ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ସାରାରାଜ୍ୟରେ ଚର୍ଚ୍ଚା ଖେଳାଇ ଦେଇଥିଲା। ଏହି ଘଟଣାରେ ନ୍ୟାୟ ନ ମିଳିବାରୁ ସ୍ମିତାରାଣୀଙ୍କ ପରିବାର ଧର୍ମଶାଳା ଛାଡ଼ିଥିଲେ। ଗତ ଶନିବାର ଦିନ ବୋମାମାଡ଼ର ଶିକାର ହୋଇ ଚିକିତ୍ସିତ ହେଉଥିବା ସାମାଜିକ କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହେରାଙ୍କ ପରିବାର ବି ଧର୍ମଶାଳା ଛାଡ଼ିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

Advertisment

ସର୍ବେଶ୍ବରଙ୍କ ପୁଅ ଅଭିଷେକ ବେହୁରା ବୁଧବାର ଦିନ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ବାପାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ୫ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍‌ ଅପରାଧୀଙ୍କ ନିକଟରେ ପହଞ୍ଚି ପାରିନାହିଁ। ପରିବାର ଅସୁରକ୍ଷିତ ମନେ କରୁଥିବାରୁ ସେମାନେ ଧର୍ମଶାଳା ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି।

ଅନ୍ୟପକ୍ଷରେ, ସର୍ବେଶ୍ବରଙ୍କ ଘରକୁ ପୁଲିସ ଏବେ ଜଗୁଥିବା ବେଳେ ୬ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା ଜାରି ରହିଛି। ତଥାପି ଅପରାଧୀଙ୍କ ନିକଟରେ ପୁଲିସ ପହଞ୍ଚି ପାରିନାହିଁ। ଧର୍ମଶାଳା ପୁଲିସ କାହା ଚାପରେ ଚେପା ହୋଇ ତଦନ୍ତକୁ ବାଟବଣା କରିବାରେ ଲାଗିଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଦଲାଲ ଓ ମାଫିଆଙ୍କ ନିୟନ୍ତ୍ରଣରେ ଥିବା ଧର୍ମଶାଳା ଥାନା ଅଞ୍ଚଳରେ ଅନେକ ସମ୍ବେଦନଶୀଳ ଅପରାଧ ଲଗାତାର ଘଟି ଚାଲିଥିବା ବେଳେ ସ୍ଥାନୀୟ ପୁଲିସର ଅପାରଗତାକୁ ଉଚ୍ଚ ପଦାଧିକାରୀ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି। ଯାହାର ଫଳସ୍ବରୂପ ଏଠାରେ ଅପରାଧ ବଢ଼ି ଚାଲିଛି। ଆଉ ପୁଲିସର ସ୍ଥାଣୁତାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ହେଉଛି। ଲଘୁ ଖଣିଜ ସମ୍ପଦରେ ସମୃଦ୍ଧ ଧର୍ମଶାଳାରେ ଏବେ ମାଫିଆ ରାଜ୍‌ ଚାଲିଛି। କୋଟି କୋଟି ଟଙ୍କାର କଳାପଥର, ମୋରମ, ମାଟି ଓ ବାଲି ଲୁଟ୍‌ କରି ଅପରାଧୀମାନେ କଳା ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି।

ଏଠ‌ାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୭ତାରିଖ ସଂଧ୍ୟାରେ ସର୍ବେଶ୍ବରଙ୍କ ଗାଡ଼ି ଉପରକୁ ବୋମାମାଡ଼ କରି ହତ୍ୟା କରିବାକୁ ଷଡ଼୍‌ଯନ୍ତ୍ର କରାଯାଇଥି‌ଲା। ସର୍ବେଶ୍ବରଙ୍କୁ ହତ୍ୟା ପାଇଁ ସୁପାରି କିଲରଙ୍କ ସହାୟତା ନିଆଯାଇଥିବା ମଧ୍ୟ ଆଲୋଚନା ହେଉଛି।