୧୨ ଘଣ୍ଟା ନ ପୁରୁଣୁ ଚାପରେ ଜିଲ୍ଲାପାଳ କ୍ଷମତା ପ୍ରତ୍ୟାହାର କ‌ଲେ ସରପଞ୍ଚ, ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣାକୁ ପ୍ରତ୍ୟାହାର କଲେ

ଆଜି ସକାଳଠାରୁ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଦାରିଙ୍ଗବାଡ଼ି: ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ ପ୍ରଶାସନର ଅନୁମତି ନେଇ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଦାରିଙ୍ଗବାଡ଼ିକୁ ୪୮ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଥିଲେ ସରପଞ୍ଚ। ହେଲେ ୧୨ ଘଣ୍ଟା ନ ପୁରୁଣୁ ଚାପରେ ସଟ୍‌ଡାଉନ ଘୋଷଣାକୁ ସରପଞ୍ଚ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ଏନେଇ ଲିଖିତ ଭାବେ ୪୮ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ପ୍ରତ୍ୟାହାର କରାଗଲା ବୋଲି ସମସ୍ତ ବିଭାଗକୁ ଚିଠି ପ୍ରେରଣ କରିଥିଲେ।
ଏହି ଘଟଣାକୁ ନେଇ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କେବଳ କାଗଜ କଲମରେ ବୋଲି ଚର୍ଚ୍ଚା ଜୋର ଧରିଛି।
ଦାରିଙ୍ଗବାଡ଼ି ସରପଞ୍ଚ ରାଧାକାନ୍ତ ପ୍ରଧାନ ପଞ୍ଚାୟତକୁ ଗତ ୨୧ ତାରିଖ ସନ୍ଧ୍ୟାରେ ୪୮ଘଣ୍ଟା ସଟଡାଉନ ଘୋଷଣା କରିଥିଲେ। ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ କାର୍ଯ୍ୟରତ ସିଆର୍‌ସିସି କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ରିପୋର୍ଟ ଆସିବା ପରେ ଗତକାଲି ଏହି ସଂକ୍ରାନ୍ତରେ ପଞ୍ଚାୟତବାସୀ ସମେତ ବଣିକସଂଘ, ବୁଦ୍ଧିଜୀବୀ ଓ ବ୍ଳକ ପ୍ରଶାସନ ସହ ଆଲୋଚନା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଶଗ କରି ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ।
ଏନେଇ ଡାକବାଜି ଯନ୍ତ୍ରରେ ଯୋଗେ ପ୍ରତି ସାହି ବୁଲି ସନ୍ଧ୍ୟା ୫ଘଣ୍ଟା ଠାରୁ ୨୩ତାରିଖ ସନ୍ଧ୍ୟା ୫ଘଣ୍ଟା ଯାଏ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତକୁ ସଟ୍‌ଡାଉନ କରିଥିଲେ। ହେଲେ ସରପଞ୍ଚ ସଟ୍‌ଡାଉନ ଘୋଷଣା କରିବାର କିଛି ଘଣ୍ଟା ପରେ ପ୍ରଶାସନ ପକ୍ଷରୁ ଏହି କ୍ଷମତା ସରପଞ୍ଚଙ୍କ ପାଖରେ ନ ଥିବା ଦର୍ଶାଇ ପ୍ରତ୍ୟାହାର କରିବାକୁ ଚାପ ପଡ଼ିଥିଲା । ଏଥିରେ ସରପଞ୍ଚ ବାଧ୍ୟ ହୋଇ ୧୨ ଘଣ୍ଟା ନପୁରୁଣୁ ସଟ୍‌ଡାଉନ ଘୋଷଣାକୁ ପ୍ରତ୍ୟାହାର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରକାରେ ପ୍ରଶାସନ ସହ ଆଲୋଚନା କରି ସରପଞ୍ଚ ନିଜ ପଞ୍ଚାୟତରେ ଏହି ସଟ୍‌ଡାଉନ ଘୋଷଣା କରିଥିଲେ ବୋଲି କହିଛନ୍ତି ସରପଞ୍ଚ ରାଧାକାନ୍ତ ପ୍ରଧାନ। ହେଲେ ପୁଣି ଚାପ ପଡ଼ିବା ଯୋଗୁ ଏହାକୁ ପ୍ରତ୍ୟାହାର କରିବା ପରେ ନିଜେ ଗ୍ରାମବାସୀଙ୍କ ଆଗରେ ଲଜ୍ଜିତ ହୋଇଛନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି ।

ପ୍ରକାଶ ଥାଉକି, କନ୍ଧମାଳର ଅଧିକାଂଶ ପଞ୍ଚାୟତରେ କ୍ବାରାଣ୍ଟିନ ସେଣ୍ଟର ଜଗିବା ଓ ଖର୍ଚ୍ଚ କାଗଜରେ ଦସ୍ତଖସ୍ତ ମାରିବା ଛଡା ସରପଞ୍ଚମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିପାରୁ ନ ଥିବା ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। କେବଳ ଜିଲ୍ଲା ପ୍ରଶାସନ ଓ ବିଡିଓମାନେ ଯାହା କହିଲେ ତାକୁ ହଁ କହିବା ଛଡ଼ା ଅନ୍ୟ କିଛି ଉପାୟ ସରପଞ୍ଚଙ୍କ ପାଖରେ ନାହିଁ। ଆଜି ସୁଦ୍ଧା କନ୍ଧମାଳରେ ଜିଲ୍ଲାର ସମୁଦାୟ ୧୭୧ ପଞ୍ଚାୟତର ସରପଞ୍ଚଙ୍କ ମଧ୍ୟରୁ କେହି ବି ଜଣେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିନଥିବା ବେଳେ  ଦାରିଙ୍ଗବାଡ଼ି ସରପଞ୍ଚ ନିଜ ଦମ୍ ଦେଖାଇ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ କରିଥିଲେ। ହେଲେ ପୁଣି ଚାପରେ ସଟ୍‌ଡାଉନ ଘୋଷଣାକୁ ପ୍ରତ୍ୟାହାର କରିବା ପରେ ଏକ୍ଷେତ୍ରରେ କରୋନା ଯୋଦ୍ଧା ସରପଞ୍ଚଙ୍କ କିଛି ଭୂମିକା ରହୁନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଦାରିଙ୍ଗବାଡ଼ି ସରପଞ୍ଚଙ୍କ ସଟଡାଉନ ଘୋଷଣା ପ୍ରତ୍ୟାହାର ପରେ ଆଜି ସକାଳ ଠାରୁ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ବଜାରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଘୋଷଣା ପରେ ପୁଲିସ ପକ୍ଷରୁ ସମସ୍ତ ଦୋକାନ ବଜାର ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର