କରୋନା ହାରିଲା, ସରପଞ୍ଚ ଜିତିଲା : କ୍ୱାରେଣ୍ଟିନ୍‌ରୁ ବାହାରି ମା’ଙ୍କ ଆର୍ଶୀବାଦ ନେଲେ, ଗ୍ରାମବାସୀ ଦେଲେ ଭବ୍ୟ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ସରପଞ୍ଚ ହର ପୂଜାରୀ ଦିର୍ଘ ଅଠର ଦିନ କାଳ ବନ୍ଧକନା କ୍ବାରେଣ୍ଟିନ୍ ସେଣ୍ଟରରେ ଅବସ୍ଥାନ ପରେ ନିଜ ଘରକୁ ଫେରିଛନ୍ତି । ଏହି ଅବସରରେ ତାଙ୍କୁ ପାଟଖଲିଆ ପଞ୍ଚାୟତବାସୀ ତଥା ପରିବାର ବର୍ଗଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି ଗତ ୨୨ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାରେ ପ୍ରଥମ କରୋନା ପଜେଟିଭ ଚିହ୍ନଟ ହୋଇଥିଲା । ସେହିଦିନ ଠାରୁ ଉକ୍ତ କ୍ବାରେଣ୍ଟିନ୍ ସେଣ୍ଟରକୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା। ସରପଞ୍ଚ ହର ପୁଜାରୀ ଓ ପିଇଓ ରାଜେନ୍ଦ୍ର ସାହୁ ଉଭୟ କାଳେ ସଙ୍କ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଜିଲ୍ଲା ପ୍ରଶାସନ ସନ୍ଦେହ ପ୍ରକଟ କରିବା ସହ ପ୍ରବାସୀଙ୍କ ନିମନ୍ତେ ରୋଷେଇ କରୁଥିବା ଚାରି ଜଣ ରୋଷେୟାଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ କୁହାଯାଇଥିଲା । ସରପଞ୍ଚ କୋଭିଡ ୧୯ର ନିୟମକୁ ସମ୍ମାନ ଜଣାଇ ଅନ୍ୟ ୬୩ ଜଣ ପ୍ରବାସୀଙ୍କ ସହ ଦୀର୍ଘ ୧୮ ଦିନର ସଂଗରୋଧ କେନ୍ଦ୍ରରେ ଆବଦ୍ଧ ରହିଥିଲେ । ଏହାର କିଛି ଦିନ ପରେ ଉକ୍ତ କେନ୍ଦ୍ରରେ ପୁଣି ଏକ କରୋନା ପଜେଟିଭ ଚିହ୍ନଟ ହୋଇ ଥିବା ପରେ ପୁଣି ଏହି କ୍ବାରେଣ୍ଟିନ୍ ସେଣ୍ଟରରେ ନିୟମ କଡାକଡି ହୋଇ ପୁନର୍ବାର ସମସ୍ତଙ୍କ ସ୍ବାବ ପରୀକ୍ଷା ପାଇଁ ଯାଇଥିବା ବେଳେ ସମସ୍ତ ଙ୍କ ନମୁନା ନେଗେଟିଭ ଆସିଥିବା ଜଣାପଡିଛି ।

ତେବେ ସରପଞ୍ଚ ଦୀର୍ଘ ୧୮ ଦିନ କାଳ କ୍ବାରେଣ୍ଟିନ୍ ସେଣ୍ଟରରେ ରହିବା ପରେ ପ୍ରବାସୀ ଓଡ଼ିଆଙ୍କ ସହ ଅତି ଅନ୍ତରଙ୍ଗ ହୋଇ ପଡିଥିବାରୁ ସରପଞ୍ଚ କ୍ବାରେଣ୍ଟିନ୍ ସେଣ୍ଟରରୁ ବିଦାୟ ନେବା ପରେ ପ୍ରବାସୀମାନେ ଭାବବିହ୍ବଳ ହୋଇ ପଡିଥିଲେ ।

ବିବରଣୀରୁ ପ୍ରକାଶ ଯେ,କରୋନା ମହାମାରୀ ଜନିତ ମୁକାବିଲା କରିବା ନିମନ୍ତେ ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇ ଜିଲ୍ଲାପାଳକ୍ଷମତା ପ୍ରଦାନ କରିଥିବା ବେଳେ ଚନ୍ଦାହାଣ୍ଡି ସରପଞ୍ଚ ସଂଘ ସଭାପତି ତଥା ପାଟଖଲିଆ ଯୁବ ସରପଞ୍ଚ ହର ପୁଜାରୀ ପ୍ରଥମରୁ ଟିଏମସି କେନ୍ଦ୍ରର ଯତ୍ନ ନେବା ସହ ସେଠାରେ ପାନୀୟ ଜଳର ସୁବିଧା କରିବା ସାଙ୍ଗକୁ ନିଜେ ଫିନାଇଲ ବ୍ଲିଚିଙ୍ଗ ସାନିଟାଇଜ କରିବା ସହ ପ୍ରବାସୀମାନଙ୍କ ନିମନ୍ତେ ଜଳପାନ ମଧ୍ୟ ନିଜେ ପ୍ରସ୍ତୁତ କରୁଥିଲେ । ସରପଞ୍ଚଙ୍କ ଏତାଦୃଶ ସାମାଜିକ କାର୍ଯ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଆସିଥିବା ବେଳେ ଦୁର୍ଭାଗ୍ୟକୁ ବନ୍ଧକନା କେନ୍ଦ୍ରରେ ନବରଙ୍ଗପୁର ଜିଲ୍ଲାର ଦୁଇଟି ଯାକ କରୋନା ପଜେଟିଭ ଚିହ୍ନଟ ହୋଇଥିବାରୁ ଓ ସରପଞ୍ଚ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରି ତାଙ୍କୁ ସଂଗରୋଧରେ ରହିବାକୁ ପଡିଥିଲା । ତେବେ ଆଜି ଏହି ଅବଧି ସରିଥିବାରୁ ସେ ସ୍ବଗୃହକୁ ଫେରିଛନ୍ତି। ଏହି ଅବସରରେ ସରପଞ୍ଚଙ୍କୁ ଗ୍ରାମବାସୀ ଓ ପରିବାର ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଥମେ ସେ ନିଜ ମା’ଙ୍କ ଆଶିର୍ବାଦ ନେଇଥିଲେ।

ସମ୍ବନ୍ଧିତ ଖବର