ଗଣଶିକ୍ଷା ସଚିବଙ୍କ ବିରୋଧରେ ଗିରଫ ପରଓ୍ଵାନା

କଟକ : ଅଦାଲତ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ବିଦ୍ୟାଳୟ ତଥା ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ବରୋଧରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଜାମିନ ଯୋଗ୍ୟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ସ୍ୟାଟ୍‌ର ବିଚାରବିଭାଗୀୟ ସଦସ୍ୟ ଜ୍ଞାନରଂଜନ ପୁରୋହିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଚମ୍ପେଶ୍ୱର କନ୍‌ସରାଲିଙ୍କ ପକ୍ଷରୁ ଦାଖଲ ଅଦାଲତ ଅବମାନନା ମାମଲାର ଶୁଣାଣି କରି ସଚିବଙ୍କ ବିରୋଧରେ ଜାମିନ ଯୋଗ୍ୟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ଏହି ଗିରଫ ପରଓ୍ଵାନାକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱର କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଗଣ ଶିକ୍ଷା ସଚିବଙ୍କୁ ଗିରଫ ପରେ ୩ ହଜାର ଟଙ୍କା ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮, ଫେବ୍ରୁଆରି ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶି ଭୂଷଣ ଜେନା ଓ ସତ୍ୟଜିତ ବେହେରା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦିବ୍ୟାଙ୍ଗଙ୍କୁ ଶିକ୍ଷାଦାନ ପାଇଁ ଥିବା ଆଇଇଡିସି ଯୋଜନାରେ ଆବେଦନକାରୀଙ୍କ ସମେତ କେତେକ ପ୍ରାର୍ଥୀଙ୍କୁ ୧୯୯୨ରେ ରିସର୍ଚ୍ଚ ଟିଚର ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୦୯ରେ ଏହି ଯୋଜନା ବନ୍ଦ୍‌ ହୋଇ ଯାଇଥିଲା ଓ ଆଇଇଡିସି ଯୋଜନାରେ ନିଯୁକ୍ତି ପାଇଥିବା ରିସର୍ଚ୍ଚ ଟିଚରଙ୍କୁ ଚାକରି ହରାଇବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ଏମାନଙ୍କ ମଧ୍ୟରୁ ୬୬ଜଣଙ୍କୁ ସରକାର ଥଇଥାନ କରି ଗଣଶିକ୍ଷା ବିଭାଗ ଅଧିନରେ ପୁନର୍ବାର ନିଯୁକ୍ତି ପ୍ରଦାନ କରିଥିଲେ। କିନ୍ତୁ ଆବେଦନକାରୀଙ୍କ ସମେତ ୩୩ଜଣଙ୍କ ପ୍ରସଂଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଅନ୍ୟମାନଙ୍କ ଭଳି ତାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ସ୍ୟାଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୬, ଜୁଲାଇ ୧୯ରେ ସ୍ୟାଟ୍‌ ଆବେଦନକାରୀଙ୍କ ଥଇଥାନ ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଆଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ପୁଣି ସ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସ୍ୟଟ୍‌ ଗଣଶିକ୍ଷା ସଚିବଙ୍କୁ ୨୦୧୭, ଅକ୍ଟୋବର ୧୮ରେ ଶେଷ ସୁଯୋଗ ଦେଇଥିଲେ। କିନ୍ତୁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା ଓ ଏପରି ପରିସ୍ଥିତିରେ ଗଣଶିକ୍ଷା ସଚିିବଙ୍କ ବିରୋଧରେ ଗିରଫ ପରଓ୍ଵାନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର