ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଝଟ୍କା : ଏନ୍ଟିସିଏ କମାଇଲା ଅନୁଦାନ, କର୍ମଚାରୀଙ୍କ ଦରମା ପାଇଁ ବି ନିଅଣ୍ଟ
ଅନୁଗୁଳ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଛି ବଡ଼ ଝଟ୍କା। ଏହି ପ୍ରକଳ୍ପରୁ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ ପଠାଇବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ଏନ୍ଟିସିଏ ଏବେ ଅନୁଦାନ ଅର୍ଥ ବି ହ୍ରାସ କରିଦେଇଛି। ଫଳରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ କର୍ମଚାରୀମାନଙ୍କୁ ଏବେ ଆଉ ଦରମା ଦେବା ମଧ୍ୟ ସମ୍ଭବ ହେବ ନାହିଁ। ଏଭଳି ପରିସ୍ଥିତି ପରିପ୍ରେକ୍ଷୀରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ଏବେ ପ୍ରାୟ ୫୦ ପ୍ରତିଶତ ସୁରକ୍ଷା କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ରୀୟ ନିର୍ଦ୍ଦେଶକ ତଥା ଆର୍ସିସିଏଫ୍ ପ୍ରଦୀପ ରାଜ କରାଟ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷରେ ଏନ୍ଟିସିଏ ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲା। ଗତ ଏପ୍ରିଲ ମାସରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୬ କୋଟି ଟଙ୍କା ଏନ୍ଟିସିଏକୁ ମଗାଯାଇଥିଲା। ହେଲେ ଏନ୍ଟିସିଏ ପକ୍ଷରୁ ମାତ୍ର ୩.୬୦ କୋଟି ଟଙ୍କା ମଂଜୁର କରାଯାଇଥିବା ନେଇ ଏବେ ଚିଠି ଆସିଛି। ଏହାର ୮୦ ପ୍ରତିଶତ ଟଙ୍କା ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ବର୍ତ୍ତମାନ ବ୍ୟାଘ୍ର ପ୍ରକଳ୍ପ ସୁରକ୍ଷା ଦାୟିତ୍ବରେ ୨୯୬ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି। ଏନ୍ଟିସିଏ ଦେଇଥିବା ଅର୍ଥରେ ଭିତ୍ତିଭୂମିର ବିକାଶ ସହିତ ଏତେ ସଂଖ୍ୟକ କର୍ମଚାରୀମାନଙ୍କୁ ଦରମା ଦେବାପାଇଁ ଅର୍ଥ ନିଅଣ୍ଟ ପଡ଼ିବ। ତେଣୁ, କର୍ମଚାରୀ ଛଟେଇ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଭିତ୍ତିଭୂମିର ବିକାଶ କାର୍ଯ୍ୟ ବି ବାଧାପ୍ରାପ୍ତ ହେବା ନିଶ୍ଚିତ ବୋଲି ଶ୍ରୀ କରାଟ କହିଛନ୍ତି।
ସାତକୋଶିଆ ଅଭୟାରଣ୍ୟ ୨୦୦୭ ଡିସେମ୍ବର ୩୧ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇଛି। ୨୦୦୪ ମସିହା ବେଳକୁ ସାତକୋଶିଆରେ ୧୮ଟି ମହାବଳ ବାଘ ଥିଲେ। କିନ୍ତୁ, ଏବେ ଏହି ଜଂଗଲରେ କେବଳ ଗୋଟିଏ ଦେଶୀ ବୁଢ଼ୀ ବାଘୁଣୀ ବଞ୍ଚି ରହିଛି। ଗତ ଜୁନ୍ ୨୦୧୮ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀ ଓ କାହ୍ନା ଜାତୀୟ ଉଦ୍ୟାନରୁ ମହାବଳ ବାଘ ମହାବୀରକୁ ବାଘ ବଂଶ ବିସ୍ତାର ପାଇଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଅଣାଯାଇଥିଲା। ଦୀର୍ଘ ସମୟର ଯାତ୍ରା ପରେ ସାତକୋଶିଆ ରାଇଗୁଡ଼ା ଏନକ୍ଲୋଜରକୁ ଛଡ଼ାଯାଇଥିଲା। ସେଠାରେ ବେଶ୍ କିଛିଦିନ ରହିବା ପରେ ଉଭୟଙ୍କୁ ଜଙ୍ଗଲରେ ଛଡ଼ାଯାଇଥିଲା। ହେଲେ ଏହାର କିଛି ମାସ ପରେ ୨୦୧୮ ନଭେମ୍ବରରେ ବେକରେ ଘା ହେବା କାରଣରୁ ମହାବଳ ମହାବୀରର ମୃତ୍ୟୁ ଘଟିଥିଲା। ତେବେ ବାଘୁଣୀ ସୁନ୍ଦରୀ ଘଞ୍ଚ ଜଂଗଲରେ ରହିବା ପରିବର୍ତ୍ତେ ଗାଁ ମୁହାଁ ହୋଇ ଜଣକ ପରେ ଜଣେ କରି ଦୁଇ ଜଣ ମଣିଷ ମାରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟିକରପଡ଼ାରେ ଲଙ୍କାକାଣ୍ଡ ଏବଂ ଜାତୀୟ ରାଜପଥରେ ପୁଲିସ ସହ ଜନତାର ଖଣ୍ଡଯୁଦ୍ଧ ବି ହୋଇଥିଲା। ଏଭଳି ସ୍ଥିତିରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି ରାଇଗୁଡ଼ାରେ ଏନକ୍ଲୋଜର ଭିତରେ ରଖାଯାଇଛି। ଅଂଚଳବାସୀଙ୍କ ତୀବ୍ର ବିରୋଧ ସାଙ୍ଗକୁ ପରିଚାଳଳନାଗତ ସମସ୍ୟା ଆଦିକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୨୦୧୯ରେ ଏନଟିସିଏ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇ ଦେବାକୁ ଓଡ଼ିଶା ସରକାରଙ୍କୁ କହିଥିଲେ। ଓଡ଼ିଶା ସରକାର ଏ ଦିଗରେ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଥିଲେ। କାହ୍ନା ଜାତୀୟ ଉଦ୍ୟାନର ଘରେଲା ସେଣ୍ଟରରେ ଏହାକୁ ରଖିବା ଲାଗି ପ୍ରସ୍ତାବ ଦିଆଯାଇଛି। କିନ୍ତୁ ମଧ୍ୟପ୍ରଦେଶ ସରକାର ବାଘୁଣୀ ସୁନ୍ଦରୀକୁ ନେବାରେ ଅନାଗ୍ରହ ପ୍ରକାଶ କରୁଥିବା ବେଳେ ଏପଟେ ଭୋପାଳର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହିତ ସଂପୃକ୍ତ ଜଣେ ମହିଳା ସାମାଜିକ କର୍ମୀ ଏ ସଂକ୍ରାନ୍ତରେ ଭୋପାଳ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।