ସ୍ୟାଟ୍‌ରେ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ମାମଲା : ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଓଡିଶା ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ସଂପର୍କରେ କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ପର୍ସୋନେଲ ଆଣ୍ଡ୍‌ ଟ୍ରେନିଂ(ଡିଓପିଟି) ଦେଇଥିବା ସ୍ପଷ୍ଟୀକରଣ ପରେ ଏହି ପ୍ରସଂଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ରହିଛି ତାହା ଜଣାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ନିଜ ପକ୍ଷ ସ୍ପଷ୍ଟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଏସ୍‌.ସି.ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସ୍ୟାଟ୍‌ ବାର୍‌ ଆସୋସିଏସନ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ଆଇନଜୀବୀ ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ, ଶଶୀଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ସୂଚନା ଯୋଗ୍ୟ ଯେ ଏହି ମାମଲାର ଶୁଣାଣି ସମୟରେ ପୂର୍ବରୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଦାଖଲ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଖାଲି ପଡିଥିବା ଅଧ୍ୟକ୍ଷ ଓ ସଦସ୍ୟ ପଦ ସଂପର୍କିତ ପ୍ରସ୍ତାବ ସହିତ ସ୍ୟାଟ୍‌ ଉଚ୍ଛେଦ ସଂକ୍ରାନ୍ତୀୟ ପ୍ରସଂଗ ଏବେ କେନ୍ଦ୍ର ସରକାରଙ୍କ ଡିଓପିଟି ନିକଟରେ ବିଚରାଧୀନ ରହିଛି। ଏହା ପରେ ଡିଓପିଟି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଯେତେବେଳ ଯାଏ ସ୍ୟାଟ୍‌ ଉଚ୍ଛେଦ ପ୍ରକ୍ରିୟା ଚୂଡାନ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଖାଲି ପଡିଥିବା ସଦସ୍ୟ ପଦ ଓ ଅନ୍ୟ ପ୍ରସଂଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରି ପାରିବେ। ଡିଓପିଟିର ସ୍ପଷ୍ଟୀକରଣ ପରେ ରାଜ୍ୟ ସରକାର ଖାଲି ପଡିଥିବା ସଦସ୍ୟ ପଦ ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଏବେ କଣ ଆଭିମୁଖ୍ୟ ରହିଛି ସେ ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ସ୍ପଷ୍ଟ କରିବେ।

ସମ୍ବନ୍ଧିତ ଖବର