ବିଜେପି ଇସ୍ତାହାର ମିଛ ପ୍ରତିଶ୍ରୁତିର ଦସ୍ତାବିଜ୍: ବିଜେଡି

ଭୁବନେଶ୍ବର : ୨୦୧୪ ନିର୍ବାଚନୀ ଇସ୍ତାହାରରେ ଯେଉଁଭଳି ମିଛ ପ୍ରତିଶ୍ରୁତି ଦେଇଥିଲେ ତାଠୁ ବିଜେପିର ୨୦୧୯ ନିର୍ବାଚନୀ ଇସ୍ତାହାର ବଳି ପଡ଼ିଛି। ପାଲଟା ବିଜେପିକୁ ୧୫ଟି ପ୍ରଶ୍ନ କରି ରାଜ୍ୟବାସୀଙ୍କୁ ଉତ୍ତର ଦେବାକୁ ବିେଜଡି ଆହ୍ବାନ କରିଛି। ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ ୨୦୧୪ରେ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏଥର ଇସ୍ତାହାରରେ ଛାଡ଼ିଦେଲା କାହିଁକି? କେତେକାଳ ଓଡ଼ିଶାବାସୀଙ୍କୁ ବିଜେପି ଏମିତି ବୋକା ବନାଇବାକୁ ଉଦ୍ୟମ କରିବ ବୋଲି ବିଜେଡି ପ୍ରଶ୍ନ କରିଛି। ସେହିପରି ବ୍ରାହ୍ମଣୀ ସେତୁ, ସୁପର ସ୍ପେଶାଆଲିଟି ହସ୍ପିଟାଲ ଏବଂ ଆଇଜିଏଚ ମେଡିକାଲ କଲେଜ ପ୍ରତିଷ୍ଠାର ପ୍ରତିଶ୍ରୁତି କାହିଁକି ୨୦୧୯ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ପାଇନି? ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗରେ ବିଜେପି ଇସ୍ତାହାର ଚୁପ ଥିବାବେଳେ ଓଡ଼ିଶା ବାର୍ଷିକ ୨୦ ହଜାର କୋଟି ରାଜସ୍ବ ଦେଉଥିଲେ ବି ରେଳବାଇରେ ଓଡ଼ିଶା ପ୍ରତି ଅବହେଳା ଓ ଗତ ୫ ବର୍ଷରେ ନୂଆ ଜୁମଲା ଦେଖାଇ ଓଡ଼ିଶାବାସୀଙ୍କୁ ଠକିବାକୁ ଉଦ୍ୟମ କରୁଥିବା ବିଜେଡି ଅଭିଯୋଗ କରିଛି।

ବିଜେଡି ମୁଖପାତ୍ର ଡଃ ପାତ୍ର ଆହୁରି ପ୍ରଶ୍ନ ପଚାରି କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ପ୍ରତିଶ୍ରୁତି ରଖାଗଲାନି କାହିଁକି? ଓଡ଼ିଶାର ବାର୍ଷିକ ବଜେଟ୍ ଯେତେବେଳେ ୧.୨ ଲକ୍ଷ କୋଟି ଥିବାବେଳେ ଜଳସେଚନ ବାବଦରେ ବିଜେପି ୧ ଲକ୍ଷ କୋଟି ଟଙ୍କାର ମିଛ ପ୍ରତିଶ୍ରୁତି ଦେଇଛି କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି। ବାର୍ଷିକ ୨ କୋଟି ଚାକିରି ଏବଂ ସମସ୍ତଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଡଃ ପାତ୍ର ପ୍ରଶ୍ନ କରିଛନ୍ତି। ଜାତୀୟ ରାଜପଥ ବିକାଶ ଓ କୋଷ୍ଟାଲ ହାଇେଵ ନିର୍ମାଣ ପ୍ରସଙ୍ଗରେ ବିଜେପି ଇସ୍ତାହାର ଚୁପ ଥିବାବେଳେ ୩୩ଟି କେନ୍ଦ୍ରୀୟ ଯୋଜନାରେ ଅର୍ଥ କାଟ୍ ଓ ରାଜ୍ୟ ପାଇଁ ଉଦ୍ଦିଷ୍ଟ ୮ଟି ଯୋଜନା ବନ୍ଦ କରିବା ନେଇ କାହିଁକି ଏଥରକ ଇସ୍ତାହାରେ କିଛି ବି ଦର୍ଶାଯାଇନି ବୋଲି ବିଜେଡି କହିଛି। ଆଗାମୀ ୫ ବର୍ଷରେ ୧୫ଟି ବନ୍ଦର ନିର୍ମାଣ ପ୍ରତିଶ୍ରୁତି ଦେବା ଭେଳିକି ବୋଲି ବିଜେଡି ଅଭିଯୋଗ ଉଠାଇଛି। ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର ପ୍ରତିଶ୍ରୁତି ଏକ ବାହାସ୍ଫୋଟ ଓ ଡାହା ମିଛ ବୋଲି ବିଜେଡି ଅଭିଯୋଗ କରିଛି। ଆୟୁଷ୍ମାନ ଓଡ଼ିଶାରେ ଲାଗୁ କରିବାର ପ୍ରତିଶ୍ରୁତି ଦେଇ ମହିଳା ପାଉଥିବା ଟଙ୍କାରୁ ୨ ଲକ୍ଷ ଟଙ୍କା କାଟିଦେବାକୁ ବିେଜପି ଷଡ଼ଯନ୍ତ୍ର କରିଛି। କୋଇଲା ରୟାଲଟି ସଂଶୋଧନ, କ୍ଲିନ୍ ଏନର୍ଜି ସେସ୍ ଏବଂ କୋଇଲା ନିଲାମ ପାଣ୍ଠି ଉପରେ ବିଜେପି ଇସ୍ତାହାର ଚୁପ୍ କାହିଁକି ବୋଲି ବିଜେଡି ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର