ଅତିବଡ଼ୀଙ୍କ ପୀଠକୁ ବିପଦ ପ୍ରସଙ୍ଗ : ପୂର୍ବ ନିଷ୍ପତ୍ତିକୁ ମାନୁନାହାନ୍ତି ଜିଲ୍ଲାପାଳ

ପୁରୀ : ପବିତ୍ର ଓଡ଼ିଆ ଭାଗବତର ରଚନା ପୀଠ ସାତଲହଡ଼ି ମଠ ଏବେ ବିପଦରେ। ଏହାକୁ ଅନ୍ୟ କେହି ନୁହଁ, ଖୋଦ୍‌ ପ୍ରଶାସନ ବିପଦ ମୁହଁକୁ ଠେଲି ଦେଇଛି। ମଠର ଆୟବୃଦ୍ଧି ଆଳରେ ଏହା ପରିସରରେ ଥିବା ମୂଲ୍ୟବାନ ଜମିକୁ ବିଲ୍‍ଡରଙ୍କୁ ଟେକି ଦେବା ପାଇଁ ଯୋଜନା ହୋଇଛି। ଏମିତିକି ଏ ନେଇ ୨୦ ବର୍ଷ ତଳେ ତତ୍‌କାଳୀନ ଜିଲ୍ଲା ପ୍ରଶାସନ ଯେଉଁ ନିଷ୍ପତ୍ତି ନେଇଥିଲା, ତାହାକୁ ବି ଅଳିଆ ଗଦାକୁ ଫିଙ୍ଗି ଦିଆଯାଇଛି।

ମଠକୁ ବିପଦ ନେଇ ଗତକାଲି ‘ସମ୍ବାଦ’ରେ ବିସ୍ତତ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଖୋଳତାଡ଼ ହେବା ପରେ ଏଠାରେ ଚାଲିଥିବା ଅରାଜକତା ଉପରୁ ଅଧିକ ପରଦା ମଧ୍ୟ ଖୋଲିବାରେ ଲାଗିଛି। ଏଠାରେ ଦୁଇ ମହଲା କୋଠା କରାଯିବ ନାହିଁ ବୋଲି ୨୦ ବର୍ଷ ତଳୁ ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି କମିଟି ପ୍ରସ୍ତାବ ଗ୍ରହଣ କରିଥିଲା। ଏହି ଗୃହୀତ ପ୍ରସ୍ତାବ (ରିଜଲ୍ୟୁସନ) ଏ ଯାବତ୍‍ ବଳବତ୍ତର ରହିଛି। ହେଲେ ସେହି ରିଜଲ୍ୟୁସନକୁ ବେଖାତିର କରି ଏବେ ଏଠାରେ ୨ ମହଲା ନିର୍ମାଣ କରିବାକୁ ଯୋଜନା ହୋଇଛି। କେବଳ ଯୋଜନା ହୋଇ ନାହିଁ; ବରଂ ଦୋକାନ ନେବା ପାଇଁ ଇଚ୍ଛୁକଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ତତ୍‌କାଳୀନ ଜିଲ୍ଲାପାଳ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମୟରେ ହୋଇଥିବା ନିଷ୍ପତ୍ତିକୁ ବର୍ତ୍ତମାନର ଜିଲ୍ଲପାଳ ଅରବିନ୍ଦ ଅଗ୍ରଓ୍ଵାଲ ବେଖାତିର କରି ଏଭଳି ଦୁଇମହଲା କୋଠା ନିର୍ମାଣ ପାଇଁ ଯୋଜନା କରିଛନ୍ତି। ଅନ୍ୟପଟେ ବିଭିନ୍ନ ମହଲରୁ ଏହି ନିଷ୍ପତ୍ତିକୁ ବିରୋଧ ହୋଇଛି। ୨୦ରୁ ଊଦ୍ଧ୍ଵର୍ ଭାଗବତ ଟୁଙ୍ଗୀ ଏହି ପୀଠର ମର୍ଯ୍ୟାଦା ବଜାୟ ରଖିବା ପାଇଁ ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା କରିଥିବା ବେଳେ କେତେକ ଭାଗବତପ୍ରେମୀ ଏ ନେଇ ଅଦାଲତରେ ଜନସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ ଯୋଜନା କରିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ମଠ ଜମି ଉପରେ ପୂର୍ବରୁ ବି ଲୋଲୁପ ଦୃଷ୍ଟି ପଡ଼ିଥିଲା। ୧୯୯୪-୯୫ ମସିହାରେ ପଦ୍ମନାଭ ସାମଲ ପୁରୀର ଜିଲ୍ଲାପାଳ ଥିଲେ। ସେତେବେଳେ ସ୍ୱର୍ଗଦ୍ଵାର ଠାରୁ ବତୀଘର ଦେଇ ନୂଆ ପିଚୁ ରାସ୍ତା କଡ଼ରେ ପୁରୀ ମ୍ୟୁନିସିପାଲିଟି ଦୋକାନ ଘର ଭଡ଼ାରେ ଦେବା ପାଇଁ ଯୋଜନା କରିଥିଲା। ଏଥିପାଇଁ ଦରଖାସ୍ତ ଆହ୍ଵାନ କରିଥିଲା। ଏହି ଯୋଜନାରେ ମଠର ୧୧୩୩ ନମ୍ବର ପ୍ଲଟ ମଧ୍ୟ ରହିଥିଲା। ଏହା ଜଣାପଡ଼ିବା ପରେ ଜିଲ୍ଲାପାଳ ଏଠାରେ ପାଚେରି କରିବା ପାଇଁ ଯୋଜନା କରିଥିଲେ। ଏହି ପାଚେରି ପାଇଁ ତତ୍‌କାଳୀନ ମନ୍ତ୍ରୀ ଦାମୋଦର ରାଉତ କିଛି ଅର୍ଥ ମଞ୍ଜୁର କରିଥିଲେ। ସେତେବେଳେ ବିନୋଦ ପଣ୍ଡା ବିଡିଓ ଥିଲେ। ବିଡିଓଙ୍କ ଜରିଆରେ ଏଠାରେ ପାଚେରି ନିର୍ମାଣ ପାଇଁ ଯୋଜନା ହୋଇଥିଲା। ବର୍ତ୍ତମାନର ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ସେତେବେଳେ ପୁରୀ ପୌରସଂସ୍ଥାର ଅଧ୍ୟକ୍ଷ ଥିଲେ। ଦୋକାନଗୃହ ଆବଣ୍ଟନ ନିଷ୍ପତ୍ତି ହୋଇଯାଇଥିବାରୁ ଯେ କୌଣସି ପରିସ୍ଥିତିରେ ମହେଶ୍ୱର ଏଠାରେ ଘର କରିବା ପାଇଁ ଚାହିଁଥିଲେ। ତେବେ ଏହାଦ୍ୱାରା ଅତିବଡ଼ୀଙ୍କ ମୂଲ୍ୟବାନ ସମ୍ପତ୍ତି ସହ ମଠର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ଯାଉଥିବାରୁ ଜିଲ୍ଲାପାଳ ଦ୍ଵନ୍ଦ୍ୱରେ ପଡ଼ିଥିଲେ। ଶେଷରେ ଏଠାରେ ପାଚେରି ନିର୍ମାଣ କରିବା ପାଇଁ ଓ୍ଵାର୍କ ଅର୍ଡ଼ର ବାହାରିଥିଲା। ଏହାପରେ ୨୦ରୁ ୨୫ ଜଣ ଯୁବକ ବାଇକ୍‍ରେ ଆସି ଏଠାରେ ପାଚେରି କାମ କରୁଥିବା ମିସ୍ତ୍ରିଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ୧୪୪ ଧାରା ଜାରି ହୋଇ ପାଚେରି ନିର୍ମାଣ ହୋଇଥିଲା।

ଏହାପରେ ଜିଲ୍ଲାପାଳ ଶ୍ରୀ ସାମଲଙ୍କ ବଦଳି ହୋଇଥିଲା। ନୂତନ ଜିଲ୍ଲାପାଳ ଭାବେ ବର୍ତ୍ତମାନର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଓ ପରିବେଶ ବିଭାଗ)ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଆସିଥିଲେ। ତାଙ୍କ ସମୟରେ ଆଉ ଏକ ବିବାଦ ଛିଡ଼ା ହେଲା। ସ୍ୱର୍ଗଦ୍ଵାର କଡ଼ରେ ଥିବା ୧୬ ଦୋକାନ ଉଚ୍ଛେଦ ହେବା ପରେ ଏହି ମଠ ପରିସରରେ ସେହି ଦୋକାନୀଙ୍କୁ ଥଇଥାନ ପାଇଁ ଯୋଜନା କରାଗଲା। ଏହାକୁ ମଧ୍ୟ ତୀବ୍ର ବିରୋଧ ହେଲା। ସ୍ୱର୍ଗଦ୍ଵାରର ଦୋକାନୀ ସରକାରୀ ଜମିରେ ଥଇଥାନ ହୁଅନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଚିଠି ଲେଖାଗଲା। ବିଭିନ୍ନ ସ୍ତରରୁ ବିରୋଧ ହୋଇଥିଲେ ମଧ୍ୟ ଏଠାରେ ଦୋକାନ ଦିଆଯିବା ପାଇଁ ପୌରସଂସ୍ଥାରେ ରିଜଲ୍ୟୁସନ ହେଲା। ୧୨ ଜଣ ଉଚ୍ଛେଦ ହୋଇଥିଲେ ମଧ୍ୟ ଏଠାରେ ୩୭ ଦୋକାନ ଦିଆଗଲା। ତେବେ ମଠର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ପାଇଁ ଏଠାରେ ଭବିଷ୍ୟତରେ କୌଣସି ସ୍ଥିତିରେ ୨ ମହଲା କୋଠା ନିର୍ମାଣ ହେବ ନାହିଁ ବୋଲି ରିଜଲ୍ୟୁସନ ହୋଇଥିଲା। ଏହି ସର୍ତ୍ତରେ ଦୋକାନୀଙ୍କୁ ଏନ୍‍ଓସି ମିଳିଥିଲା। ଏବେ ଏହି ସର୍ତ୍ତକୁ ଖିଲାପ କରି ବର୍ତ୍ତମାନର ଜିଲ୍ଲାପାଳ ଦୁଇ ମହଲା କୋଠା ଯୋଜନା କରିଛନ୍ତି।

ତେବେ ଜିଲ୍ଲାପାଳ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। କମିଟିରେ ପର୍ଯ୍ୟଟନ ଅଧିକାରୀ ବିଜୟ ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ଅରିନ୍ଦମ ଦାସ, ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଓ ବର୍ତ୍ତମାନର ମଠ ମାର୍ଫତଦାର ରହିଛନ୍ତି। ଏହି କମିଟିର ସୁପାରିସରେ ଏଭଳି କରାଯାଉଥିବା ଦର୍ଶାଯାଉଛି। । ଏଠାରେ ଡିସିମିଲି ଜମିର ମୂଲ୍ୟ ୩୦ ଲକ୍ଷ ଟଙ୍କା। ଏବେ ୨୦ ଡିସିମିଲି ଜାଗାରେ ଦୋକାନ ହେବାକୁ ଯାଉଛି। ଏହି ଜମି ନିମନ୍ତେ ୧୦ ବର୍ଷ ପାଇଁ ଚୁକ୍ତି ହେବାକୁ ଯାଉଥିଲେ ମଧ୍ୟ ବସ୍ତୁତଃ ଏହାକୁ ଆଉ ତାଙ୍କ ଠାରୁ ଛଡ଼ାଇ ଅଣା ଯାଇ ପାରିବ ନାହିଁ। ଅର୍ଥାତ୍‍ ୬ କୋଟି ଟଙ୍କା ଜମି ମାଫିଆଙ୍କ ହାତରେ ଟେକି ଦେବାପାଇଁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର