ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଜିଲ୍ଲା କରିବାର ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଧର୍ମେନ୍ଦ୍ର କହିବା ପରେ ବିଜେଡି ସାଂସଦ ସିଧା ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହାପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସସ୍ମିତଙ୍କୁ ଟାର୍ଗେଟ୍ କରିଛନ୍ତି। ନବୀନଙ୍କ ପାଇଁ ସସ୍ମିତ ଓ ଧର୍ମେନ୍ଦ୍ରଙ୍କ ପାଇଁ ମୁକେଶଙ୍କ ମଧ୍ୟରେ କଥା କଟାକଟି ଏବେ ରାଜନୀତିକୁ ସରଗରମ କରିଛି।
ଶନିବାର ଦିନ ସାଂସଦ ଶ୍ରୀ ପାତ୍ର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ପଦ୍ମପୁରବାସୀଙ୍କ ପ୍ରତି ରହିଛି। ତୁମେ ଯଦି ରେଳ ଲାଇନ ପକାଇପାରିବ ନାହିଁ, ତେବେ ଓଡ଼ିଶାରୁ ପ୍ରତିବର୍ଷ ୩୦ ହଜାର ଟଙ୍କା କାହିଁକି ନେଉଛ? ଓଡ଼ିଶାର ପଇସା ଓଡ଼ିଶାରେ ରହିଲେ ରାଜ୍ୟ ସରକାର ରେଳ ଲାଇନ ପକାଇଦେବେ। ପଦ୍ମପୁର ଜିଲ୍ଲା ଗଠନ ଏବଂ ପାଇକମାଳର ଏନ୍ଏସି ଗଠନରେ ମୁଖ୍ୟମନ୍ତ୍ରୀ ସକାରାତ୍ମକ ବକ୍ତବ୍ୟ ଦେଇଛନ୍ତି। ପଦ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ଏହାକୁ ସ୍ୱାଗତ କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ସଙ୍କଳ୍ପବଦ୍ଧତା ଏବଂ ପଦ୍ମପୁରର ଉନ୍ନତିକୁ କଟାକ୍ଷ କରିଛନ୍ତି। ବିଜେପୁରରେ ଜଳସେଚନ ହେଇନଥିବା କଥା କେନ୍ଦ୍ରମନ୍ତ୍ରୀ କହିଛନ୍ତି। କିନ୍ତୁ ରାଜ୍ୟ ସରକାର ଡିସେମ୍ବର୨୦୨୩ ରେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବେ। ସେଦିନ କେନ୍ଦ୍ରମନ୍ତ୍ରୀ ଦେଖିବେ କିପରି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉଛି। କିପରି ଚାଷୀଙ୍କ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଛନ୍ତି।
ସସ୍ମିତଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ୍ ରଖି ବିଜେପିର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସସ୍ମିତ ବାବୁ ମିଛକୁ ବାରମ୍ବାର ବଡ ପାଟିରେ କହିଲେ ତାହା ସତ ହେବ ନାହିଁ। ମୁଖ୍ୟମନ୍ତ୍ରୀ ଗତକାଲି ଯେଉଁ ମିଛ କହିଥିଲେ ଆଜି ସସ୍ମିତ ବାବୁଙ୍କର ମିଛ ତାକୁ ବଳିଗଲା। ପଦ୍ମପୁରରେ ବିଜେଡି ହାରିବା ଜାଣି ସସ୍ମିତ ବାବୁ ଏବେ ମୁଖ୍ୟମନ୍ତ୍ରୀଙ୍କର ଛବି ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି। କେନ୍ଦୁପତ୍ରରୁ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଆୟ କରୁଥିବା ବେଳେ ନିଜେ ନେଉଥିବା ୯% ଜିଏସ୍ଟି ଛାଡ଼ କରିବା କଥା କହିଲେ ବିଜେଡି ନାହି ଡେଉଁଛି କାହିଁକି? ବିନା ଜମିରେ ରେଳ ପ୍ରକଳ୍ପ କାମ ଆରମ୍ଭ ହୋଇପାରେ କି? ୧୧ମାସରେ ରାଜ୍ୟ ସରକାର ପଦ୍ମପୁର ରେଳ ପ୍ରକଳ୍ପ ପାଇଁ କେତେ ଜମି ଚିହ୍ନଟ କରି ହସ୍ତାନ୍ତର କରିଛନ୍ତି ତାହାର ଉତ୍ତର ଶ୍ରୀ ପାତ୍ର ରଖିବେ କି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ପ୍ରତି ପ୍ରତିବଦ୍ଧତା ସାରା ଓଡ଼ିଶା ଜାଣିଛି। ରାଜ୍ୟ ରାଜସ୍ୱ ମନ୍ତ୍ରୀ ନୂତନ ଜିଲ୍ଲା ଗଠନ କରିବାର ଯୋଜନା ନଥିବା ନେଇ ବିଧାନସଭାରେ କହିଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀ ପୁଣି ଗତକାଲି ପଦ୍ମପୁର ଜିଲ୍ଲା ୨୦୨୩ ସୁଦ୍ଧା କରିବା କହି ପଦ୍ମପୁରବାସୀଙ୍କ ସହ ମିଛ ଛଳନା କାହିଁକି କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।