ଅସ୍ତ୍ରାଗାରରେ ଅଭୟାରଣ୍ୟ ବନ୍ଧୁକ! ଶିକାରୀଙ୍କ ଉପଦ୍ରବରୁ ସାତକୋଶିଆ ମୁକୁଳିବ କେମିତି?

ଅନୁଗୁଳ : ସାତକୋଶିଆରେ ରୀତିମତ ଶିକାର ଚାଲିଛି। ଶିକାର ଏତେମାତ୍ରାରେ ବଢ଼ି ଯାଇଛି ଯେ କେତେବେଳେ ଶିକାରୀଙ୍କ ଫାଶରେ ବାଘ ଛଟପଟ ହେଉଛି ତ, ଆଉ କେତେବେଳେ ମହାବଳ ଭଳି ପ୍ରାଣୀର ଜୀବନ ଯାଉଛି। ଏପରିକି, ଶିକାରୀଙ୍କ କବ୍‌ଜାକୁ ଚାଲିଆସିଛି ଏହି ଅଭୟାରଣ୍ୟ। ମାତ୍ର, ନିର୍ଦ୍ଦିଷ୍ଟ ଭାବେ ଶିକାରୀଙ୍କୁ ସାମ୍ନା କରିବା ପାଇଁ ବନ୍ଧୁକ ନାହିଁ। ଯାହାକିଛି ବନ୍ଧୁକ ଥିଲା, ସେସବୁର ଅଧାଅଧି ଅସ୍ତ୍ରାଗାରକୁ ପଠାଇ ଦିଆଯାଇଛି। ଅନ୍ୟଭାବରେ, କହିଲେ ଅଭୟାରଣ୍ୟ ବନ୍ଧୁକ ଏବେ ଅସ୍ତ୍ରାଗାରରେ ରହିଛି।

ନରସିଂହପୁର ପଟୁ ଢେଙ୍କାନାଳ ବନଖଣ୍ଡକୁ ଧସେଇ ପଶି ଆସୁଥିବା ଦୁର୍ଦ୍ଦାନ୍ତ ଶିକାରୀଙ୍କୁ ସାମ୍ନା କରିବା ପାଇଁ ବନ୍ଧୁକଧାରୀ ବନ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଢେଙ୍କାନାଳ ଡିଏଫ୍ଓଙ୍କ ଏହି ପଦକ୍ଷେପ ବେଶ୍ ପ୍ରଶଂସନୀୟ ହୋଇଛି। ଗୁଳିର ଜବାବ ଗୁଳିରେ ଦେବା ନ୍ୟାୟରେ ଶିକାରୀଙ୍କୁ ସାମ୍ନା କରିବା ପାଇଁ ବନଖଣ୍ଡ ଅଧିକାରୀ ବନ କର୍ମଚାରୀଙ୍କୁ ବନ୍ଧୁକ ଦେଇ ମନୋବଳ ବଢ଼ାଇଛନ୍ତି। କିନ୍ତୁ, ଏପ୍ରକାର ଉଦ୍ୟମ ଜୈବ ବିବିଧତା ସମ୍ପନ୍ନ ସାତକୋଶିଆ ଅଭୟାରଣ୍ୟରେ କାହିଁକି ନାହିଁ ବୋଲି ପରିବେଶବିତ୍‌ ପ୍ରଶ୍ନ ଉଠାଇଛନ୍ତି।

ଶିକାରୀଙ୍କ ପାଇଁ ସାତକୋଶିଆ ଅଭୟାରଣ୍ୟ କେମିତି ବିପଜ୍ଜନକ ହୋଇଛି, ତା’ର ଅନେକ ପ୍ରମାଣ ରହିଛି। ସାତକୋଶିଆରେ ମହାବଳ ବଂଶ ବଢ଼ାଇବା ପାଇଁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ମହାବଳ ‘ମହାବୀର’କୁ ଅଣାଯାଇଥିଲା। ଏ ଜଙ୍ଗଲରେ ପାଦ ଦେଉ ଦେଉ ଏହାର ପାଣି, ପବନକୁ ସେ ଆପଣାର କରିଥିଲା। ଜଙ୍ଗଲ ଭିତରେ ଏମିତି ପ୍ରବେଶ କରିଥିଲା ଯେ ସାତକୋଶିଆ ଏନ୍‌କ୍ଲୋଜରରୁ ତାକୁ ଜଙ୍ଗଲରେ ଛାଡ଼ିବା ଦିନଠୁ କେହି ସ୍ବଚକ୍ଷୁରେ ବି ଦେଖିବାକୁ ସୁଯୋଗ ପାଇ ନଥିଲେ। ମହାବୀର ସହଯୋଗରେ ସାତକୋଶିଆରେ ବୁଡ଼ି ଯାଉଥିବା ମହାବଳ ବଂଶ ଯେ ପୁଣି ପୂରି ଉଠିବ ସେ ଆଶା ସଞ୍ଚାର ହୋଇଥିଲା।

କିନ୍ତୁ, ନରସିଂହପୁର ଇଲାକାର ଶିକାରୀଙ୍କ ପାଇଁ ସବୁ ସ୍ବପ୍ନ ଉଜୁଡ଼ିଗଲା। ଶିକାରୀମାନେ ଜଙ୍ଗଲରେ ଫାଶ ପକାଇଥିଲେ। ସେ ଫାଶରେ ମହାବଳ ପଡ଼ିଲା। ବେକ କ୍ଷତାକ୍ତ ହେଲା। ଶେଷରେ ମଧ୍ୟପ୍ରଦେଶରୁ ଅସୁମାରି ସ୍ବପ୍ନ ନେଇ ଆସିଥିବା ମହାବଳ ମହାବୀର ଏହି ଶିକାରୀଙ୍କ ପାଇଁ ମୃତ୍ୟୁର ଶିକାର ହେଲା। କେବଳ ନରସିଂହପୁର ଇଲାକାର ଶିକାରୀ ନୁହେଁ, ପୁରୁଣାକୋଟ୍‌ ରେଞ୍ଜ୍‌ ଗୋପାଳପୁର ଗାଁ ନିକଟରେ ଜୁନ ୨୦ତାରିଖ ଦିନ ଅନୁରୂପ ଘଟଣା ଘଟିଥିଲା। ଶିକାରୀମାନେ ବିଛାଇଥିବା ଫାଶରେ ପଡ଼ିଥିଲା କଲରାପତରିଆ ବାଘ। ତେବେ ଏହି ଘଟଣାରେ ବାଘ ସିନା ମୁକୁଳିଗଲା, କିନ୍ତୁ ଜଙ୍ଗଲରେ ବାଘ ବି ଯେ ସୁରକ୍ଷିତ ନୁହେଁ ତାହା ପ୍ରମାଣିତ ହୋଇଗଲା।

firstpost.com

ବାଘ ଭଳି ସାତକୋଶିଆର ଗଜରାଜ ବି ସୁରକ୍ଷିତ ନୁହନ୍ତି। ଜୁନ୍‌ ୨୩ତାରିଖ ଦିନ ଜିଲିଣ୍ଡା ରେଞ୍ଜ୍‌ ମାଟି ତଳୁ ଉଦ୍ଧାର ହୋଇଥିବା ଦନ୍ତା ହାତୀର କଙ୍କାଳ ଘଟଣା ଏକଥାକୁ ସୂଚାଇ ଦେଉଛି। ହାତୀର ଦାନ୍ତକୁ ନେଇ କଙ୍କାଳକୁ ପୋତି ଦିଆଗଲା। ଗତ ସପ୍ତାହରେ ଟାଇଁସି ନିକଟରୁ ଏକ ଦନ୍ତା ଛୁଆ ହାତୀକୁ ଉଦ୍ଧାର କରାଯାଇଥିଲା। ଯାହାର ପାଟିରେ ବୋମା ଭଳି କୌଣସି ବାରୁଦ ଜାତୀୟ ଜିନିଷ ଭର୍ତ୍ତି ହେବାରୁ ପାଟିର ଅବସ୍ଥା ସଙ୍ଘାତିକ ହୋଇଥିଲା। ବାର୍‌ହା ଶିକାର ଉଦ୍ଦେଶ୍ୟରେ ରଖାଯାଇଥିବା ବୋମାକୁ ଖାଇଲା ବୋଲି ହାତୀଛୁଆର ମୃତ୍ୟୁ ହୋଇଗଲା ବୋଲି କୁହାଯାଉଛି। ଶିକାରୀମାନେ ସାତକୋଶିଆରେ କେମିତି ଉତ୍ପାତ ଚଳାଇଛନ୍ତି ଏବଂ ଏମାନଙ୍କ ପାଇଁ ମହାବଳ, କଲରାପତରିଆ ଏବଂ ଗଜରାଜ ଭଳି ଜଙ୍ଗଲୀ ପ୍ରାଣୀଙ୍କ ଜୀବନ କିପରି ବିପନ୍ନ ହେଉଛି, ସାତକୋଶିଆରେ ଘଟିଥିବା ଏହି ଗଣ୍ଡାଏ ଉଦାହରଣ ହିଁ ଯଥେଷ୍ଟ। ଉତ୍ପାତ କରୁଥିବା ଶିକାରୀଙ୍କୁ ସାବାଡ୍‌ କଲାଭଳି ପଦକ୍ଷେପ ସାତକୋଶିଆ କର୍ତୃପକ୍ଷଙ୍କର କାହିଁ? ସାତକୋଶିଆକୁ ସୁରକ୍ଷିତ ରଖିବା ପାଇଁ ସରକାର ବନ୍ଧୁକ ବ୍ୟବସ୍ଥା କରିଥିଲେ। ରାଇଫଲ୍‌ଠାରୁ ଆରମ୍ଭ କରି ରିଭଲଭର ବି ଯୋଗାଇ ଦେଇଥିଲେ। କିନ୍ତୁ, ରାଜ୍ୟ ଅସ୍ତ୍ରାଗାରରେ ସାତକୋଶିଆ କର୍ତୃପକ୍ଷ ବନ୍ଧୁକ ସବୁ ସାଇତି ରଖିଥିବା ବେଳେ ଜଙ୍ଗଲରେ ଉତ୍ପାତ କରୁଥିବା ଶିକାରୀମାନେ ଭୟ କରିବେ କେମିତି ବୋଲି ସ୍ବାଭାବିକ ପ୍ରଶ୍ନ ଉଠିଛି।

ରାଜ୍ୟ ଅସ୍ତ୍ରାଗାରକୁ ବନ୍ଧୁକ ପଠାଯାଇଥିବା କଥାକୁ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ସ୍ବୀକାର କରିଛନ୍ତି। କହିଛନ୍ତି, କିଛି ବର୍ଷ ତଳେ ଜଙ୍ଗଲରେ ମାଓବାଦୀଙ୍କର ଆତଯାତକୁ ନେଇ ସରକାରଙ୍କର ଚିଠି ଆସିଥିଲା। ମାଓବାଦୀମାନେ ବନ୍ଧୁକ ଛଡ଼ାଇ ନେବା ଭୟରେ ବନ୍ଧୁକକୁ ରାଜ୍ୟ ଅସ୍ତ୍ରାଗାରକୁ ପଠାଇବାକୁ ସରକାର ଚିଠି କରିଥିଲେ। ଏହି କାରଣରୁ ଅଧା ବନ୍ଧୁକକୁ ସେଠାକୁ ପଠାଇ ଦିଆଯାଇଛି। ଏବେ ବି କିଛି ରାଇଫଲ, ରିଭଲ୍‌ଭର ରେଞ୍ଜ୍‌ର ଓ ଫରେଷ୍ଟରଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି। କିନ୍ତୁ, ସରକାର ସାତକୋଶିଆକୁ କେତେ ବନ୍ଧୁକ ଯୋଗାଇଥିଲେ? ସେଥିରୁ ଜଙ୍ଗଲ ସୁରକ୍ଷାରେ କେତେ ଲାଗିଛି? ସେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଫାଇଲ୍ ଦେଖିଲେ ହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର