ସାରୁଅ ଜମି ଦୁର୍ନୀତି ମାମଲା : ଓଟିଭି ସିଏଫ୍ଓ ଗିରଫ, ତିନି ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଖୋର୍ଧା ସାରୁଅ ଜମି ଦୁର୍ନୀତି ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚର ଅର୍ଥନୈତକ ଅପରାଧ ଶାଖା(ଇଓଡବ୍ଲୁ) ଓଟିଭି ସିଏଫ୍ଓ(ମୁଖ୍ୟ ବିତ୍ତ ଅଧିକାରୀ) ତଥା ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ(ଓଆଇଟିଏଲ୍)ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଆଜି ଗିରଫ କରିଛି। ଅପରାହ୍ନରେ ମନୋରଞ୍ଜନଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ ଆବାସିକ କୋର୍ଟରେ ହାଜର କରା ଯାଇଥିଲା। ଅଧିକ ପଚରାଉଚରା ଲାଗି ଇଓଡବ୍ଲୁ ଶ୍ରୀ ଷଡ଼ଙ୍ଗୀଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି। ଏ ନେଇ ଇଓଡବ୍ଲୁରେ ଆଇପିସି ଦଫା-୪୨୦, ୪୬୩, ୪୬୭, ୪୬୮, ୪୭୧, ୧୨୦(ବି) ଓ ଏସସି, ଏସଟି ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୦ରେ ଓଟିଭି ଏମ୍‌ଡି ଜାଗିମଙ୍ଗତ ପଣ୍ଡା ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବା ପରେ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ବିଭୁ ରଥ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ୨୦୧୦ ଜୁନ୍ ପରଠାରୁ କମ୍ପାନି ସାରୁଅରେ ଜମି କିଣିବା ଆରମ୍ଭ କରିଥିଲା। ସେଠାରେ ଥିବା ବିପୁଳ ପରିମାଣର ଅନୁସୂଚିତ ଜାତି ବ୍ୟକ୍ତିଙ୍କ ଜମି କିଣିବାକୁ ଚାହିଁଥିଲା କମ୍ପାନି। ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି ଯେପରି ସୁରକ୍ଷିତ ରହିବ ସେଥିପାଇଁ ରାଜସ୍ବ ଆଇନ ରହିଛି। ଯଦି କୌଣସି କମ୍ପାନିକୁ ବିକ୍ରି କରାଯାଏ ତା’ହେଲେ ଉପଯୁକ୍ତ ପ୍ରକ୍ରିୟାକୁ ମାନିବାକୁ ବାଧ୍ୟ। କିଣାବିକା ହେଲେ ସମ୍ପୃକ୍ତ ଅନୁସୂଚିତ ଜାତି କିମ୍ବା ଜନଜାତି ଯେପରି ଭୂମିହୀନ ନ ହୁଅନ୍ତି ତାହା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ବୋଲି ଆଇନରେ ଉଲ୍ଲେଖ ରହିଛି। ଆଇନ ଫାଶରେ ନ ପଡ଼ିବା ପାଇଁ ଓଡ଼ିଶା ଇନ୍‌ଫ୍ରାଟେକ୍ ଏହି ଜମିକୁ କୌଶଳକ୍ରମେ କିଣିବାକୁ ଯୋଜନା କରିଥିଲା।

୨୦୧୦ରୁ ୨୦୧୩ ଭିତରେ ଶାଗ ମାଛ ଦରରେ ଜମି କିଣାଯାଇଥିଲା। ୨୦୧୦ରେ ଅତି କମ୍ ଦରମା ପାଉଥିବା କମ୍ପାନିର ଜଣେ ନିର୍ଦ୍ଦେଶକଙ୍କର ଡ୍ରାଇଭର ଥିବା ରବି ସେଠୀ ନାଁରେ ପ୍ରାୟ ବିପୁ​ଳ ପରିମାଣର ଜମି କିଣା ଯାଇଥିଲା। କିନ୍ତୁ ଜମିର ମାଲିକାନା ରବିଙ୍କ ପରିବର୍ତ୍ତେ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଥିଲା। ରବି ଅନୁସୂଚିତ ଜାତିର ହୋଇଥିବା ବେଳେ କେବଳ ଅନୁସୂଚିତ ଜାତି ବ୍ୟକ୍ତିଙ୍କ ଜମି କିଣାବିକା ପାଇଁ ତାଙ୍କୁ ବ୍ୟବହାର କରାଯାଉଥିଲା ବୋଲି ଇଓଡବ୍ଲୁ ତଦନ୍ତ ବେଳେ ଜାଣିବାକୁ ପାଇଛି। ସେହିପରି ରବି ଏବଂ ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡର ଠିକଣା(ସି-୧, ଚନ୍ଦ୍ରଶେଖରପୁର) ମଧ୍ୟ ସମାନ ରହିଥିଲା। ରବିଙ୍କ ବୟାନ ଅନୁସାରେ ତାଙ୍କୁ ବିଭିନ୍ନ ଅଧିକାରୀଙ୍କ ପାଖକୁ ନିଆଯାଇ ବିଭିନ୍ନ କାଗଜପତ୍ରରେ ତାଙ୍କର ଦସ୍ତଖତ ନିଆ ଯାଉଥିଲା। ସେଥିରେ କ’ଣ ଲେଖା ଥିଲା ସେ ଜାଣି ନ ଥିଲେ। ସେଲ୍‌ଡିଡ୍‌ରେ ୬୫ ଲକ୍ଷ ଟଙ୍କା ଉଲ୍ଲେଖ ରହିଥିଲା ବେଳେ ଏଥିଲାଗି ରବିଙ୍କୁ ୨ରୁ ୩ ଲକ୍ଷ ଟଙ୍କା ମିଳିବ ବୋଲି କୁହା ଯାଇଥିଲା। କିନ୍ତୁ ଏ ବାବଦରେ ଟଙ୍କାଟିଏ ମଧ୍ୟ ମିଳି ନ ଥିଲା। କାଗଜପତ୍ରରେ ଦସ୍ତଖତ ନ କଲେ ଚାକିରି ଯିବାର ଭୟ ମଧ୍ୟ ଦେଖା ଯାଇଥିଲା ବୋଲି ରବି ତାଙ୍କ ବୟାନରେ କହିଛନ୍ତି। ଜମି କିଣାବିକା ଜାଲିଆତି ସମ୍ପର୍କରେ ରବି ଓ ବିକ୍ରେତା ଖୋର୍ଧା ଜିଲ୍ଲାପାଳଙ୍କ ନିକଟରେ ପୃଥକ ଭାବେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ଗତ ଅକ୍ଟୋବର ୧୪ ତାରିଖରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୧୫ ଦିନ ଧରି କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପରେ ସାରୁଅ ଜମି ଜାଲିଆତିର ପର୍ଦ୍ଦାଫାସ୍ କରିଛି।

ଅନ୍ୟପକ୍ଷରେ ଓଟିଭି ପକ୍ଷରୁ କୁହାଯାଇଛି, ବିନା ନୋଟିସରେ ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରାଯିବା ଘଟଣାରୁ ଓଟିଭି ଉପରେ ରାଜ୍ୟ ସରକାରଙ୍କ ଆକ୍ରୋଶ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଓଟିଭି ତଥ୍ୟ ଭିତ୍ତିକ ଓ ନିର୍ଭୀକ ଖବର ପ୍ରସାରଣ କରୁଥିବାରୁ ରାଜ୍ୟ ସରକାର ନିଜର ଅସନ୍ତୋଷ ଜାହିର କରୁଛନ୍ତି। ଗତ ଦୁଇ ମାସ ଭିତରେ ଓଟିଭି ବିରୋଧରେ ୧୩ଟି ମିଥ୍ୟା ମାମଲା ରୁଜୁ କରାଯାଇଛି। ସେଥିରୁ କିଛି ମାମଲାରେ କୋର୍ଟଙ୍କ ଦ୍ବାରା ଅନ୍ତରୀଣ ସୁରକ୍ଷା ମଧ୍ୟ ମିଳିଛି ବୋଲି ଓଟିଭିର ଅପରେଟିଂ ଅଫିସର ଲିତିଶା ମଙ୍ଗତ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର