ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟା

ପୁରୀ : ଶ୍ରୀକୃଷ୍ଣ ଜନ୍ମ ଓ ଲୀଳାଖେଳର ଅଂଶ ବିଶେଷ ସାତପୁରୀ ଅମାବାସ୍ୟା ଓ ବସ୍ତ୍ରହରଣ ନୀତି ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି। ଏହି ଅବସରରେ କୃଷ୍ଣ-ବଳରାମ ବେଶଧାରୀ କୁନି କୁନି ପିଲାମାନେ ନଗର ପରିକ୍ରମା କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କୃପାଲାଭ କରିଥିଲେ। ଆଜି ଅବକାଶ ନୀତି ପରେ ତିନି ଠାକୁରଙ୍କ ବେଶ ନୀତି ସଂପନ୍ନ ହୋଇଥିଲା। ଛଅ ମୂର୍ତି ସୁନା ଅଳଙ୍କାର ଲାଗି ହୋଇଥିଲା। ପରେ ଗୋପାଳବଲ୍ଲଭ ନୀତି ବଢ଼ିଥିଲା। ଟେରା ବନ୍ଧା ଯାଇ ସକାଳଧୂପ ସହ ସାତପୁରୀ ଭୋଗତାଟ ରୋଷଘରୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରେ ଛାମୁକୁ ଆସିଥିଲା। ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ମଣୋହି କରିଥିଲେ। ଏହି ସମୟରେ ଗର୍ଭଗୃହରେ ଆଳତି ବଢ଼ିଥିଲା। ପଣ୍ଡା ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରିବା ପରେ ପାଣି ପଡ଼ିଥିଲା। ଅମାବାସ୍ୟା ନାରାୟଣ ମୂର୍ତି ଆଜ୍ଞାମାଳ ପାଇଁ ମହୋଦଧି ବିଜେ କରିଥିଲେ। ପରେ ମଦନମୋହନ ସିଂହାସନ ବିଜେ କରି ଆଜ୍ଞାମାଳ ପାଇଥିଲେ। କାଳିକାଦେବୀ ସାହି ପକ୍ଷରୁ ବସ୍ତ୍ରହରଣ ପ୍ରସ୍ତାବ ଆଗତ କରାଯାଇ ସପ୍ତପୁରୀ ଅମାବାସ୍ୟା ଓ ବସ୍ତ୍ରହରଣ ନୀତି ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର