ନବରଙ୍ଗପୁର : ୨୨ ବର୍ଷ ଧରି ସରପଞ୍ଚ ପଦ। ସ୍ବାମୀଙ୍କ ପରେ ପତ୍ନୀ। ନା ନିଜର ଖଣ୍ଡେ ପକ୍କାଘର ଅଛି ନା ପାଇଖାନା ଅଛି। ଏକପ୍ରକାର ସାଦାସିଧା ଜୀବନ ବିତାଉଛନ୍ତି। ସେ ହେଉଛନ୍ତି, ନବରଙ୍ଗପୁର ବ୍ଲକ୍‌ ସାନମସିଗାଁ ସରପଞ୍ଚ ପୁଷ୍ପଲତା ମାଝୀ। ତାଙ୍କ ସ୍ବାମୀ ବ୍ରଜରାଜ ମାଝୀଙ୍କର ଦେହାନ୍ତ ହୋଇସାରିଛି। ଏବେ ଦୁଇ ବଖରା ଅସମ୍ପୂର୍ଣ୍ଣ ଆଜବେଷ୍ଟସ୍‌ ଘରେ ଦୁଇ ପୁଅଙ୍କ ସହ ସରଳ ଜୀବନ ବିତାଉଛନ୍ତି।

Advertisment

୨୦ବର୍ଷ ତଳେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପୁଷ୍ପଲତା। ୨୦୦୨ରେ ପ୍ରଥମଥର ନିର୍ବାଚନ ଲଢ଼ି ସାନମସିଗାଁ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ। ୫ବର୍ଷ କ୍ଷମତାରେ ରହିବା ପରେ ୨୦୦୭ରେ ସ୍ବାମୀ ସରପଞ୍ଚ ନିର୍ବାଚିତ ହୋଇଥିଲେ। ଏହାପରେ କ୍ରମାଗତ ଭାବେ ସ୍ବାମୀ-ସ୍ତ୍ରୀ ଏହି ପଞ୍ଚାୟତର ସରପଞ୍ଚ ରହି ଆସୁଛନ୍ତି। ବର୍ଷକ ତଳେ ସ୍ବାମୀଙ୍କ ପରଲୋକ ହୋଇଥିବା ବେଳେ ୨୦୨୨ ମସିହାରେ ତୃତୀୟଥର ପାଇଁ ସରପଞ୍ଚ ହୋଇଛନ୍ତି ପୁଷ୍ପଲତା।

ସରଳ ଜୀବନଯାପନ ସମ୍ପର୍କରେ ପୁଷ୍ପଲତା କୁହନ୍ତି, ଶ୍ବଶୁର ଜୀବିତ ଥିବା ସମୟରେ ଗୋଟିଏ କଥା କହୁଥିଲେ। ଗରିବଙ୍କ ଟଙ୍କାକୁ କେବେ ମଧ୍ୟ ଛୁଇଁବନି। ସରକାରୀ ଟଙ୍କା ଏବଂ ଗରିବଙ୍କ ଟଙ୍କା ଛୁଇଁଲେ ବଦନାମ ହେବ। ଆତ୍ମସମ୍ମାନଠାରୁ କିଛି ବି ବଡ଼ ସଂପତ୍ତି ନାହିଁ। ଶ୍ବଶୁରଙ୍କ ମୃତ୍ୟୁ ପରେ ବି ଏକଥାକୁ ଭୁଲିନାହାନ୍ତି ସେ। ଏହାକୁ ସଂକଳ୍ପ ଭାବେ ଗ୍ରହଣ କରିଛନ୍ତି।

ପୁଷ୍ପଲତା ହେଉଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସଂପର୍କୀୟ ଭଉଣୀ। ବର୍ତ୍ତମାନ ସମୟ ରାଜନୀତିରେ ପୁଷ୍ପଲତା ଜଣେ ବ୍ୟତିକ୍ରମ। ତେବେ ପରିବେଶର ସୁରକ୍ଷା ଦୃଷ୍ଟିରୁ ପାଇଖାନା ନିର୍ମାଣ କରିବା ଉଚିତ୍‌। ଏହା ସ୍ବଚ୍ଛଳର ପ୍ରତୀକ ନୁହେଁ, ସାମାଜିକ ଆବଶ୍ୟକତା।