ପ୍ରଭାତ କୁମାର ବେହେରା
ଅନୁଗୁଳ: ସାତକୋଶିଆକୁ ପୁଣି ଆସିବେ ମହାବଳ ବାଘ। ଏହା ପୂର୍ବରୁ ବାଘ ଓ ଅଭୟାରଣ୍ୟ ମଧ୍ୟରେ ବାସ କରୁଥିବା ଲୋକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ସାତକୋଶିଆ ଜଙ୍ଗଲ ଭିତରେ ରହୁଥିବା ଗ୍ରାମବାସୀଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ୨ ବର୍ଷ ପୂର୍ବରୁ ଭିଟାମାଟି ଛାଡ଼ିଥିଲେ ଅସନବାହାଳ ଓ ଟୁଲ୍କା ଗ୍ରାମବାସୀ। ବର୍ତ୍ତମାନ ଆହୁରି ଏକାଧିକ ଗ୍ରାମବାସୀ ବିସ୍ଥାପିତ ହେବେ। ମାତ୍ର ଯେଉଁ ଦୁଇ ଗ୍ରାମବାସୀ ବିସ୍ଥାପିତ ହୋଇଛନ୍ତି ସେମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ସ୍ଥାନାନ୍ତର ବେଳେ ସେମାନଙ୍କୁ ସାତକୋଶିଆ କର୍ତ୍ତୃପକ୍ଷ ଯେଉଁ ସ୍ବପ୍ନ ଦେଖାଇଥିଲେ ସେଥିରୁ କାଣିଚାଏ ହେଲେ ପୂରଣ କରାଯାଇ ନାହିଁ। ଫଳରେ ବହୁ ଦୁର୍ଦ୍ଦଶାରେ ଲୋକମାନେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି।
ଜଗନ୍ନାଥପୁର ପଞ୍ଚାୟତର ଅସନବାହାଳ ଓ ଟୁଲ୍କା ଗାଁ ସାତ କୋଶିଆ ଅଭୟାରଣ୍ୟ ଭିତରେ ରହିଥିଲା। ସେଠାରେ ସେମାନେ ଚାଷ କରି ନିଜର ଜୀବନ ଅତିବାହିତ କରୁଥିଲେ। କିନ୍ତୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ଜଙ୍ଗଲ ମଧ୍ୟରେ ଥିବା ଏହି ଦୁଇ ଗାଁକୁ ବନ ବିଭାଗ ପକ୍ଷରୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ପୂର୍ବରୁ ଦୁଇ ଗାଁର ଲୋକଙ୍କୁ ବିଭିନ୍ନ ପ୍ରକାର ସରକାରୀ ପ୍ୟାକେଜ୍ ଓ ମୌଳିକ ସୁବିଧାର ଲୋଭ ଦେଖାଯାଇଥିଲା। ବନ ବିଭାଗ ପକ୍ଷରୁ ରାସ୍ତା, ବିଦ୍ୟାଳୟ, ପାନୀୟଜଳ ଯୋଗାଣ, ରୋଜଗାର ଇତ୍ୟାଦି ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଫଳରେ ଗ୍ରାମବାସୀ ଭିଟାମାଟି ଛାଡ଼ିବାକୁ ରାଜି ହୋଇଯାଇ ଥିଲେ। ସେମାନଙ୍କୁ ଟାଇଁସି ପଞ୍ଚାୟତର ଧଉରାଗୋଠ ଗାଁ ନିକଟକୁ ସ୍ଥାନାନ୍ତର କରାଯାଇଥିଲା।
୨୦୨୨ ମସିହାରେ ଅସନବାହାଳ ଗାଁର ୬୬ ଟି ପରିବାର ଓ ଟୁଲୁକା ଗାଁର ୪୩ ଟି ପରିବାରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ପରେ ସେମାନଙ୍କ ଭାଗ୍ୟ ବଦଳିବ ବୋଲି ଲୋକମାନେ ଆଶା କରିଥିଲେ। କିନ୍ତୁ ଭାଗ୍ୟ ବଦଳିବ ପରିବର୍ତ୍ତେ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ଯାତାୟାତ ପାଇଁ ତିଆରି ହୋଇଥିବା ମାଟି ରାସ୍ତା ଅସରାଏ ବର୍ଷାରେ କାଦୁଅ ହୋଇଯାଉଛି। ଫଳରେ ଘରୁ ବାହାରିବା ସମ୍ଭବ ହେଉନି। କାଦୁଅ ପଚପଚ ରାସ୍ତାରେ ଚାରିଚକିଆ ଯାନ ଗଡ଼ିପାରୁନି। ଗାଁକୁ ଯିବାକୁ ହେଲେ ୨ କି.ମି. ପୂର୍ବରୁ ଗାଡ଼ି ରଖି ଯିବାକୁ ପଡ଼ୁଛି। ସେପଟେ ପାଠପଢ଼ା ପାଇଁ ଗାଁରେ ବିଦ୍ୟାଳୟ ନିର୍ମାଣ ହୋଇନି। ପିଲାମାନେ ୨ କି.ମି. ଜଙ୍ଗଲ ରାସ୍ତା ଅତିକ୍ରମ କରି ବିପଜ୍ଜନକ ଭାବରେ ପଢ଼ିବାକୁ ଯାଉଛନ୍ତି। ଗାଁରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହୋଇନି।
ଲୋକମାନେ ଖରା ହେଉ କି ବର୍ଷା; ସବୁବେଳେ ପାଣି ପାଇଁ ଅସୁବିଧା ଭୋଗୁଛନ୍ତି। ସେହିପରି ଦୁଇ ଗ୍ରାମବାସୀଙ୍କ ପାଇଁ ମେଡିକାଲ, ମାର୍କେଟ କମ୍ପ୍ଲେକ୍ସ, ଖେଳପଡ଼ିଆ, ଯାତ୍ରା ପଡ଼ିଆ ଇତ୍ୟାଦି ନିର୍ମାଣ ପାଇଁ ଉଦ୍ୟମ ହୋଇନାହିଁ। ଗ୍ରାମବାସୀଙ୍କ ରୋଜଗାର ଲାଗି କୌଣସି ବ୍ୟବସ୍ଥା ହୋଇ ନାହିଁ। ବିସ୍ଥାପନ ସମୟରେ ଛେଳି, କୁକୁଡ଼ା ପାଳନ ବ୍ୟତୀତ ଅନ୍ୟ ସୁବିଧା କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ସେପରି କୌଣସି ପ୍ରତିଶ୍ରୁତି ପୂରଣ ହୋଇନି। ବିସ୍ଥାପନ ସମୟରେ ପାଇଥିବା ଅର୍ଥରାଶିରେ ସେମାନେ ପରିବାର ଚଳାଉଥିବା କହିଛନ୍ତି। ଏପରି ହେଲେ ଏହି ଅର୍ଥ ଶୀଘ୍ର ଶେଷ ହୋଇଯିବ ଏବଂ ସେମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଉଭୟ ଗ୍ରାମର ଲୋକମାନେ କହିଛନ୍ତି।