ସମୁଦ୍ରରେ ଲୀନ ହେବାକୁ ବସିଲାଣି ସାତଭାୟାର ଶେଷ ସନ୍ତକ, ଗଭୀର ସମୁଦ୍ର ଆଁରେ ଐତିହ୍ୟ

କେନ୍ଦ୍ରାପଡା: ସେଦିନ ସୌନ୍ଦର୍ଯ୍ୟରେ ଭରପୂର ଥିଲା ସାତଭାୟା, ଆଜି ସମୁଦ୍ର ସର୍ବନାଶ କରିବା ପରେ ସୌନ୍ଦର୍ଯ୍ୟ କେବଳ ସ୍ମୃତି ହୋଇ ରହିଛି । ଆଉ ବିସ୍ତୀର୍ଣ୍ଣ ବେଳାଭୂମିରେ ପଡିଛି ବିପର୍ଯ୍ୟୟର ପଦଚିହ୍ନ । ପ୍ରକୃତିର କରାଳ ରୂପ କେତେ ଯେ ଭୟଙ୍କର ହୋଇପାରେ ତାହା ସମୁଦ୍ର ଗର୍ଭରେ ଲୀନ ହେବାକୁ ଥିବା ଏ ମନ୍ଦିର ହିଁ ତାର ସଦ୍ୟ ମୁକସାକ୍ଷୀ । ପ୍ରକୃତି ଯେବେ ପ୍ରଳୟ ଆଣେ ସେବେ ଜନବସତିକୁ ମାଡିଆସେ । ଆଉ ଘରଦ୍ୱାର ସହ ମନ୍ଦିରକୁ ଭସାଇ ନିଏ । ସାତଭାୟା ତ ସମୁଦ୍ର ଆଁରେ ପଶିଗଲାଣି । ଏବେ ଏହି ମାଆ ପଞ୍ଚୁବରାହୀଙ୍କ ମନ୍ଦିର ବି ଗଭୀର ସମୁଦ୍ର ଗର୍ଭରେ ଲୀନ ହେବା ଅପେକ୍ଷାରେ ରହିଛି | ଦିନ ଥିଲା ଐତିହ୍ୟ ଓ କିମ୍ବଦନ୍ତୀ ବହନ କରୁଥିବା ସାତଭାୟା ଗାଁକୁ ଛୁଟୁଥିଲା ପ୍ରକୃତିପ୍ରେମୀଙ୍କ ସୁଅ ।

ସାଗରର ନୀଳରାଶି, ପୂର୍ଣ୍ଣିମା ଓ ଅମାବାସ୍ୟାରେ ଉଠୁଥିବା ଢେଉର ଅପୂର୍ବ ସୌନ୍ଦର୍ଯ୍ୟରେ ନିଜକୁ ପ୍ରକୃତି ସହ ହଜାଇ ଦେବାକୁ ଧାଇଁ ଆସୁଥିଲେ ଲୋକେ । ହେଲେ ପରିବେଶ ଅସନ୍ତୁଳନ, ବିଶ୍ୱତାପନ ଓ ଜଳବାୟୁର ଅହେତୁକ ପରିବର୍ତନ ଯୋଗୁଁ ସମୁଦ୍ର ମାଡି ସୀମା ଲଙ୍ଘିଲା । ଆଉ ସ୍ଥଳଭାଗ ଆଡକୁ ମାଡି ଆସିଲା । ଯାହା ପରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୧୮ ମସିହାରେ ସରକାର ୫୭୧ ପରିବାରକୁ ସାତଭାୟାରୁ ଆଣି ବଗପାଟିଆ ଠାରେ ଥଇଥାନ କଲେ । ସାତଭାୟାରେ ଥିବା ଏହି ମନ୍ଦିରକୁ କୈବର୍ତ୍ୟ ଜାତିର ମହିଳାମାନେ ହିଁ ପୂଜା କରିଥାନ୍ତି । ତେଣୁ ସ୍ଥାନାନ୍ତରଣ ବେଳେ ଲୋକଙ୍କର ଗୋଟିଏ ଜିଦ ଥିଲା, ଯେପର୍ଯ୍ୟନ୍ତ ମା’ଙ୍କୁ ସ୍ଥାନାନ୍ତରିତ ନକରାଯାଉଛି, ସେମାନେ ଏଠାରୁ ଯିବେ ନାହିଁ ।

ସରକାର ଲୋକଙ୍କ ଦାବିକୁ ମାନି ମାଆଙ୍କୁ ବଗପାଟିଆରେ ସ୍ଥାପନ କଲେ ସତ ହେଲେ ଏବେ ମୂଳ ମନ୍ଦିର ସମୁଦ୍ର ଆଁରେ ଚାଲିଯିବାକୁ ବସିଛି । ସମୁଦ୍ର ଉଗ୍ରମୁଖା ହୋଇ ପୁରୁଣା ମନ୍ଦିର ସହ ଗଛକୁ ବି ଟାଣି ନେବାକୁ ବସିଛି । ଏବେ ଠାଏଁ ଠାଏଁ ନଡିଆ ଗଛ ଖାଲି ଦେଖାଯାଉଛି । ପ୍ରକୃତିର ପ୍ରଚଣ୍ଡ ରୋଷର ଶୀକାର ହୋଇ ସାତଭାୟାର ଐତିହ୍ୟ, କିମ୍ବଦନ୍ତୀ, କିର୍ତିରାଜି ସବୁ ଲୀନ ହେଉଥିବା ଏ ନଳକୂପ ସାକ୍ଷୀ ରହିଛି | ପ୍ରକୃତି ଉଦ୍ଧ୍ୱର୍ରେ କେହି ନୁହେଁ । ତେବେ ଆସନ୍ତୁ ବେଳ ଥାଉ ଥାଉ ସଜାଗ ହୋଇଯିବା । ନହେଲେ ସାତଭାୟା ପରି ଦିନେ ପ୍ରକୃତିର ଏମିତି ରୋଷ ଆମକୁ ସାମ୍ନା କରିବାକୁ ପଡିବ ।

ତେଣୁ ପ୍ରକୃତିର ସୁରକ୍ଷା ପାଇଁ ଆସନ୍ତୁ ପରିବେଶ ପାଇଁ ଟିକେ ଟିନ୍ତା କରିବା । ନିଜ ନିତ୍ୟ ବ୍ୟବହାରରେ ପରିବେଶ କଥା ଭାବି ନିଜ ବ୍ୟବହାର ବଦଳାଇବା । ସବୁପରେ ସମ୍ବାଦ ଗ୍ରୁପ ପକ୍ଷରୁ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନରେ ନିଜକୁ ସାମିଲ କରି ନିଜ ପାଇଁ ନିଜ ପରପିଢି ପାଇଁ ଗଛଟିଏ ଲଗାଇବା | ପ୍ରକୃତି ମାଆକୁ ସୁରକ୍ଷିତ ରଖିବା ।

ସମ୍ବନ୍ଧିତ ଖବର