ରୋଚକ ମୋଡ଼ରେ ଆବାସ ପାଇଁ ସରପଞ୍ଚଙ୍କ ଲାଞ୍ଚ ଦାବି ଘଟଣା: ଯୋଜନା ପ୍ୟାନେଲ୍ ଲିଷ୍ଟ୍‌ରେ ୨ ଅଭିଯୋଗକାରୀଙ୍କ ନାମ, ପକ୍କା ଘର ଥାଇ ବି ଯୋଜନାରେ ସାମିଲ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଲାଲମେଣ୍ଟା ପଞ୍ଚାୟତରେ ଆବାସ ଯୋଜନା ପାଇଁ ସରପଞ୍ଚ ଲାଞ୍ଚ ଦାବି କରିବା ଅଭିଯୋଗ ଓ ପରେ ସରପଞ୍ଚ ସାମ୍ବାଦିକ ସମ୍ମିଳନୀ ଡାକି ଏହାକୁ ଖଣ୍ଡନ କରିବା ଘଟଣା ରୋଚକ ମୋଡ଼ ନେଇଛି। ଦୁଇ ଅଭିଯୋଗକାରୀ ବିଜୟ ପ୍ରଧାନ ଓ ବାବୁନାଥ ପ୍ରଧାନଙ୍କ ପକ୍କା ଘର ଥାଇ ବି ସେମାନଙ୍କ ନାମ ଆବାସ ଯୋଜନାର ପ୍ୟାନେଲ୍ ଲିଷ୍ଟ୍ (କ୍ରମିକ ନମ୍ବର ୩୬, ୩୭) ଥିବା ଜଣାପଡ଼ିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ହଟଚମଟ ସୃଷ୍ଟି ହୋଇଛି। ସରପଞ୍ଚଙ୍କ ସମେତ ଦୁଇ ଅଭିଯୋଗକାରୀଙ୍କ ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। କାରଣ ସାମ୍ବାଦିକ ସମ୍ମିଳନୀରେ ଦୁଇ ଅଭିଯୋଗକାରୀ ବିିଜୟ ଓ ବାବୁନାଥ ସରପଞ୍ଚଙ୍କ ସହ ସ୍ବର ମିଳାଇବା ସହ ଆମେ କାହାକୁ ଲାଞ୍ଚ ଦେଇନୁ ବୋଲି କହିଥିଲେ। କେଉଁ ଆଧାରରେ ଉଭୟ ଆବାସ ଯୋଜନା ତାଲିକାରେ ସାମିଲ ହେଲେ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ବିଷୋୟୀଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ‘ପ୍ୟାନେଲ୍ ଲିଷ୍ଟ୍‌ରେ ରହିବାକୁ ହିତାଧିକାରୀ ଆବେଦନ କରିଥାନ୍ତି। ଆବେଦନ ମୁତାବକ ବର୍ତ୍ତମାନ ପ୍ୟାନେଲ୍ ଲିଷ୍ଟ୍ ପ୍ରସ୍ତୁତି ବେଳେ ବ୍ଲକ୍‌ର ୧୨ ଜଣ ଜିଆରଏସ୍ ଉପସ୍ଥିତ ଥିଲେ। ମୋତେ ଅନ୍ୟ ପଞ୍ଚାୟତର ଦାୟିତ୍ବ ପଡ଼ିଥିଲା। ଏହି ତାଲିକା ପ୍ରସ୍ତୁତ ବେଳେ ମୁଁ ଉପସ୍ଥିତ ନଥିଲି’।

ଫଳରେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେବ ଏହାକୁ ନେଇ କୌତୁହଳ ସୃଷ୍ଟି ହୋଇଛି। ସରପଞ୍ଚ କୃଷ୍ଣଚନ୍ଦ୍ର ଆବାସ ପାଇଁ ବିଜୟ ଏବଂ ବାବୁନାଥଙ୍କ ଠାରୁ ଲାଞ୍ଚ‌ ଦାବି କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ ଭାର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦେଇଥିଲେ। ଅଧିକାରୀ ରମେଶ ବିଷୋୟୀ ତଦନ୍ତ କରି ଅଭିଯୋଗର ସତ୍ୟତା ନଥିବା ସଂକ୍ରାନ୍ତରେ ପ୍ରଶାସନକୁ ରିପୋର୍ଟ ଦେଇଥିଲେ। ଏହାପରେ ସରପଞ୍ଚ ସାମ୍ବାଦିକ ସମ୍ମିଳନୀ ଡାକି, ଅଭିଯୋଗକୁ ରୋକଠୋକ୍ ଖଣ୍ଡନ କରିବା ସହ ମୁଁ କାହାକୁ ଲାଞ୍ଚ ଦିଏନି କି, ନିଏନି ବୋଲି କହିଥିଲେ। ଏହାସହ ଅଭିଯୋଗକାରୀ ବାବୁ ଏବଂ ବିଜୟ ମଧ୍ୟ ଉପସ୍ଥିତ ରହି ସରପଞ୍ଚଙ୍କୁ ଟଙ୍କା ଦେଇ ନଥିବା ସ୍ପଷ୍ଟ କରିଥିଲେ। କିନ୍ତୁ ଅଯୋଗ୍ୟ ହିତାଧିକାରୀ ହୋଇ ବି ଉଭୟଙ୍କ ନାମ ଆବାସ ଯୋଜନା ତାଲିକାରେ ଠାବ ହେବା ଘଟଣା ନୂଆ ମୋଡ଼ ନେଇଛି। ଏଥିରେ କିଏ ଠିକ୍ କିଏ ଭୁଲ୍ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି।

ସମ୍ବନ୍ଧିତ ଖବର