ଯୁବକଙ୍କୁ ଆକ୍ରମଣ କରି ସରପଞ୍ଚଙ୍କ ଶ୍ବଶୁର ଗିରଫ, ଦୁଇ ଦିଅର ଫେରାର

ଦଶରଥପୁର : ଦଶରଥପୁର ବ୍ଲକ୍ ଚଷାଖଣ୍ଡ ପଞ୍ଚାୟତର କରିଅଙ୍ଗ ଗ୍ରାମର ବିଷ୍ଣୁଚରଣ ଦାସଙ୍କ ପୁଅ ମାନସ(୪୨)ଙ୍କୁ ଶନିବାର ସକାଳେ ମାଣିକେଇ ଛକଠାରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଛି। ପଞ୍ଚାୟତର ସରପଞ୍ଚ ମନୋରମା ମହାନ୍ତିଙ୍କର ଦୁଇ ଦିଅର ଓ ଶଶୁର ମିଶି ଏହି ଆକ୍ରମଣ କରିଥିବା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସରପଞ୍ଚ ଶ୍ରୀମତୀ ମହାନ୍ତିଙ୍କ ଶଶୁର ରବୀନ୍ଦ୍ର ମହଲାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ୨ଜଣ ଦିଅର ଗଣେଶ ମହଲା(୩୨) ଓ ଆଶିଷ ମହଲା(୩୦) ଫେରାର ହୋଇଯାଇଛନ୍ତି।

ଆସନ୍ତା ୧୪ ତାରିଖରେ ମାନସଙ୍କ ଝିଅର ଏକୋଇଶିଆ ପାଳନ ନିମନ୍ତେ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବାକୁ ପ୍ରାକ୍ତନ ସରପଞ୍ଚ ମହେନ୍ଦ୍ର କୁମାର ଧଳଙ୍କ ସହ ସେ ମାଣିକେଇ ଛକକୁ ଯାଇଥିଲେ। ଗୋଟିଏ ପାନଦୋକାନରେ ଉଭୟ ଠିଆହୋଇଥିବା ବେଳେ ସରପଞ୍ଚଙ୍କ ଦୁଇ ଦିଅର ଗଣେଶ ମହଲା(୩୨) ଓ ଆଶିଷ ମହଲା(୩୦) ଏବଂ ଶଶୁର ରବୀନ୍ଦ୍ର ମହଲା ଆସି ମିଳିତ ଭାବେ ମାନସଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହାକୁ ଶ୍ରୀ ଧଳ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଲିଗୁଲଜ କରିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ। ମାନସଙ୍କର ଗୋଡ଼ ଓ ଛାତିରେ କ୍ଷତ ହୋଇ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏଥିନେଇ ମଙ୍ଗଳପୁର ଥାନାରେ ମାନସ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣ ସମୟରେ ସେ ପିନ୍ଧିଥିବା ୧୪ଗ୍ରାମର ସୁନାଚେନ୍ ଓ ନଗଦ ୮ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କ ଏତଲାକୁ ଭିତ୍ତିକରି କେସ ନମ୍ବର୧୨୯/୨୧ରେ ଦଫା ୩୪୧/୨୯୪/୩୨୩/୩୨୫/୩୭୯/ ୫୦୬/୩୪ରେ ମାମଲା ରୁଜୁ କରାଯାଇ ସରପଞ୍ଚଙ୍କ ଶ୍ବଶୁର ରବୀନ୍ଦ୍ରଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗଣେଶ ଓ ଆଶିଷ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ମାନସଙ୍କ ପତ୍ନୀ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପାଇଁ ପତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିବାବେଳେ ରବୀନ୍ଦ୍ର ମହଲାଙ୍କ ବୋହୂ ମନୋରମା ମହାନ୍ତି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସେବେଠାରୁ ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ପୂର୍ବ ରାଜନୈତିକ ଶତ୍ରୁତା ରଖି ଏହି ଗଣ୍ଡଗୋଳ ଘଟିଥିବା ମାନସ ମଧ୍ୟ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଗତ ୧୮ ଜୁନ ୨୦୨୦ରେ ସରପଞ୍ଚଙ୍କ ସ୍ୱାମୀ ସୁବାସ ମହଲା ରଙ୍ଗସଦେଉଳିର ଜନୈକ ଯୁବକ ରାଜେନ୍ଦ୍ର ମଲ୍ଲିକଙ୍କୁ ମାଡ ମାରିଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ହୋଇଥିଲା ବୋଲି ପୂର୍ବତନ ସରପଞ୍ଚ ମହେନ୍ଦ୍ର ଧଳ ପ୍ରକାଶ କରିଛନ୍ତି। ସରପଞ୍ଚଙ୍କ ବିରୋଧରେ ପଞ୍ଚାୟତରେ ଯିଏ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ତାଙ୍କ ପରିବାର ଲୋକେ ଆକ୍ରମଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଉଭୟ ମାନସ ଓ ରବୀନ୍ଦ୍ର ଶାସକ ଦଳ ସମର୍ଥକ ହୋଇଥିଲେ ହେଁ ସରପଞ୍ଚଙ୍କ ପରିବାର ସଦସ୍ୟଙ୍କ ଆତଙ୍କରାଜ ବିରୋଧରେ ପଞ୍ଚାୟତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାରେ ଲାଗିଛି। ଏ ଖବର ପାଇ ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସହିତ ବହୁ ଦଳୀୟ କର୍ମୀ ଥାନାରେ ପହଞ୍ଚି ଘଟଣାର ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର