯାଇ ନଥିବା କହିଥିଲେ।

ଗାଁରେ ଏମିତି ସମ୍ମାନ ହାନି ହୋଇଥିବାରୁ ପୂର୍ବତନ ସରପଞ୍ଚ ତାତି ଉଠିଥିଲେ । ତେଣୁ ସେ ଲୋକ ଲଗାଇ ଯଦୁଙ୍କୁ ଖୋଜିଥିଲେ। କିନ୍ତୁ ସେତେବେଳେକୁ ଦାଦନ ଖଟିବାକୁ କଟକ ଚାଲି ଯାଇଥିଲେ ଯଦୁ। ପ୍ରାୟ ୪ମାସ ଗାଁରୁ ଦୂରରେ ରହିବା ପରେ କିଛି ଦିନ ତଳେ ହିଁ ଘରକୁ ଫେରିଥିଲେ। ତଥାପି ରାମ ମାଝୀଙ୍କ ରାଗ କମି ନଥିଲା। ଘରକୁ ଡକାଇ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିବାକୁ ଧମକ ଦେଇଥିଲେ। ଯାହାଫଳରେ ବାଧ୍ୟ ହୋଇ ଯଦୁ କାନ ଧରି ଉଠ୍‌ବସ ହୋଇ ଗୋଡ ଧରି କ୍ଷମା ମାଗିଥିଲେ। ଗାଁ ଲୋକ ସବୁ ଦୃଶ୍ୟ ଦେଖିଥିଲେ ବି ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ। ହସ୍ତକ୍ଷେପ କରିବାକୁ କେହି ସାହସ ଜୁଟାଇ ପାରିନଥିଲେ। ତେଣୁ ଘଟଣା ଗାଁ ସୀମା ଡେଇଁ ବାହାରକୁ ଆସିପାରି ନଥିଲା। ଅନ୍ୟପକ୍ଷରେ ଯଦୁ କ୍ଷମା ମାଗିବା ସମୟର ଦୃଶ୍ୟକୁ ପୂର୍ବତନ ସରପଞ୍ଚଙ୍କ ପୁଅ ନିଜ ମୋବାଇଲରେ ଉତ୍ତୋଳନ କରି ଫେସ୍‌ବୁକ୍‌ରେ ଅପଲୋଡ କରିବାରୁ ଶହ ଶହ ଲୋକ ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେଣୁ କିଛି ସମୟ ପରେ ଉକ୍ତ ଭିଡିଓକୁ ବି ସେ ଡିଲିଟ୍‌ କରି ଦେଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ଏହି ଘଟଣାକୁ କେନ୍ଦ୍ରକରି ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର