ସାରୁଅରେ ବିବାଦୀୟ ଜମିରେ ପ୍ରଶାସନ ପକ୍ଷରୁ ପାଚେରି ଭଙ୍ଗାଗଲା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଶିଳ୍ପାଞ୍ଚଳରେ ‘ଓଟିଭି’ ବିବାଦୀୟ ଜମିରେ ପ୍ରଶାସନ ପାଚେରି ଭାଙ୍ଗିବା ପ୍ରକ୍ରିୟା ଜାରି ରହିଛି । ସ୍ଥାନୀୟ ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାକାମ ଜାରି ରହିଥିବାର ଖବର ମିଳିଛି। ଗାଁ ଲୋକଙ୍କ ଅଭିଯୋଗ ଆଧାରରେ ପ୍ରଶାସନ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।
ଓଟିଭିର ବିବାଦୀୟ ଜମି ଚାଷଜମି ଓ ପୋଖରୀ ରାସ୍ତାକୁ ଅବରୋଧ କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକେ ଖୋର୍ଦ୍ଧା ପ୍ରାଶାସନ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବିବାଦୀୟ ଜମିରେ ମାପଚୁପ ବି କରିଥିଲା ପ୍ରଶାସନ ।
ଏଣେ ସାରୁଅରେ ଓଟିଭି ଜମି ଜବରଦଖଲ ମାମଲାର ତଦନ୍ତ କରୁଛି କ୍ରାଇମ୍ ବ୍ରାଞ୍ଚ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଜମି କିଣା ବିକାରେ ଅନିୟମିତତା ଅଭିଯୋଗ ହୋଇଥିବା ଜିଲ୍ଲାପାଳଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି । ସାରୁଅରେ ବର୍ଷ ବର୍ଷ ଧରି ଜମି ଜବରଦଖଲ କରି ବେନାମୀ ଟଙ୍କା କାରବାର ଚାଲିଥିବା ରିପୋର୍ଟରୁ ଜଣାପଡ଼ିଛି।


ଏଥିପାଇଁ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରାଯାଇଥିବା କୁହାଯାଇଛି। ଜମି ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କର ହୋଇଥିବା ବେଳେ ବେନାମୀ ଦେଣନେଣ ଜରିଆରେ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ନାଁରେ ଜମି କିଣାଯାଇଥିଲା । ଅରଟେଲର ଜଣେ ପୂର୍ବତନ ଡ୍ରାଇଭର୍ ରବୀନ୍ଦ୍ର କୁମାର ସେଠୀଙ୍କ ମାଧ୍ୟମରେ ଏହି ଟଙ୍କା କାରବାର ହୋଇଥିଲା ।
ଗତ ୧୨ ତାରିଖରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଏକ ଚିଠି ଲେଖି କାରସାଦି ବିବାଦର ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।ରବୀନ୍ଦ୍ର କୁମାର ସେଠୀ, ଯାହାଙ୍କ ଜରିଆରେ ଏହି କାରବାର ହୋଇଥିଲା, ସେ ଆଣିଥିବା ଅଭିଯୋଗ ଆଧାରରେ ତଦନ୍ତ ଆଗକୁ ବଢିଥିଲା । ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଥିଲା ଯେ, ଜମି କିଣାବିକା ଅତି ଚତୁରତା ସହିତ ଗୁପ୍ତ ଓ ବେଆଇନ୍ ଭାବେ କରାଯାଇଥିଲା । ଅପରାଧିକ ଷଡ଼ଯନ୍ତ୍ର ଏବଂ ଓଡ଼ିଶା ଭୂ-ଆଇନରୁ ବର୍ତିବା ପାଇଁ ରାସ୍ତା ଆପଣାଯାଇଥିଲା। ବର୍ଷ ବର୍ଷ ଧରି ଜଣେ ଅନୁସୂଚିତ ବର୍ଗର ବ୍ୟକ୍ତିଙ୍କୁ ବ୍ୟବହାର କରି ବେନାମୀ ଦେଣନେଣ ଚାଲିଥିଲା।

 

 

ସମ୍ବନ୍ଧିତ ଖବର