ସରପଞ୍ଚଙ୍କୁ ତାଲା ଠୁଙ୍କିଲେ ଗ୍ରାମବାସୀ

ରାଇସୁଆଁ  : ତେଲକୋଇ ବ୍ଲକ୍‌ ଶିରିଗିଡ଼ା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶତାଧିକ ପୁରୁଷ ଓ ମହିଳା ସ୍ଥାନୀୟ ସରପଞ୍ଚ ଜିଙ୍ଗପାଟ ପିଙ୍ଗୁଆଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ।

ସୂଚନାଯୋଗ୍ୟ, ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ୱାର୍ଡସଭ୍ୟମାନେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସରପଞ୍ଚ କାର୍ଯ୍ୟକ୍ରମ ସାରି ଘରକୁ ବାହାରୁଥିବା ବେଳେ ତାଙ୍କୁ ଲୋକେ ଅଟକାଇ କାର୍ଯ୍ୟାଳୟ‌ରେ ତାଲା ପକାଇ ଦେଇଥିଲେ। ୨୦୧୮-୧୯ ମସିହାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକାରେ କିଛି ହିତାଧିକାରୀଙ୍କ ନାମ ଥାଇ ମଧ୍ୟ ସେମାନେ ଘର ପାଇନାହାନ୍ତି। ୨୦୨୧-୨୨ର ହିତାଧିକାରୀ ତାଲିକାରେ ଯୋଗ୍ୟ ଲୋକଙ୍କ ନାମ ନଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅଯୋଗ୍ୟ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି। ଏନେଇ ଲୋକେ ଦୁଇଦିନ ତଳେ ଜିଲ୍ଲାପାଳ ଓ ତେଲକୋଇ ବିଡିଓଙ୍କୁ ଜଣାଇଥିଲେ।

ଏହି ସମସ୍ୟା ନେଇ ସରପଞ୍ଚ ଶ୍ରୀମତୀ ପିଙ୍ଗୁଆଙ୍କ ସହ ପଞ୍ଚାୟତବାସୀ ଆଲୋଚନା କରିଥିଲେ। ସରପଞ୍ଚଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ତାଙ୍କୁ ତାଲା ପକାଇ ଦେଇଥିଲେ। ଖବର ପାଇ ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧାରଣାରେ ବସିଥିବା ଲୋକଙ୍କୁ ବୁଝାସୁଝା କରିଥିଲା। ଦୀର୍ଘ ୮ଘଣ୍ଟା ପରେ ସରପଞ୍ଚଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର