ସମ୍ବଲପୁର/ରେଂଗାଲି : ରହସ୍ୟଜନକ ପରିସ୍ଥିତିରେ ଶାସନ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣା ଅଧିକ ଜଟିଳ ହେବାରେ ଲାଗିଛି। ବିଶେଷ କରି ପୀଡ଼ିତାଙ୍କ ମୃତଦେହ ମିଳିବାର ଅଳ୍ପ ସମୟ ପୂର୍ବରୁ ଦୁଇ ଜଣ ହେଲମେଟ୍‌ ପିନ୍ଧା ଅଜଣା ଯୁବକ ତାଙ୍କ ଘର ନିକଟକୁ ଆସିଥିବା ଓ ନାବାଳିକାର ସାନଭାଇ ସଂପର୍କରେ ପଚରାଉଚୁରା କରିଥିବାର ସୂଚନା ମିଳିଛି। ଏହି ହେଲ୍‌ମେଟ୍‌ ପିନ୍ଧା ଯୁବକମାନେ କିଏ ଓ କାହିଁକି ସେଠାକୁ ଆସିଥିଲେ ବୋଲି ଏବେ ପ୍ରଶ୍ନ ଉଠିବା ସହ ନାବାଳିକାର ମୃତ୍ୟୁ ନେଇ ନାନା ସନ୍ଦେହ ଉଙ୍କି ମାରିଛି। ପୀଡ଼ିତାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା ସହ ଏମାନଙ୍କ ସଂପୃକ୍ତି ନେଇ ମଧ୍ୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ପୁଲିସ ଏହି ଘଟଣାରେ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଉଥିବା କହିଛି।

Advertisment

ଗଣଦୁଷ୍କର୍ମର ଶିକାର ହୋଇଥିବା ଏହି ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ଗତ ୨୩ ମେ ସନ୍ଧ୍ୟା ସାଢ଼େ ୬ଟାରେ ତାଙ୍କ ଭଡ଼ାଘରରୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାର ୨ଘଣ୍ଟା ପୂର୍ବରୁ ଏକ ବାଇକ୍‌ରେ ଦୁଇ ଜଣ ସନ୍ଦିଗ୍ଧ ଯୁବକ ସେଠାକୁ ଆସିଥିଲେ। ପୀଡ଼ିତାଙ୍କ ଘର ସାମ୍‌ନାରେ ଖେଳୁଥିବା ଜଣେ ବାଳକଙ୍କୁ ହେଲ୍‌ମେଟ ପିନ୍ଧା ଏହି ଦୁଇ ଯୁବକ ପୀଡ଼ିତାଙ୍କ ପିତାଙ୍କ ନାମ ନେଇ ତାଙ୍କ ପୁଅ କି ବୋଲି ପଚାରି ଥିଲେ। ସେମାନେ ପୁଣି, ପୀଡ଼ିତାଙ୍କ ସାନଭାଇର ନାମ ଉଲ୍ଲେଖ କରି ‘ତୋର ନାମ ଏଇୟା କି’ ବୋଲି ପଚାରିଥିଲେ। ବାଳକ ଜଣକ ମନା କରିଥିଲା। ଏହା ପରେ ଅନ୍ୟ କିଛି କଥା କହି ତୁରନ୍ତ ସେଠାରୁ ଚାଲି ଯାଇଥିଲେ। ଏହି ଘଟଣା ସଂକ୍ରାନ୍ତରେ ଉକ୍ତ ବାଳକ ଜଣକ ତାଙ୍କ ଘରକୁ ଯାଇ ଜଣେଇଥିଲା ବୋଲି ପୀଡ଼ିତାଙ୍କ ବାପା ଆଜି ଗଣମାଧ୍ୟମକୁ କହିଛନ୍ତି। କେବଳ ସେତିକି ନୁହେଁ, ୨୨ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ତାଙ୍କ ଘରକୁ ଏକ ଫୋନ୍‌ କଲ୍‌ ଆସିଥିବା କଥା ମଧ୍ୟ ସେ ଦର୍ଶାଇଛନ୍ତି। ମାତ୍ର ଏହାପରେ ଏଭଳି କିଛି ଅଘଟଣ ଘଟିବ ବୋଲି ସେ ଆଶା କରି ନ ଥିଲେ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ଅପରପକ୍ଷରେ ଗୁରୁବାର ବୁର୍ଲା ଡାକ୍ତରଖାନାରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।