ପୁରୀ: ଘରେ ଘରେ ପରିଚିତ ‘ଭାଗବତ’ର ସ୍ରଷ୍ଟା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନା ଓ ସମାଧି ପୀଠ ସାତଲହଡ଼ି ମଠ ଆଜି ବିପଦରେ। ସବୁବେଳେ ଅନୁପ୍ରବେଶ ଓ ଜବରଦଖଲର ଚକ୍ରାନ୍ତ ଚାଲିଛି। ବର୍ଷ ପରେ ବର୍ଷ ଗଡ଼ି ଚାଲିଥିଲେ ବି ଜମି ବିବାଦରୁ ଏହି ମଠ ମୁକୁଳି ପାରିନି। ପ୍ରତି ବଦଳରେ ଏହି ଜାଗାକୁ ବିକୃତ କରି ଛାଡ଼ି ଦିଆଯିବା ଓ ଉନ୍ନତି ଦିଗରେ ସରକାରୀ ସ୍ତରରେ ଉଦ୍ୟମ ନ ହେବା ବୁଦ୍ଧଜୀବୀ, ସଂଗଠକମାନଙ୍କୁ ମର୍ମାହତ କରିଛି। ଏଭଳି ସ୍ଥିତିରେ ସାତଲହଡ଼ି ମଠର ସୁରକ୍ଷା ତଥା ସଂରକ୍ଷଣ ପାଇଁ ଯେଉଁ ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି ସଂରକ୍ଷଣ କମିଟି ଗଠନ କରାଯାଇଥିଲା, ତାହାର ସ୍ଥାଣୁତା ବି ଆଚମ୍ବିତ କରିଛି। କମିଟିର କେହି ବି ମଠର ସୁରକ୍ଷା ଓ ଉନ୍ନତୀକରଣ ଦିଗରେ ମୁହଁ ଖୋଲୁନାହାନ୍ତି। ଦୁର୍ଭାଗ୍ୟର ବିଷୟ, କମିଟି ଗଠନ ହୋଇଛି ସତ, କିନ୍ତୁ ଥରୁଟିଏ ବି ଏହାର ବୈଠକ ବସୁନି କି ମଠ ଉନ୍ନତି ଓ ସୁରକ୍ଷା ଦିଗରେ ଆଲୋଚନା ହେଉନି। ଅପରପକ୍ଷେ ମଠ ଜମିରେ ଏବେ ବଳିଆପଣ୍ଡା ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟ ନିମ;ର୍ାଣ ଚାଲିଛି। ସରକାରୀ ଭାବେ ମଠ ଜମି ଜବରଦଖଲ ହେଉଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି। ଅନ୍ୟପଟେ ଆସନ୍ତା ୨୪ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ଭଳି ସାତଲହଡ଼ି ମଠରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ପାଳନ ହେବାକୁ ଯାଉଛି। ଏହି ଅବସରରେ ସିଂହଦ୍ବାରରୁ ସଂକୀର୍ତ୍ତନ ଦଳ ଶୋଭାଯାତ୍ରାରେ ସାତଲହଡ଼ି ମଠରେ ପହଞ୍ଚିବା ପରେ ଭାଗବତ ପାଠ ଓ ଅତିବଡ଼ୀଙ୍କ ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ସୁଚିସ୍ମିତା ମନ୍ତ୍ରୀ ଆଜି ମଠ ପରିଦର୍ଶନ କରିଥିଲେ। କିନ୍ତୁ ମଠର ପ୍ରବେଶ ପଥରେ ବାଲି, ଗୋଡ଼ି ଆଦି ଗଦା ହୋଇ ରହିବା, ଭଗ୍ନାଂଶ ଓ ଅନ୍ୟାନ୍ୟ ଆବର୍ଜନା ପ୍ରବେଶ ପଥରେ ପଡ଼ି ରହିବାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମଠର ଅଧାପନ୍ତରିଆ ଉନ୍ନତୀକରଣକୁ ନେଇ ବି ସେ କ୍ଷୋଭ ପ୍ରକଶ କରିଛନ୍ତି।
କେବେ ଜାଗିବ ସ୍ମୃତି ସଂରକ୍ଷଣ କମିଟି?
ଅସନ୍ତୋଷ ବ୍ୟକ୍ତ କଲେ ଓଡ଼ିଶା ସାହିତ୍ୟ ଏକାଡେମି ସଚିବ
ସୂଚନା ଥାଉ କି ପୁରୀ ସମୁଦ୍ର କୂଳରେ ଥିବା ସାତଲହଡ଼ି ମଠରେ ଅତିବଡ଼ୀ ଜଗନ୍ନାଥ ଦାସ ଜୀବନର ଶେଷ ସମୟ କାଟିଥିଲେ। ଏହିଠାରେ ତାଙ୍କୁ ସମାଧି ଦିଆଯାଇଥିଲା। ସେ ଭାଗବତର ୧୧ତମ ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ପଂକ୍ତି ବି ଏହିଠାରେ ରଚନା କରିଥିଲେ ବୋଲି କୁହାଯାଏ। ଯେଉଁ ଜାଗାରେ ସାତଲହଡ଼ି ମଠ ରହିଛି, ସେଠାରେ ଆଗରୁ ସମୁଦ୍ର ଜୁଆର ମାଡ଼ ହେଉଥିଲା। ସେହି ଜାଗାରେ ଆସ୍ଥାନଟିଏ ପାଇଁ ଅତିବଡ଼ୀ ବରୁଣ ଦେବଙ୍କ ଶରଣାପନ୍ନ ହେବାରୁ ସମୁଦ୍ର ସାତଟି ଲହଡ଼ି ପଛକୁ ଘୁଞ୍ଚି ଯାଇଥିଲା। ଏଥିପାଇଁ ମଠର ନାଁ ‘ସାତଲହଡ଼ି ମଠ’। ମଠର ସଂରକ୍ଷଣ ପାଇଁ ୧୯୬୧-୬୨ ମସିହାରୁ ଅତିବଡ଼ୀ ଜଗନ୍ନାଥ ଦାସ ସ୍ମୃତି ସଂରକ୍ଷଣ କମିଟି ଗଠନ ହୋଇ ତାର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ଯାହାର ସ୍ଥାୟୀ ଅଧ୍ୟକ୍ଷ ହେଉଛନ୍ତି ଜିଲ୍ଲାପାଳ ଓ ସଂପାଦକ ହେଉଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ। ଏହାସହ ଅନ୍ୟ ଶିକ୍ଷାବିତ୍, ଐତିହାସିକ, ଗବେଷକମାନେ ବି କମିଟିର ସଦସ୍ୟ ରହିଥିଲେ। କିନ୍ତୁ କେବଳ କମିଟି ଗଠନ କରି ଛାଡ଼ି ଦିଆଗଲା, କମିଟି ନିଜର ଦାୟିତ୍ବ ତୁଲାଇଲେନି। ଶେଷ ଥର ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳ ଥିବା ସମୟରେ କମିଟିର ଏକ ବୈଠକ ବସିଥିଲା। ଏହା ପରେ ଆଉ କମିଟି ବୈଠକ ବସିନି କି ମଠର ଉନ୍ନତି କଥା ଚିନ୍ତା କରାଯାଇନି।
୨୦୦୯ ମସିହାରେ ସାତଲହଡ଼ି ମଠକୁ ଆକର୍ଷଣୀୟ କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହେଲା। ଭାଗବତ ପଠନ ପାଇଁ ଏକ ବଡ଼ ପ୍ରାର୍ଥନା କକ୍ଷ ନିର୍ମାଣ ସହ ୧୨ଟି କୁଞ୍ଜ ବା ପିଣ୍ଡିରେ ଅତିବଡ଼ିଙ୍କ ଜୀବନ ଧାରାର ଅବତାରଣା ଦେବାକୁ ପରିକଳ୍ପନା ହୋଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୮୮ ଲକ୍ଷ ଟଙ୍କା ଓ ଦ୍ବିତୀୟ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହେଲା। ଇତିମଧ୍ୟରେ ୧୪ ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପ ସେମିତି ଅଧଗଢ଼ା ଅବସ୍ଥାରେ ପଡ଼ିରହିଛି ବୋଲି ମଠର ରଖୁଆଳ ବ୍ରହ୍ମଚାରୀ ବାମଦେବ ନନ୍ଦ କହିଛନ୍ତି। ଏହି ବିକାଶକୁ ଅଧାଗଢ଼ା ଅବସ୍ଥାରେ ଛାଡ଼ି ଦେଇ ଏବେ ପ୍ରଶାସନ ଏହା ପରିସରରେ ବଳିଆପଣ୍ଡା ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରୁଛି। ଏହି ନିର୍ମାଣ ଏବେ ବି ଜାରି ରହିଥିବାବେଳେ କେହି ବି ଏହା ବିରୋଧରେ ମୁହଁ ଖୋଲୁନାହାନ୍ତି। ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବଦ୍ରି ମିଶ୍ର କହିଛନ୍ତି, ଅତିବଡ଼ୀ ଜଗନ୍ନାଥ ଦାସ ଭାଗବତ ଲେଖି ପୁରୀର ପରିଚୟକୁ ବିଶ୍ବ ଦରବାରରେ ପହଞ୍ଚାଇଛନ୍ତି। ସାତଲହଡ଼ି ମଠ ହେଉଛି ତାଙ୍କର ସାଧାନ ପୀଠ। ଏହାର ସୁରକ୍ଷା ଓ ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତ୍ବର ସହ ଚିନ୍ତା କରିବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି।