ସରପଞ୍ଚ ପଦ ନିଲାମ ଘଟଣା: ୨୧ ଲକ୍ଷରୁ ଡାକ ୪୪ରେ ଛିଣ୍ଡିଥିଲା!

ପ୍ରଶାସନିକ ଟିମ୍‌ର ତଦନ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିଲେଇସର୍ଡା ପଂଚାୟତରେ ସରପଞ୍ଚ ପଦ ନିଲାମ ଘଟଣ‌ାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଏହି ପଦ ନିମନ୍ତେ ପ୍ରଥମେ ୨୧ଲକ୍ଷରୁ ଡାକ ହୋଇଥିଲା ଏବଂ ଶେଷରେ ୪୪ ଲକ୍ଷ ଟଙ୍କାରେ ଛିଣ୍ଡିଥିଲା ବୋଲି ଜଣାପଡ଼ିଛି। ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ଆଜି ବି ତନାଘନା ଚଳାଇଛି। ମିଳିଥିବା ସୂଚନା ଅନୁସାରେ, ଏଥିପାଇଁ ପଞ୍ଚାୟତରେ ଏକ ବୈଠକ ବସିଥିଲା। ମନ୍ଦିର ପାଇଁ କିଏ କେତେ ଟଙ୍କା ଦେବେ, ତାହାକୁ ନେଇ ଆଲୋଚନା ହୋଇଥିଲା। ଏବଂ କିଏ‌ କେତେ ଟଙ୍କା ଦେବେ ଡାକିବା ପାଇଁ ଆହ୍ବାନ ଦିଆଯାଇଥିଲା। ପ୍ରଥମ ପ୍ରାର୍ଥୀ ୨୧ ଲକ୍ଷ ଟଙ୍କା ଡାକ ଦେଇଥିଲେ। ତା’ପରେ ଦ୍ୱିତୀୟ ପ୍ରାର୍ଥୀ ଦୁଇଗୁଣା ଡାକ ଦେଇ ୪୨ ଲକ୍ଷ କହିଥିଲେ। ଏହାପରେ ଗାଁବାସୀ ମନୋନୟନ କରିଥିବା ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ୪୪ ଲକ୍ଷ ୧୦ ହଜାର ଟଙ୍କାର ଡାକ ଦେଇଥିଲେ। ଏଥିରେ କଥା ଛିଣ୍ଡିଥିଲା। ଏଭଳି କିଛି ବୟାନ ଆଜି ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଦେଇଛନ୍ତି ବିଲେଇସର୍ଡା ଗାଁର ଜଣେ ଯୁବକ।

ବିଲେଇସର୍ଡା ପଂଚାୟତରେ ସରପଞ୍ଚ ନିଲାମ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏଡିଏମ୍‌ ମହେନ୍ଦ୍ର ମହାପାତ୍ର, ପୁଇନ୍ତଲା ବିଡିଓ ଯୁଧିଷ୍ଠିର ନାଏକ ଗାଁକୁ ଯାଇ ତଦନ୍ତ କରିଛନ୍ତି। ପଂଚାୟତର ଗାଁ ଗାଁ ବୁଲି ଲୋକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ବିଲେଇସର୍ଡା ଗାଁରେ ଯୁବକ ବୀରେନ୍ଦ୍ର ପଣ୍ଡା ଅଧିକାରୀଙ୍କୁ ଟିକିନିଖି ବର୍ଣ୍ଣନା କରିଥିଲେ। ଗଁାର ଅନ୍ୟମାନେ କେହି କିଛି ତଦନ୍ତକାରୀ ଅଧିକାରୀଙ୍କୁ କହିବାକୁ ରାଜି ହୋଇନଥିଲେ। ତେବେ, ଆଉ କେତେ ଜଣ ୪୪ ଲକ୍ଷ ନୁହଁ ୪୪ହଜାର ଜଗନ୍ନାଥ ମନ୍ଦିରକୁ ଦେବ ନେଇ ସେ ପ୍ରତିଶ୍ରୁତି ଦେଇଥିଲେ ବୋଲି ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ ବିଲେଇସର୍ଡା ଗାଁ ପରେ କସୁରପାଲି ଗାଁକୁ ପହଞ୍ଚିଥିଲା ଟିମ୍‌ । ସେହି ଗାଁର ଜଣେ ହିଁ ବୈଠକରେ ଯୋଗ ଦେଇଥିବା ଗାଁ ଲୋକେ କହିଥିଲେ। ଆଉ ଏକ ଗାଁର ଲୋକ କିଛି ବୟାନ ଦେବାକୁ ଅଧିକାରୀଙ୍କୁ ମନା କରି ଦେଇଥିଲେ।

ଅନ୍ୟପଟେ ପ୍ରଶାସନିକ ଟିମ ପଂଚାୟତବାସୀ ନିଲାମ ଡାକି ମନୋନୟନ କରିଥିବା ପ୍ରାର୍ଥୀଙ୍କୁ ବି ପଚରାଉଚରା କରିଛି। ସେ ଜଗନ୍ନାଥ ମନ୍ଦିରକୁ ୪୪ ହଜାର ଟଙ୍କା ଦେବାନେଇ କହିଥିବା ଅଧିକାରୀଙ୍କ ଆଗରେ ସ୍ୱୀକାର କରିଛନ୍ତି। ଏଡିଏମ୍‌ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବେ ବୋଲି ଜଣାପଡ଼ିଛି। ୪୪ ହଜାର ହେଉ କି ୪୪ ଲକ୍ଷ ଏହା ନିର୍ବାଚନ ଗାଇଡଲାଇନ ଉଲ୍ଲଂଘନ ନା କଣ ତାକୁ ନେଇ ତର୍ଜମା ଆରମ୍ଭ ହୋଇଛି। ଅନ୍ୟପଟେ ଗାଁରେ ପୂର୍ବ ନିର୍ବାଚନମାନଙ୍କରେ ବି ଏଭଳି ମନୋନୟନ ହେଉଥିଲା ବୋଲି କିଛି ଗାଁ ଲୋକ କହୁଛନ୍ତି। ତେଣୁ ଏହି ଦିଗରେ ବି ପ୍ରଶାସନ ତଦନ୍ତ କଲେ ଆହୁରି କିଛି ଅଧିକ ତଥ୍ୟ ବାହାରକୁ ଆସିପାରିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର