ସରକାରଙ୍କ ଆକ୍ରୋଶର ପ୍ରମାଣ ନାହିଁ: ହାଇକୋର୍ଟ
ସରକାରଙ୍କ ଆକ୍ରୋଶ ଜଳଜଳ ହୋଇ ଦିଶୁଛି: ଜାଗି
ଭୁବନେଶ୍ବର : ସାରୁଅ ଜମି ଦୁର୍ନୀତି ମାମଲାରେ ଓଟିଭି ଏମ୍ଡି ଜାଗିମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କୁ ଅନ୍ତରୀଣ ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କ ଅଡ଼ୁଆ ବଢ଼ିଯାଇଛି। ନିଜ ରାୟରେ ହାଇକୋର୍ଟ କହିଛନ୍ତି ସାରୁଅ ଜମି ଦୁର୍ନୀତି ମାମଲା ରାଜନୈତିକ ପ୍ରତିଶୋଧ ପରାୟଣତାର ଅଂଶବିଶେଷ ନୁହେଁ। ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ ଯେଉଁ ସବୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା ତାହା ପ୍ରମାଣିତ ହୋଇପାରିଲା ନାହିଁ। ଶାସକ ଦଳର ଏଥିରେ ସମ୍ପୃକ୍ତି ଥିବା ଯୁକ୍ତିକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।
କୋର୍ଟ କହିଛନ୍ତି ରାଗ ରଖି, ଗୁପ୍ତ ଅଭିପ୍ରାୟରେ ଶାସକ ଦଳ ଇଚ୍ଛା ଅନୁସାରେ ମାମଲା ଦାୟର ହୋଇଥିବା ନେଇ ଯେଉଁ ଯୁକ୍ତି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ତାକୁ ପ୍ରମାଣିତ କରିବା ପାଇଁ କୌଣସି ତଥ୍ୟ ଉପସ୍ଥାପନ କରାଯାଇ ପାରିଲା ନାହିଁ। ତେଣୁ ଶାସକ ଦଳ ଇଙ୍ଗିତରେ ଏଭ​ଳି ମାମଲା ଦାୟର ହୋଇଥିବା ଯୁକ୍ତିକୁ ଖାରଜ କରିବାର ଆବଶ୍ୟକତା ରହୁଛି। ଇଓଡବ୍ଲୁ ପକ୍ଷରୁ ବେନାମୀ କାରବାର ଉପରେ ତଦନ୍ତ କରିବାକୁ ଆୟକର ବିଭାଗକୁ କୁହାଯାଇଛି, ମୂଳ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ରହିପାରିବ। ହାଇକୋର୍ଟଙ୍କ ଏହି ରାୟ ପରେ ଆଗକୁ କ’ଣ ହେବ ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।
ଏହାରି ଭିତରେ ଓଟିଭି ଏମ୍ଡି ଶ୍ରୀମତୀ ପଣ୍ଡା ପ୍ରେସ୍ ରିଲିଜ୍ ମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟ ସରକାରଙ୍କ ବ୍ୟକ୍ତିଗତ ଆକ୍ରୋଶ ପାଇଁ ଓଟିଭି ଓ ଏହାର ସହଯୋଗୀ ସଂସ୍ଥାମାନଙ୍କ ବିରୋଧରେ ଗତ ଦୁଇ ମାସରେ ୨୦ରୁ ଅଧିକ ମାମଲା ରୁଜୁ ହୋଇଛି। ବିଜେଡି ସରକାର ଦୁର୍ନୀତି ବିରୋଧରେ ମୁହଁ ଖୋଲିବା ଓ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବା ପରେ ଆମକୁ ଟାର୍ଗେଟ କରାଯାଉଛି। ସରକାରଙ୍କ ଦୁର୍ନୀତି ଓ କୋଭିଡ୍ ଫଣ୍ଡ ଅନିୟମିତତା ଖବର ଓଟିଭିରେ ପ୍ରସାରଣ ପରେ ସରକାର ରାଗ ରଖି ଏପରି କରୁଛନ୍ତି। ଯେତେବେଳେ ପୁଲିସର ସମନ୍ ଓ ନୋଟିସ ଅନୁସାରେ ଆମେ ତଦନ୍ତରେ ସହଯୋଗ କରୁଛୁ ସେତେବେଳେ ରାତିଅଧିଆ ଗିରଫଦାରି କେଉଁ ଉଦ୍ଦେଶ୍ୟକୁ ଇଙ୍ଗିତ କରୁଛି? ଯାହା ଫଳରେ ନିକଟରେ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇସ୍ତଫା ଦେଇ ସାରିଛନ୍ତି। ଜାତୀୟ ଗଣମାଧ୍ୟମ ଏ ନେଇ ନ୍ୟୁଜ୍ ପ୍ରସାରଣ କରୁ ବୋଲି ଶ୍ରୀମତୀ ପଣ୍ଡା ଅନୁରୋଧ କରିବା ସହ ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Baijayant-Panda-Jagi-Panda.jpg)