ଅନୁଗୁଳ: ସାତକୋଶିଆରେ ପୁଣି ବୁଲିବେ ମହାବଳ। ଏହି ବ୍ୟାଘ୍ର ଅଭୟାରଣ୍ୟର ଗୌରବ ଫେରି ଆସିବ। ଗଲା ୩ ବର୍ଷ ହେଲା ଏମିତି ସ୍ବପ୍ନ ବୁଣି ଚାଲିଛନ୍ତି ସରକାର। ବାଘ ଛାଡ଼ିବା ପାଇଁ ଅଭୟାରଣ୍ୟ ଭିତରୁ ବିସ୍ଥାପନ ପ୍ରକ୍ରିୟା ବି ଜୋର୍‌ସୋରରେ ଚାଲିଛି। କିନ୍ତୁ ସାତକୋଶିଆ ଜଗିବାକୁ ଆବଶ୍ୟକ ଅଧିକାରୀ କି କର୍ମଚାରୀ ନାହାନ୍ତି। ଏଠାରେ ଅନୁମୋଦିତ ୧୨୫ଟି ପଦରୁ ୭୧ଟି ଖାଲି ପଡ଼ିଥିବାବେଳେ ଅଛନ୍ତି ମାତ୍ର ୫୪ ଜଣ। ଜଙ୍ଗଲ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବା ଫରେଷ୍ଟ ଗାର୍ଡଙ୍କ ଭିତରୁ ଦୁଇ ତୃତୀୟାଂଶ ପଦ ଫାଙ୍କା ପଡ଼ିଛି। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ପମ୍ପାସର, ପୁରୁଣାକୋଟ, ଟିକରପଡ଼ା, ରାଇଗୁଡ଼ା ଓ ଜିଲିଣ୍ଡା ରେଞ୍ଜ ରହିଛି। କିନ୍ତୁ ଅଛନ୍ତି ମାତ୍ର ୨ ଜଣ ରେଞ୍ଜର। ଅନ୍ୟ ୩ଟି ରେଞ୍ଜ କାମଚଳାରେ ଚାଲିଛି। ବିନା ମୁରବିରେ ରେଞ୍ଜ କାର୍ଯ୍ୟାଳୟ ଚାଲୁଥିବାରୁ ଏଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାମ ଅଟକି ଯାଉଛି। କାର୍ଯ୍ୟାଳୟ ପରିଚାଳନା, ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କାମ ମଧ୍ୟ ବାଧାପ୍ରାପ୍ତ ହେଉଛି।

Advertisment

୨ ଅଧିକାରୀଙ୍କୁ ୫ ରେଞ୍ଜ ଦାୟିତ୍ବ
୫୯ ବନରକ୍ଷୀଙ୍କ ସ୍ଥାନରେ ଅଛନ୍ତି ୧୯
ନାହାନ୍ତି ଷ୍ଟେନୋ, ଡ୍ରାଇଭର, ଅମିନ, ମାହୁନ୍ତ

କେବଳ ରେଞ୍ଜ ଅଧିକାରୀ ନୁହେଁ, ଏହି ବନଖଣ୍ଡ ପାଇଁ ୩ଟି ଏସିଏଫ୍‌ ପଦ ରହିଥିଲେ ମଧ୍ୟ ବର୍ତ୍ତମାନ ଜଣେ ମାତ୍ର ଅଧିକାରୀ ଅଛନ୍ତି। ଗୋଟିଏ ଏଫ୍‌ଇଏସ୍‌ (ଫରେଷ୍ଟ ଏକ୍‌ସଟେନ୍‌ସନ୍‌ ସୁପରଭାଇଜର୍‌) ପଦ ଥିବା‌ବେଳେ ଏଥିରେ ବି କାହାକୁ ନିଯୁକ୍ତି ମିଳିନାହିଁ। ସେହିପରି ଗ୍ରେଡ୍‌ ‘ଏ’ ଓ ଗ୍ରେଡ୍‌ ‘ବି’ରେ ସମୁଦାୟ ୯ଟି ପଦରୁ ୬ଟି ଫାଙ୍କା ପଡ଼ିଛି। ବନଖଣ୍ଡରେ ୫୯ଟି ଫରେଷ୍ଟ ଗାର୍ଡ ପଦ ରହିଥିଲା ବେଳେ ଅଛନ୍ତି ମାତ୍ର ୧୯ ଜଣ। ୪୦ଟି ପଦ ଖାଲି ପଡ଼ିଛି। ୨୫ଟି ଫରେଷ୍ଟର୍‌ ପଦରୁ ୬ଟି ଫାଙ୍କା। ୩ଟି ଡେପୁଟି ରେଞ୍ଜର ପଦବି ରହିଥିଲା ବେଳେ ଅଛନ୍ତି ୨ ଜଣ। ଗୋଟିଏ ଜୁନିୟର ଭେଟ୍‌ନାରି ଅଫିସର ପଦ ରହିଥିଲେ ମଧ୍ୟ ଏଥିରେ କାହାକୁ ନିଯୁକ୍ତ ମିଳିନି। ଅନୁମୋଦିତ ପଦ ଥାଇ ମଧ୍ୟ ‌ଷ୍ଟେନୋ, ଡ୍ରାଇଭର୍‌, ଅମିନ, ମାହୁନ୍ତ ଓ ପମ୍ପମ୍ୟାନ୍‌ ନାହାନ୍ତି। ଆବଶ୍ୟକ ଅନୁସାରେ ମାଳି, ଚୌକିଦାର, ୱାଚର ପଦ ବି ପୂରଣ ହୋଇନି। 

ସାତକୋଶିଆରେ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ନ ଥିବାରୁ ଯାବତୀୟ ସମସ୍ୟା ହେଉଛି। ଜଣେ ଜଣେ ରେଞ୍ଜ ଅଧିକାରୀଙ୍କୁ ଏକାଧିକ ରେଞ୍ଜର ଅତିରିକ୍ତ ଦାୟିତ୍ବ ଦିଆଯାଉଛି। ଅସ୍ଥାୟୀ ୱାଚର୍‌ଙ୍କ ହାତରେ ଏହି ବିଶାଳ ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କୁ ଛାଡ଼ି ଦିଆଯାଇଛି। ଏ ସଂପର୍କରେ ସାତକୋଶିଆ ଡିଏଫ୍‌ଓ ଗଦାଧର ପାତ୍ରଙ୍କୁ ପଚରାଯିବାରୁ ସେ କର୍ମଚାରୀ ଅଭାବକୁ ସ୍ବୀକାର କରିବା ସହିତ ଏ ବାବଦରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା କହିଛନ୍ତି।