ବର୍ଷା ଅଭାବ ଯୋଗୁଁ ଟିଟିଲାଗଡ଼ରେ ସ୍ଥିତି ସଂଗିନ, ସ୍ଥାୟୀ ପ୍ରତିକାର ପାଇଁ ଉପଜିଲ୍ଲାପାଳଙ୍କୁ ସରପଞ୍ଚ ସଂଘର ଦାବିପତ୍ର

ଟିଟିଲାଗଡ଼ : ବର୍ଷା ଅଭାବ ଯୋଗୁଁ ବର୍ତ୍ତମାନ ଟିଟିଲାଗଡ଼ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଅନେକ ସ୍ଥାନରେ ଚାଷୀମାନେ ଚାଷ କାମ ଆରମ୍ଭ କରି ପାରି ନାହାନ୍ତି। ରୁଆ, ବିହୁଡ଼ା କାମ ବାଧାପ୍ରାପ୍ତ ହୋଇଛି। ଅଧିକାଂଶ ସ୍ଥାନରେ ମାଟି ଫାଟି ଆଁ କଲାଣି। ମରୁଡ଼ି ଏକପ୍ରକାର ଆସନ୍ନ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କଲେଣି। ତେଣୁ ଟିଟିଲାଗଡ଼ ସରପଂଚ ସଂଘ ଏହାର ସ୍ଥାୟୀ ପ୍ରତିକାର ଦାବି କରିଛି। ଏନେଇ ସଂଘ ଏକ ଦାବିପତ୍ର ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନଙ୍କୁ ପ୍ରଦାନ କରିଛି।

ଟିଟିଲାଗଡ଼ ବ୍ଲକ୍‌ ଅଂଚଳରେ ଲିଫ୍ଟ ଇରିଗେସନ ବିଭାଗ ତରଫରୁ ହୋଇଥିବା ବିଭିନ୍ନ କେନାଲ ପୋତି ହୋଇଯାଇଛି। କୁଶକେଲା, ବାଂଜିପଦର, ଘଂଟବାହାଲି, ଦିଗଶିରା, ଖୋଲାନ, ନାରେନ, ପରାସରା, ସିଲୁଆଁ, ମାଲାର୍ଡ, ଘୋଡ଼ାର ପଂଚାୟତରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନିର୍ମିତ ଏଲ୍‌ଆଇ ପଏଣ୍ଟଗୁଡ଼ିକ ଅଚଳ ହୋଇପଡ଼ିଛି। ତେଣୁ ଏସବୁକୁ ଶୀଘ୍ର ସଜାଡ଼ିବାକୁ ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି। ଏହା ସହିତ ଚାଷୀ ପରିବାରକୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା, ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ପ୍ରାପ୍ୟ ଠିକ୍‌ ସମୟରେ ଦେବା, ଟିଟିଲାଗଡ଼ ବ୍ଲକ୍‌ ଅଂଚଳ ଦେଇ ପ୍ରବାହିତ ଉନ୍ଦେର ନଦୀ ଏବଂ ତେଲ ନଦୀରେ ବ୍ୟାରେଜ ନିର୍ମାଣ ଆଦି ଦାବି ରହିଛି। ବ୍ଲକ୍‌ ସରପଂଚ ସଂଘ ସଭାପତି ବୀରବର ସାହୁ, ସମ୍ପାଦକ ହରିନାରାୟଣ ମିଶ୍ର, ଉପଦେଷ୍ଟା ଦୟାରାମ ଅଗ୍ରୱାଲ, ଗୋଲକ ବିହାରୀ ସିଂଭୋଇଙ୍କ ସମେତ ବହୁ ସରପଂଚ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର