ଭୁବନେଶ୍ୱର: ସ୍ୱାଧୀନତା ପରେ କ୍ଷମତାକୁ ପାଦରେ ଆଡ଼େଇ ଦେଇ ସମତା ଓ ସର୍ବୋଦୟ ମୂଳକ ନୂଆ ଭାରତର ନିର୍ମାଣ ପାଇଁ ଅନେକ ସଂଗ୍ରାମୀ ଆଗେଇ ଆସିଥିଲେ। ଗାନ୍ଧୀଜୀଙ୍କ ପ୍ରଦର୍ଶିତ ପଥରେ ବିନୋବା ଭାବେ, ଲୋକନାୟକ ଜୟପ୍ରକାଶ ତଥା ଓଡ଼ିଶାରେ ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁ ହୋତା, ମାଳତୀ ଦେବୀ, ନବକୃଷ୍ଣ ଚୌଧୁରୀ ଆଦିଙ୍କ ନେତୃତ୍ୱରେ ହୋଇଥିବା ସର୍ବୋଦୟ ଆନ୍ଦୋଳନର ହଜାର ହଜାର କର୍ମୀ ଜୀବନବ୍ୟାପୀ ସାଧନା କରି ଯାଇଛନ୍ତି। ତାହା ଆଜି ଲିପିବଦ୍ଧ ହୋଇ ପ୍ରକାଶିତ ହେବା ଦ୍ୱାରା ଓଡ଼ିଶା ଇତିହାସ ଆହୁରି ସମୃଦ୍ଧ ହୋଇଛି। ଏହି ଗ୍ରନ୍ଥ ତ୍ୟାଗ ଓ ନିର୍ମାଣର ବାର୍ତ୍ତା ବହନ କରୁଛି। ବିଶିଷ୍ଟ ଐତିହାସିକ ଡ. ପ୍ରଶାନ୍ତ କୁମାର ପ୍ରଧାନଙ୍କ ଦ୍ୱାରା ଲିଖିତ ‘ଓଡ଼ିଶାରେ ସର୍ବୋଦୟ ଆନ୍ଦୋଳନ (୧୯୪୮ରୁ ୨୦୧୦) ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ସର୍ବସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ।
ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲୋହିଆ ଏକାଡେମିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ପ୍ରମେୟ’ର ସମ୍ପାଦକ(ଫିଚର) ସୁଭାଷ ଚନ୍ଦ୍ର ଶତପଥୀ କହିଲେ, ୫୦ରୁ ଅଶି ଦଶକ ମଧ୍ୟରେ ସାମ୍ରାଜ୍ୟବାଦ ଯେଉଁ ଢଙ୍ଗରେ ଆସୁଥିଲା, ବର୍ତ୍ତମାନ ଆହୁରି ଶାଣିତ ଢଙ୍ଗରେ ଆମ ସମାଜକୁ କବଳିତ କରୁଛି। ତେଣୁ ସର୍ବୋଦୟ ଆନ୍ଦୋଳନକୁ ଆହୁରି ଶାଣିତ ଓ ତୀବ୍ର କରିବାକୁ ହେବ।

Advertisment

‘ଓଡ଼ିଶାରେ ସର୍ବୋଦୟ ଆନ୍ଦୋଳନ’ ପୁସ୍ତକ ଲୋକାର୍ପିତ 

 ସେହିପରି ମୁଖ୍ୟ ଅତିଥି ତଥା ଗ୍ରିନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଭୂଦାନ ଗ୍ରାମଦାନ ଆନ୍ଦୋଳନର ବର୍ତ୍ତମାନ ପିଢ଼ିକୁ କର୍ପୋରେଟ ଜମି ଲୁଟ୍‌ ବିରୋଧରେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଇଥିଲେ। ବାଜି ରାଉତ ଛାତ୍ରାବାସର ସଭାପତି ଶୈଳଜ ରବି ପୁସ୍ତକର ସମୀକ୍ଷା କରି ଏକ ବିଚାରବନ୍ତ ସମର୍ପିତ ଗୋଷ୍ଠୀ ଭୂଦାନ ଗ୍ରାମଦାନ ଆନ୍ଦୋଳନ, ଜରୁରିକାଳୀନ ପରିସ୍ଥିତି, ସ୍ୱାଧୀନତା ବଞ୍ଚାଅ ଆନ୍ଦୋଳନ, ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରମୁଖ ପୁସ୍ତକରେ ସ୍ଥାନ ପାଇଥିବା କହିଥିଲେ। ଏହି ଅବସରରେ ପ୍ରଶାନ୍ତ କୁମାର ପ୍ରଧାନ, ରମାକାନ୍ତ ସାମନ୍ତରାୟ ଓ ମାନସ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ଲେଖିକା ଝରଣା ପଟ୍ଟନାୟକ, ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ‘ନିଧି’ର ସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଗାନ୍ଧୀ ସ୍ମାରକ ନିଧି ପ୍ରକାଶନ ସମିତିର ସଂଯୋଜକ ଡା. ବିଶ୍ୱଜିତ ସଭା ସଂଚାଳନ କରିଥିବା ବେଳେ ମାନସ ପଟ୍ଟନାୟକ ଧନ୍ୟବାଦ ଏବଂ ଲିପିକା ମହାପାତ୍ର, ସୂର୍ଯ୍ୟ ନାରାୟଣ ନାଥ ଓ ଅନିମା ରାୟ ପ୍ରମୁଖ ସର୍ବଧର୍ମ ପ୍ରାର୍ଥନା ଆବୃତ୍ତି କରିଥିଲେ। ଏହି ସଭାରେ ସମଗ୍ର ରାଜ୍ୟରୁ ଶତାଧିକ ସର୍ବୋଦୟ କର୍ମୀ ଓ ସେମାନଙ୍କ ପରିବାର ବର୍ଗ ଯୋଗଦେଇଥିଲେ।