ଭେଣ୍ଟିଲେଟର୍‌ରେ ସ୍ୟାଟ୍‌, ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଯିବ ସ୍ୟାଟ୍‌

ସଂସଦର ଅନୁମୋଦନ ଅପେକ୍ଷାରେ ରାଜ୍ୟ ସରକାର!

ଭୁବନେଶ୍ବର: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ ଅର୍ଥାତ୍ ସ୍ୟାଟ୍ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଯିବ କି? ଏ ସମ୍ପର୍କରେ ରାଜ୍ୟ ସରକାର କୌଣସି ଦୃଷ୍ଟି ନଦେବା ଯୋଗୁ ଏହିଭଳି ଧାରଣା ସୃଷ୍ଟି ହୋଇଛି। ସ୍ୟାଟ୍‌ ପକ୍ଷରୁ ନା କୋର୍ଟ ବସୁଛି ନା ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଫଳରେ, ୫୮,୧୭୪ ମାମଲାର ଭବିଷ୍ୟତ ଏବେ ଅନ୍ଧାରରେ ରହିଛି। ଶହଶହ ଆବେଦନକାରୀ ବି ଘୋର୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗକୁ ରାଜ୍ୟର ତଳିଆ କର୍ମଚାରୀ ଏବଂ ବେକାର ଯୁବକ,ଯୁବତୀମାନେ ନାହିଁ ନଥିବା ହଇରାଣ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ବିଚାରପତି ନିଯୁକ୍ତି ପାଇଁ ପଦକ୍ଷେପ ନେବା ସହିତ ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

୧୯୮୬ ମସିହାରେ କେନ୍ଦ୍ରୀୟ ଆଇନ୍ ବଳରେ ଓଡ଼ିଶାରେ ସ୍ୟାଟ୍‌ ଗଠିତ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା, ସରକାରୀ କର୍ମଚାରୀଙ୍କ ଅଭିଯୋଗ ଓ ଆପତ୍ତିର ଯଥାଶୀଘ୍ର ବିଚାର କରି ନ୍ୟାୟ ପ୍ରଦାନ କରିବା। ଏହା ଭିତରେ ତେତିଶ ବର୍ଷ ଅତିକ୍ରମ ହୋଇସାରିଛି। ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ସ୍ୟାଟ୍‌ରେ ଫଇସଲା ହୋଇ ଅନେକ ଐତିହାସିକ ରାୟ ପ୍ରକାଶ ପାଇଛି। ଏହା ଯୋଗୁଁ ଅନେକ ସରକାରୀ କର୍ମଚାରୀ ମୁଖ୍ୟତଃ ତଳିଆ କର୍ମଚାରୀ ଏବଂ ଅନେକ ବେକାର ଯୁବକ ଓ ଯୁବତୀ ସୁଫଳ ପାଇଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ସ୍ୟାଟ୍‌ର ଅଧିକାଂଶ ଆଦେଶ ଉଚ୍ଚ ନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟରେ କାଏମ୍ ରହି ଆସୁଅଛି।

୪ ବର୍ଷ ତଳେ ଅର୍ଥାତ୍‌ ୨୦୧୫ ମସିହା ସେପ୍ଟେମ୍ବର ମାସରେ ସ୍ୟାଟ୍‌ ଉଚ୍ଛେଦ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଗୃହୀତ ହୋଇ କେନ୍ଦ୍ରୀୟ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ସେତେବେଳେ ଉଚ୍ଚତମ ନ୍ୟାୟାଳୟ ଏଲ୍.ଚନ୍ଦ୍ରକୁମାର ମାମଲାରେ ଦେଇଥିବା ଆଦେଶକୁ ଉଲ୍ଲେଖ କରାଯାଇଥିଲା। ଆହୁରି ସ୍ୟାଟ୍‌ର ମିଶ୍ରଣ ଉଚ୍ଚ ନ୍ୟାୟାଳୟ ସହିତ କରାଯିବ ବୋଲି ଗଣମାଧ୍ୟମକୁ ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଥିଲା। ଯେହେତୁ ଉଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମୋଦନରେ ଏହି ପ୍ରସ୍ତାବ ପଠାଯାଇଥିଲା, କେନ୍ଦ୍ର ସରକାର କେତେକ ସ୍ପଷ୍ଟୀକରଣ ଚାହିଁଲେ। ଏଲ୍. ଚନ୍ଦ୍ରକୁମାର ମାମଲାରେ ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ଭିତରେ ଉଚ୍ଚ ନ୍ୟାୟାଳୟଙ୍କ ନ୍ୟାୟ ପ୍ରଦାନରେ ବିଧି ସଙ୍ଗତ କ୍ଷମତା ଓ କ୍ଷେତ୍ରାକାର ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ ସ୍ୟାଟ୍‌ ତଥା ଅନ୍ୟ କୌଣସି ଅଦାଲତର ଉଚ୍ଛେଦ କଥା ବ୍ୟାଖ୍ୟା କରାଯାଇନାହିଁ। ଏଣୁ ରାଜ୍ୟ ସରକାର ଏଲ୍ ଚନ୍ଦ୍ରକୁମାର ମାମଲାରେ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ରାୟକୁ ଭିତ୍ତି କରି ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ନେବା, ସେତେବେଳେ ତଥ୍ୟାଭିଜ୍ଞ ମହଲରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। ଆଇନଜୀବୀମାନେ ଏହାକୁ ଆଇନର ଭୁଲ୍‌ ବିଶ୍ଳେଷଣ ବୋଲି ସମାଲୋଚନା କରିଥିଲେ।ମାତ୍ର, ଏହାଭିତରେ ଉଚ୍ଚ ନ୍ୟାୟାଳୟ, ରାଜ୍ୟ ସରକାରଙ୍କ ସ୍ୟାଟ୍‌ ଉଚ୍ଛେଦ ପ୍ରସ୍ତାବକୁ ପ୍ରଶାସନିକ ଅନୁମୋଦନ ଦେଇସାରିଥିବାବେଳେ, କେନ୍ଦ୍ର ସରକାର ମଧ୍ୟ ଆପାତତଃ ଅନୁମୋଦନ ପ୍ରଦାନ କରିସାରିଛନ୍ତି। କେବଳ ସ୍ୟାଟରେ ବିଚାରାଧୀନ ମକଦ୍ଦମା ଗୁଡିକ କେଉଁଠି ବିଚାର ହେବ, ତାହା ସ୍ଥିର ହୋଇନାହିଁ। ସଂସଦର ଅନୁମୋଦନ କ୍ରମେ ଏହା ଉଚ୍ଛେଦ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଖାଲିଥିବା ୭ ବିଚାରପତି ପଦ ପୂରଣ ହେଉନାହିଁ
୫୮,୧୭୪ଟି ମାମଲା ପଡ଼ିରହିଛି
ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି
ଅନ୍ଧାରରେ ତଳିଆ କର୍ମଚାରୀ, ବେକାର ଯୁବକଯୁବତୀ

ପୂର୍ବରୁ ମଧ୍ୟ ସ୍ୟାଟ୍‌ ଉଚ୍ଛେଦ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ସେତେବେଳେ ଉଭୟ ସ୍ୟାଟ୍‌ ବାର୍ ଆସୋସିଏସନ୍, ଭୁବନେଶ୍ବର ଓ କଟକ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିଲେ। ଆସୋସିଏସନ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟର ବିଭିନ୍ନ କର୍ମଚାରୀ ଏସୋସିଏସନ୍ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୟାଟ ଉଚ୍ଛେଦ ପ୍ରସ୍ତାବ ପ୍ରତ୍ୟାହାର କରିବା ପାଇଁ ସ୍ମାରକପତ୍ର ଦେଇଛନ୍ତି। ଏଯାବତ୍ ରାଜ୍ୟ ସରକାର ନିଷ୍ପତ୍ତି ପ୍ରତ୍ୟାହାର ନିମନ୍ତେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି। ଅପରପକ୍ଷେ, ସ୍ୟାଟ୍‌ରେ ଖାଲିଥିବା ସାତୋଟି ବିଚାରପତି ପଦବୀ ପୂରଣ ପାଇଁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ରାଜ୍ୟ ସରକାରଙ୍କ ଆଭିମୁଖ୍ୟରେ ବୀତସ୍ପୃହ ହୋଇ ସ୍ୟାଟ ବାର୍ ଆସୋସିଏସନ୍,କଟକ ଓ ଭୁବନେଶ୍ବର ତରଫରୁ ସ୍ୟାଟରେ ଖାଲିଥିବା ବିଚାରପତି ପଦବୀ ପୂରଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଦୁଇଟି ପୃଥକ ମକଦ୍ଦମା ରୁଜୁ ହୋଇଅଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦୁଇ ଦୁଇ ଥର ବିଚାରପତି ପଦବୀ ପୂରଣ ନିମନ୍ତେ ଅନ୍ତରୀଣ ଆଦେଶ ଦେଇ ସାରିଛନ୍ତି। ତଥାପି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଫଳରେ ସ୍ୟାଟ୍‌ରେ ଏବେ ଗଭୀର ସଙ୍କଟ ଦେଖା ଦେଇଛି।

ଏଠାରେ ଉଲ୍ଲେଖ କରାଯାଇପାରେ, ସ୍ୟାଟ୍‌ ଅଧକ୍ଷ ଓ ଉପାଧକ୍ଷଙ୍କୁ ମିଶାଇ ସମୁଦାୟ ବିଚାରପତି ସଂଖ୍ୟା ଆଠ। ତନ୍ମଧ୍ୟରୁ ବର୍ତ୍ତମାନ ଜଣେ ମାତ୍ର ବିଚାରପତି କାର୍ଯ୍ୟରତ, ଯିଏକି ଭାରପ୍ରାପ୍ତ ଅଧକ୍ଷ। ଏପରିସ୍ଥଳେ, ମୁଖ୍ୟ ଶାଖା ଭୁବନେଶ୍ୱର ଓ ନିୟମିତ ଶାଖା କଟକରେ ସବୁଦିନ କୋର୍ଟ ବସିପାରୁନାହିଁ। ଯଦି ସମ୍ବଲପୁର କିମ୍ବା ବ୍ରହ୍ମପୁରରେ ମାସକୁ ଥରେ ସର୍କିଟ୍ କୋର୍ଟ ହେଉଛି, କଟକ ଓ ଭୁବନେଶ୍ବରରେ କୋର୍ଟ ବନ୍ଦ ରହୁଛି। ଯାହାଫଳରେ, ସ୍ୟାଟ୍‌ରେ ଆବେଦନକାରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁରୁଣା କେସ୍ ତ ଦୂରର କଥା ଅନେକ ନୂଆ କେସ୍ ମଧ୍ୟ ପ୍ରାରମ୍ଭିକ ଶୁଣାଣି ହୋଇ ପାରୁନାହିଁ। ଗତ ଜୁନ୍ ଶେଷ ସୁଦ୍ଧା ସ୍ୟାଟ୍‌ରେ ବିଚାର ପାଇଁ ପତିତ ମୂଳ ମାମଲା, ବିବିଧ ମାମଲା ଓ ଅଦାଲତ ଅବମାନନା ମାମଲାକୁ ମିଶାଇ ସମୁଦାୟ ୫୮୧୭୪ ମାମଲାର ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଅଛି। ସ୍ୟାଟ୍‌ ଉଚ୍ଛେଦ ପ୍ରସ୍ତାବ ସରକାର ପ୍ରତ୍ୟାହାର କରି ଯଦି ତୁରନ୍ତ ବିଚାରପତି ନିଯୁକ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ ନକରନ୍ତି, ବର୍ତମାନର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଅବସର ପରେ, ସ୍ୟାଟ୍‌ ସମ୍ପୂର୍ଣ୍ଣ ଅଚଳ ହୋଇ ଯିବାର ସମ୍ଭାବନା ସୃଷ୍ଟିହୋଇଛି। ଯଦି ସରକାର ନେଇଥିବା ଉଚ୍ଛେଦ ନିଷ୍ପତ୍ତିରେ ଅଟଳ ରୁହନ୍ତି, ସେ କ୍ଷେତ୍ରରେ ସ୍ୟାଟ ଦ୍ବାରସ୍ଥ ହୋଇଥିବା ରାଜ୍ୟର ତଳି ତଳିଆ କର୍ମଚାରୀ ଏବଂ ବେକାର ଯୁବକ ଓ ଯୁବତୀମାନେ ନାହିଁ ନଥିବା ହଇରାଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। କାରଣ, ସେମାନେ ହାଇକୋର୍ଟଙ୍କ ଆଦେଶରେ ସନ୍ତୁଷ୍ଟ ନହେଲେ ଉଚ୍ଚତମ ନ୍ୟାୟାଳୟରେ କପି କରିବାରେ ଅସମର୍ଥ ହେବେ। ହାଇକୋର୍ଟଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାର ତୁରନ୍ତ ସ୍ୟାଟ୍‌ରେ ବିଚାରପତି ନିଯୁକ୍ତି ପାଇଁ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରିବା ନିମନ୍ତେ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଅଛି।

ସମ୍ବନ୍ଧିତ ଖବର