ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ବିଜେ, ଆଜି ମହାପ୍ରଭୁଙ୍କୁ ଲାଗି ହେବ ସାତପୁର ଦିଆ ପିଠା

ପୁରୀ : ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅବସରରେ ଶୁକ୍ରବାର ଦିନ ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ବିଜେ ହୋଇଛି। ମା’ ଆଲାମଚଣ୍ଡୀଙ୍କ ମନ୍ଦିରଠାରୁ ଶୋଭାଯାତ୍ରା ସହକାରେ କୁମ୍ଭାର ସେବକମାନେ ଶୁକ୍ରବାର ଦିନ ମାଟି ପ୍ରସ୍ତୁତ ୪ଟି ତାଡ଼ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି।

ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତପୁର ଦିଆ ପିଠା ଲାଗି କରାଯାଇଥାଏ। ବିଜେ ତାଡ଼ରେ ସାତ ପୁର ଦିଆ ପିଠା ପ୍ରସ୍ତୁତ ପରେ ଏହା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ଏହି ପରମ୍ପରା ଆଧାରରେ ଶୁକ୍ରବାର ମଧ୍ୟାହ୍ନଧୂପ ପରେ ଶ୍ରୀମନ୍ଦିରରୁ କୁମ୍ଭକାରଙ୍କ ସହ ଘଣ୍ଟୁଆ, ଲେଙ୍କା ସେବକଙ୍କ ଏକ ପ୍ରତିନିଧି ଦଳ ଆଲାମଚଣ୍ଡୀ ମନ୍ଦିରଠାରୁ ସାତପୁରୀ ତାଡ଼ ସହ ଶୋଭାଯାତ୍ରା ସହକାରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପରେ ବେଢ଼ା ପରିକ୍ରମା କରିଥିଲେ। ପରେ ପ୍ରତିହାରୀ ନିଯୋଗ ଘରେ ତାଡ଼ ବସାଣ ନୀତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ସପ୍ତପୁରୀ ଅମାବାସ୍ୟା ତିଥିରେ ସାତପୁର ପିଠା ମହାପ୍ରଭୁଙ୍କଠାରେ ଲାଗି ହେବା ସହ ବସ୍ତ୍ରହରଣ ଲୀଳା ଅନୁଷ୍ଠିତ ହେବ। ଅମାବାସ୍ୟା ତିଥିରେ ରୋଷ ପାଇକଙ୍କୁ ଗୋଟିଏ ତାଡ଼ ହସ୍ତାନ୍ତର କରିବାର ବିଧି ରହିଛି।

ସମ୍ବନ୍ଧିତ ଖବର