‘ସ୍ୟାଟ୍‌’ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଗଣଶିକ୍ଷା ସଚିବଙ୍କ ସତ୍ୟପାଠ ଦାଖଲ

କଟକ : ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ୍‌ (ସ୍ୟାଟ୍‌)ଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ବୋଲି ଗଣଶିକ୍ଷା ସଚିବ ସତ୍ୟାପଠ ଦାଖଲ କରିଛନ୍ତି। ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ଦୃଷ୍ଟିରୁ ସ୍ୟାଟ୍‌ ମାମଲାର ଅନ୍ତ ଘଟାଇଛନ୍ତି। ଏହି ମାମଲାରେ ପୂର୍ବରୁ ଗଣିଶିକ୍ଷା ସଚିବଙ୍କ ବିରୋଧରେ ଜାମିନଯୋଗ୍ୟ ଗିରଫ ପରଓ୍ଵାନା ଜାରି କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଦିବ୍ୟାଙ୍ଗଙ୍କୁ ଶିକ୍ଷାଦାନ ପାଇଁ ଥିବା ଆଇଇଡିସି ଯୋଜନାରେ ଆବେଦନକାରୀଙ୍କ ସମେତ କେତେକ ପ୍ରାର୍ଥୀଙ୍କୁ ୧୯୯୨ରେ ରିସର୍ଚ୍ଚ ଟିଚର ପଦରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ୨୦୦୯ରେ ଏହି ଯୋଜନା ବନ୍ଦ୍‌ ହୋଇଯାଇଥିଲା ଓ ଆଇଇଡିସି ଯୋଜନାରେ ନିଯୁକ୍ତି ପାଇଥିବା ରିସର୍ଚ୍ଚ ଟିଚରଙ୍କୁ ଚାକିରି ହରାଇବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ଏମାନଙ୍କ ମଧ୍ୟରୁ ୬୬ଜଣଙ୍କୁ ସରକାର ଥଇଥାନ କରି ଗଣଶିକ୍ଷା ବିଭାଗ ଅଧୀନରେ ପୁନର୍ବାର ନିଯୁକ୍ତି ପ୍ରଦାନ କରିଥିଲେ। କିନ୍ତୁ ଆବେଦନକାରୀଙ୍କ ସମେତ ୩୩ ଜଣଙ୍କ ପ୍ରସଂଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଅନ୍ୟମାନଙ୍କ ଭଳି ତାଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉ ବୋଲି ଦର୍ଶାଇ ଆବେଦନକାରୀ ସ୍ୟାଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୦୧୬, ଜୁଲାଇ ୧୯ରେ ସ୍ୟାଟ୍‌ ଆବେଦନକାରୀଙ୍କ ଥଇଥାନ ପ୍ରସଂଗରେ ବିଚାର କରି ନିଷ୍ପତ୍ତି ନେବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଆଦେଶ କାର୍ଯ୍ୟକାରୀ ନ ହେବାରୁ ଆବେଦନକାରୀ ପୁଣି ସ୍ୟାଟ୍‌ଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ସ୍ୟାଟ୍‌ ଗଣଶିକ୍ଷା ସଚିବଙ୍କୁ ୨୦୧୭, ଅକ୍ଟୋବର ୧୮ରେ ଶେଷ ସୁଯୋଗ ଦେଇଥିଲେ। କିନ୍ତୁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା। ଏହା ପରେ ଅଦାଲତ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ବିଦ୍ୟାଳୟ ତଥା ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କ ବରୋଧରେ ସ୍ୟାଟ୍‌ ଜାମିନଯୋଗ୍ୟ ଗିରଫ ପରଓ୍ଵାନା ଜାରି କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶି ଭୂଷଣ ଜେନା ଓ ସତ୍ୟଜିତ ବେହେରା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର