କସ୍ତୁରବା ଗାନ୍ଧୀ ଉଚ୍ଚବିଦ୍ୟାଳୟ‌ ପାଣିଘେରରେ

ଘଟଗାଁ: ଘଟଗାଁ ବ୍ଲକ୍‌ ରୁଟିଶିଳାଠାରେ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚବିଦ୍ୟାଳୟ ଓ ଏହା ପରିସରରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ପାଣି ଜମି ଥିବାରୁ ଅନ୍ତେବାସୀମାନେ ଦୁଇଦିନ ହେଲା ଜଳବନ୍ଦୀ ହୋଇ ରହିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟରେ ୧୪୩ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସାରେ ୮୦ଜଣ ଅନ୍ତେବାସୀ ରହିଛନ୍ତି। ଦୁଇଦିନ ହେଲା ଲଘୁଚାପ ଜନିତ ଲଗାଣବର୍ଷା ଯୋଗୁଁ ବିଦ୍ୟାଳୟ ପରିସରରେ ବର୍ଷାଜଳ ଜମି ରହିଛି।

ଜଳ ନିଷ୍କାସନ ପାଇଁ ଡ୍ରେନେଜ୍‌ ବ୍ୟବସ୍ଥା ଠିକ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମି ରହିବା ସହ ଶ୍ରେଣୀଗୃହରେ ମଧ୍ୟ ପାଣି ପଶିଯାଇଛି। ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନେ ପଦାକୁ ବାହାରିପାରୁ ନାହାନ୍ତି। ପାଣିରେ ପଶି ଯାତାୟାତ କରିବା ଯୋଗୁଁ କିଛି ଅନ୍ତେବାସୀ ଥଣ୍ତାଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଶାସନ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ରୁଟିଶିଳା ସମିତିସଭ୍ୟ କୈବଲ୍ୟ ନାଏକ ଓ ହେମନ୍ତ ନାଏକ  ଦାବି କରିଛନ୍ତି।

ସମ୍ବନ୍ଧିତ ଖବର