ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରାଶାସନିକ ପ୍ରସ୍ତୁତି ଆଉ ପାଦେ ଆଗେଇଛି। ଏହି ବ୍ୟାଘ୍ର ପ୍ରକଳ୍ପ ଏବେ ୭ଟି ବନଖଣ୍ଡ ଅଧୀନରେ ରହିଛି। ଏହାକୁ ଦୁଇଟି ବନଖଣ୍ଡରେ ସୀମିତ ରଖିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଫଳରେ ପ୍ରକଳ୍ପ ପରିଚାଳନାରେ ସୁବିଧା ହେବା ସହ ପ୍ରାଶାସନିକ ସମସ୍ୟା ଆଉ ରହିବନି।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ନିୟମିତ ସ୍ଥିତି ସମୀକ୍ଷା କରିବା ସହ ବାହାର ରାଜ୍ୟରୁ ବାଘ ଆଣି ଏଠାରେ ଛାଡ଼ିବା ପ୍ରକ୍ରିୟାର ତଦାରଖ କରୁଛନ୍ତି। ତେବେ ଏହି ପ୍ରକଳ୍ପ ୭ଟି ବନଖଣ୍ଡ ଅଧୀନରେ ରହିଥିବାରୁ ପରିଚାଳନାଗତ ସମସ୍ୟା ନେଇ ପ୍ରଶ୍ନ କରିଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ)। ଅଧିକ ବନଖଣ୍ଡ ଅଧୀନରେ ଏହା ରହିଥିବାରୁ ପ୍ରାଶାସନିକ ହସ୍ତକ୍ଷେପ ନେଇ ବି ସମସ୍ୟା ହେବାର ଆଶଙ୍କା ରହିଥିଲା। ଏଣୁ ଏହି ପ୍ରକଳ୍ପରୁ ଦୁଇଟି ବନଖଣ୍ଡରେ ସୀମିତ ରଖିବାକୁ ସର୍ତ୍ତ ରଖିଥିଲେ। ଏହାକୁ ଆଧାର କରି ବନବିଭାଗ ରାଜ୍ୟ ସରକାରଙ୍କୁ ନୂଆ ପ୍ରସ୍ତାବ ଦେଇଛି। ସମୁଦାୟ ପ୍ରକଳ୍ପକୁ ଦୁଇଟି ବନଖଣ୍ଡରେ ସୀମିତ ରଖିବାକୁ ଏଥିରେ କୁହାଯାଇଛି।
ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସହ ଅନୁଗୁଳ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ଢେଙ୍କାନାଳ ବନଖଣ୍ଡ, ଆଠଗଡ଼ ବନଖଣ୍ଡ, ମହାନଦୀ ବନଖଣ୍ଡ ଓ ବଉଦ ବନଖଣ୍ଡର କିଛି କିଛି ଅଂଶ ରହିଥିଲା। ଏଣୁ ପ୍ରକଳ୍ପ ଭିତରେ ଥିବା ଏହି ଅଂଶକୁ ଅଲଗା କରି ସାତକୋଶିଆ ଓ ମହାନଦୀ ବନଖଣ୍ଡରେ ମିଶାଇ ଦିଆଯିବ। ମହାନଦୀର ବାମ ପାର୍ଶ୍ବରେ ରହିଥିବା ଅଂଶ ସବୁ ସାତକୋଶିଆ ବନଖଣ୍ଡରେ ରହିବ। ସେହିପରି ଡାହାଣ ପାର୍ଶ୍ବରେ ରହିଥିବା ଭାଗ ମହାନଦୀ ବନଖଣ୍ଡରେ ସାମିଲ ହେବ। ଅର୍ଥାତ୍ ଏହି ପ୍ରକଳ୍ପ ଭିତରେ ଯାଉଥିବା ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାର ସବୁ ଜଙ୍ଗଲ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ରହିବ। ସେହିପରି ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ଜଙ୍ଗଲ ମହାନଦୀ ବନଖଣ୍ଡରେ ରହିବ। ଫଳରେ ଅଞ୍ଚଳକୁ ନେଇ ଆଉ ସମସ୍ୟା ରହିବନି।
ପାଖାପାଖି ୧ ହଜାର ବର୍ଗ କିଲୋମିଟର ପରିସୀମାକୁ ନେଇ ଏହି ବ୍ୟାଘ୍ର ପ୍ରକଳ୍ପ ରହିଥିଲା ବେଳେ ଏକାଧିକ ବନଖଣ୍ଡର ଶୀର୍ଷ ଅଧିକାରୀ ପ୍ରକଳ୍ପରେ ମୁଣ୍ଡ ପୂରାଉଥିଲେ। ଏବେ ଦୁଇଟି ବନଖଣ୍ଡରେ ପ୍ରକଳ୍ପ ସୀମିତ ରହିବା ଫଳରେ ପରିଚାଳନାଗତ ସମସ୍ୟା ଆଉ ରହିବ ନାହିଁ। ବିଭିନ୍ନ ପ୍ରାଶାସନିକ କାମ ବି ତ୍ବରାନ୍ବିତ ହେବ। ଏଥିନେଇ ବନବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଅାଯାଇଥିଲା ବେଳେ ସରକାର ଏହାକୁ ଗ୍ରହଣ କରିଛନ୍ତି। ଖୁବ୍ଶୀଘ୍ର ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି ବୋଲି ବନବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତାଙ୍କ ସୂଚନା ଅନୁସାରେ, ସମୁଦାୟ ପ୍ରକଳ୍ପକୁ ଦୁଇଟି ବନଖଣ୍ଡରେ ବିଭକ୍ତ କରିଦେଲେ ପରିଚାଳନାଗତ ସୁବିଧା ହେବ। ଆଗକୁ ୧୫ଟି ମହାବଳ ବାଘ ଅଣାଯାଇ ଏହି ପ୍ରକଳ୍ପରେ ଛଡ଼ାଯିବାର ଯୋଜନା ରହିଛି। ଏହା ପୂର୍ବରୁ ଏନ୍ଟିସିଏ ଏହି ପ୍ରସ୍ତାବ ଦେଇଥିଲା। ଏହି ଆଧାରରେ କାମ ଚାଲିଛି ଏବଂ ଆସନ୍ତା ବର୍ଷ ବାଘ ଆଣିବାର ବ୍ୟବସ୍ଥା କରାଯାଉଛି।