ଅବସରକାଳୀନ ଭତ୍ତା ପ୍ରଦାନରେ ଅବହେଳା : ଅଦାଲତ ଅବମାନନା ମାମଲାରେ ସ୍ବାସ୍ଥ୍ୟ ବିଭାଗକୁ ନୋଟିସ

କଟକ : ଅବସରକାଳୀନ ଭତ୍ତା ଯୋଗାଇ ଦେବା ପ୍ରସଂଗରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଦାୟର ଅଦାଲତ ଅବମାନନା ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍) ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରତିପକ୍ଷଙ୍କ ବି‌େରାଧରେ କହିଁକି ଅଦାଲତ ଅବମାନନା ମାମଲା ଚାଲିବ ନାହିଁ ସେ ସଂପର୍କରେ ୪ ସପ୍ତାହ ଭିତରେ କାରଣ ଦର୍ଶାଇବାକୁ ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କୁ ସ୍ୟାଟ୍ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟଜିତ ବେହେରା ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ସହକାରୀ ସର୍ଜନ ଭାବେ କାର୍ଯ୍ୟ କରିଥିବା ଡାକ୍ତର ଅନୀଲ କୁମାର ବେହେରା ଚାକିରିରୁ ଅବସର ଗ୍ରହଣ କରିବା ପରେ ସର୍ଭିସ ବୁକରେ କିଛି ତ୍ରୁଟି ରହିଥିବା ଦର୍ଶାଯାଇ ତାଙ୍କୁ ଅବସରକାଳିନ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇ ନଥିଲା। ଭତ୍ତା ଓ ଅନ୍ୟାନ୍ୟ ଆର୍ଥିକ ପ୍ରାପ୍ୟ ପ୍ରଦାନ ପାଇଁ ସେ ବିଭାଗୀୟ ସ୍ତରରେ ଆବେଦନ କରିଥିଲେ। ମାତ୍ର କିଛି ପଦକ୍ଷେପ ନିଆଯାଇ ନଥିଲା। ଆବେଦନକାରୀ ସ୍ୟାଟଙ୍କ ଦ୍ବାରସ୍ଥ ହୋଇ ମାମଲା ଦାୟର କରିଥିଲେ। ୨୦୧୮, ଏପ୍ରିଲ ୧୮ରେ ମାମଲାର ଶୁଣାଣି କରି ସ୍ୟାଟ୍ ଏହି ପ୍ରସଂଗରେ ୩ମାସ ମଧ୍ୟରେ ପଦକ୍ଷେପ ନେବାକୁ ସରକାରଙ୍କୁ ଆଦେଶ ଦେଇଥିଲେ। କିନ୍ତୁ ଆବେଦନକାରୀଙ୍କୁ ଭତ୍ତା ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରାଯାଇଥିଲା। ଫଳରେ ନ୍ୟାୟ ପାଇଁ ଆବେଦନକାରୀ ସ୍ୟାଟରେ ଅଦାଲତ ଅବମାନନା ମାମାଲ ଦାୟର କରିଥିଲେ।

ସମ୍ବନ୍ଧିତ ଖବର