ସ୍ୟାଟ୍ ଉଚ୍ଛେଦ ପ୍ରସଂଗ : ଆଇନଜୀବୀଙ୍କ କୋର୍ଟ ବର୍ଜନ

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦ ପ୍ରସଂଗକୁ ନେଇ ଶୁକ୍ରବାର ଦିନ ଆଇନଜୀବୀମାନେ କୋର୍ଟ ବର୍ଜନ କରିଛନ୍ତି। ପୂର୍ବ ନିଷ୍ପତ୍ତି ଅନୁସାରେ ଆଇନଜୀବୀମାନେ ଆଜି କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁ ହାଇକୋର୍ଟ, କ୍ୟାଟ୍, ଡିଆରଟି, ଜିଲ୍ଲା ଅଦାଲତ ସହିତ ନିମ୍ନ ଅଦାଲତ, ଖାଉଟି କମିସନରେ ଅଚଳାବସ୍ଥା ଦେଖା ଦେଇଥିଲା। ଅଦାଲତରେ ବିଚାରପତି ଥିବାବେଳେ ଆଇନଜୀବୀଙ୍କ ଅନୁପସ୍ଥିତି ଯୋଗୁ ମାମଲା ଗୁଡିକର ଶୁଣାଣି ହୋଇ ପାରି ନଥିଲା।

ସ୍ୟାଟ୍ ଉଚ୍ଛେଦ ପ୍ରସଂଗକୁ ନେଇ ଅଗଷ୍ଟ ୯ ତାରିଖରେ ଦିନିକିଆ କୋର୍ଟ ବର୍ଜନ ଆନ୍ଦୋଳନ କରିବା ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍, କଟକ ବାର୍, କ୍ରିମିନାଲ କୋର୍ଟସ୍ ବାର୍ ଆସୋସିଏସନ୍ ଓ ଅନ୍ୟ ଆଇନଜୀବୀ ସଂଘ ଗୁଡିକ ଗତକାଲି ନିଷ୍ପତ୍ତି ନେଇଥିଲେ।

ପ୍ରକାଶଥାଉକି, କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ ନୋଟିଫିକେସନ୍ ଅଗଷ୍ଟ ୨ରେ ପ୍ରକାଶ ପାଇଥିଲା। ସ୍ୟାଟ୍ ଉଚ୍ଛେଦ ସହିତ ସ୍ୟାଟ୍‌ରେ ବିଚାରାଧୀନ ମାମଲା ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାକୁ ଆଇନଜୀବୀମାନେ ବିରୋଧ କରୁଛନ୍ତି। ସ୍ୟାଟ୍ ଉଚ୍ଛେଦ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଏବେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର