ସାତକଡ଼ି ହୋତା ପାଇବେ ସାହିତ୍ୟ ଭାରତୀ ସମ୍ମାନ

କଟକ : ପ୍ରଖ୍ୟାତ ସାହିତ୍ୟିକ ସାତକଡ଼ି ହୋତା ପାଇବେ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସାହିିତ୍ୟ ଭାରତୀ ସମ୍ମାନ’। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ମାର୍ଚ ୧୧ତାରିଖ ସଂଧ୍ୟା ୬ଟା ୩୦ରେ କଟକର କଳାବିକାଶ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା ସାରସ୍ୱତ ସମାରୋହରେ ଶ୍ରୀ ହୋତାଙ୍କୁ ସମ୍ମାନିତ କରାଯିବ। ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ, ଆତ୍ମଜୀବନୀ ରଚନା କ୍ଷେତ୍ରରେ ପ୍ରତିଷ୍ଠା ତଥା ପାଠକୀୟ ସ୍ୱୀକୃତି ଅର୍ଜନ କରିଥିବା ଶ୍ରୀ ହୋତା ପ୍ରାୟ ୪୦ରୁ ଅଧିକ ପୁସ୍ତକ ସୃଷ୍ଟି କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ହୋତାଙ୍କୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ଏବଂ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରତିଷ୍ଠିତ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ପ୍ରଭାତ କୁମାର ମିଶ୍ରଙ୍କୁ ପ୍ରଦାନ କରାଯିବ। ସମ୍ମାନସ୍ୱରୂପ ଡକ୍ଟର ମିଶ୍ରଙ୍କୁ ଏକ ରୌପ୍ୟ ଫଳକ ଓ ମାନପତ୍ର ପ୍ରଦାନ କରାଯିବ। କାବ୍ୟ ସାହିତ୍ୟ ପାଇଁ ବିଶିଷ୍ଟ କବି ଡକ୍ଟର ହୃଷିକେଶ ମଲ୍ଲିକଙ୍କୁ ଭାନୁଜୀ ରାଓ ସ୍ମାରକୀ ସମ୍ମାନ ଓ କଥାକାର ଅଳକା ଚାନ୍ଦଙ୍କୁ ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯିବ। ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ପାଇଁ କଥାକାର ବୈଜୟନ୍ତୀ ମିଶ୍ର ଓ କବି ଅମିୟ ରଞ୍ଜନ ମହାପାତ୍ରଙ୍କୁ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପ୍ରଦାନ ସ୍ୱରୂପ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଓ ରୌପ୍ୟ ଉପଢ଼ୌକନ ପ୍ରଦାନ କରାଯିବ।

ଆସନ୍ତା ୧୧ତାରିଖ ସଂଧ୍ୟା ୬.୩୦ କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ ଅଧ୍ୟକ୍ଷତା କରିବେ। ଉତ୍ସବରେ ମୁଖ୍ୟ ଅତିଥିଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ୍‌ ସରନ୍‌ ଓ ମୁଖ୍ୟବକ୍ତା ଭାବେ ଡକ୍ଟର ଅର୍ଚ୍ଚନା ନାୟକ ଯୋଗଦେଇ ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବେ ବୋଲି ଫାଉଣ୍ଡେସନର ସଂପାଦିକା ସୁସ୍ମିତା ରଥ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦରଘାବଜାରସ୍ଥିତ ଫାଉଣ୍ଡେସନର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥଙ୍କ ସମେତ ସଭ୍ୟସଭ୍ୟା ଡକ୍ଟର ବିଜୟାନନ୍ଦ ସିଂହ, କବି ଅମରେଶ ପଟ୍ଟନାୟକ, ଡାକ୍ତର ବନ୍ଦିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସାରସ୍ୱତ ସମାରୋହ ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର