ସମ୍ବଲପୁର: ଦିନେ ମଣିଷ ସମାଜ ପାଇଁ ବିରଳ ଉଦ୍ଭାବନ ଥିବା ଉପଗ୍ରହ ଏବେ ଧାନ ବିଲରେ ଫସଲ ହୋଇଛି କି ନାହିଁ ତାହା ଧରିବା ପାଇଁ ବି ବ୍ୟବହାର କରାଯାଉଛି। ବର୍ତ୍ତମାନ ରାଜ୍ୟ ସରକାର ଉପଗ୍ରହର ରିପୋର୍ଟ ଆଧାରରେ ଚାଷୀର କେଉଁ ଜମିରେ ଫସଲ ହୋଇଛି ଓ କେଉଁଟିରେ ହୋଇ ନାହିଁ ତାହା ସ୍ଥିର କରୁଛନ୍ତି। ସେହି ଅନୁଯାୟୀ ଚାଷୀକୁ ଧାନ ବିକ୍ରି ପାଇଁ ଟୋକନ୍ ଜାରି ହେଉଛି। ଠିକ୍ ତଥ୍ୟ ଜାଣିବା ପାଇଁ ଜ୍ଞାନକୌଶଳର ବ୍ୟବହାର ହେବା ସ୍ବାଗତଯୋଗ୍ୟ। କିନ୍ତୁ କ୍ଷେତ୍ର ପ୍ରସ୍ତୁତି ନଥାଇ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଓଲଟା ଫଳ ଦେଖିବାକୁ ମିଳୁଛି। ଉପଗ୍ରହ ସର୍ବେକ୍ଷଣ ବା ସାଟେଲାଇଟ୍ ସର୍ଭେ ଦ୍ବାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଟୋକନ ଜାରି କରାଯିବା କାରଣରୁ ବହୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବିଶେଷ କରି ରବି ଚାଷ କରି ଭଲ ଅମଳ କରିଥିବା ହୀରାକୁଦ ସେଚାଞ୍ଚଳର ବହୁ ଚାଷୀ କମ୍ ପରିମାଣର ଧାନ ବିକ୍ରି ପାଇଁ ଟୋକନ୍ ପାଇବା ଯୋଗୁଁ ଅଡ଼ୁଆରେ ପଡ଼ିଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ଅଭିଯୋଗ ଶୁଣିବା ସ୍ଥିତିରେ ନାହିଁ। ଅଧିକାରୀଙ୍କ କହିବା ହେଲା ସାଟେଲାଇଟ୍ ସର୍ଭେ ରିପୋର୍ଟ ଅନୁସାରେ ବା କୃଷି ଓ ରାଜସ୍ବ ବିଭାଗର ଯୁଗ୍ମ ସର୍ଭେ ଆଧାରରେ କାହାର କେତେ ଜମି ଚାଷୀ ହୋଇଛି ସ୍ଥିର ହୋଇଛି। ସେହି ଅନୁଯାୟୀ ରିପୋର୍ଟ ପ୍ରସ୍ତୁତ ହୋଇ ଟୋକନ୍ ଜାରି କରା ଯାଇଛି। ତେଣୁ ବର୍ତ୍ତମାନ ଆଉ କିଛି କରି ହେବ ନାହିଁ। ଯଦି କାହାର ଭୁଲ ଆସିଛି ତା’ହେଲେ ପ୍ଲଟ୍ ନମ୍ବର ଦାଖଲ କରିବାରେ ଭୁଲ ହୋଇ ଥାଇପାରେ।
ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କ ନାମ ପଞ୍ଜୀକରଣ ବେଳେ ପ୍ଲଟ୍ ନମ୍ବର ଠିକ୍ରେ ଦାଖଲ କରାଯାଇ ନଥିବା ଅଭିଯୋଗ ହୋଇଛି। ଅନେକ ଚାଷୀଙ୍କର ଏକାଧିକ ପ୍ଲଟ୍ ମଧ୍ୟରୁ କିଛିରେ ପାଣି ମାଡ଼ୁଥିବାବେଳେ ଆଉ କେତେକରେ ପାଣି ମାଡ଼ୁ ନାହିଁ। କମ୍ପୁଟର୍ରେ ପ୍ଲଟ୍ ନମ୍ବର ଭରିଲାବେଳେ ଓଲଟାପାଲଟା କରାଯିବା ଯୋଗୁଁ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଚାଷ ହେଲା ପ୍ଲଟ୍କୁ ଛାଡ଼ି ଶୁଖିଲା ପ୍ଲଟ୍କୁ ସାଟେଲାଇଟ୍ ସର୍ଭେ କରି ଚାଷୀ ହୋଇ ନଥିବା ଦେଖାଉଛି। କାହାର କାହାର ଆଦୌ ଟୋକନ୍ ଆସି ନାହିଁ। ମାନେଶ୍ବର ବ୍ଲକ୍ ପରମାଣପୁର ଗାଁ’ର ଚାଷୀ ଲଳିତ ମୋହନ ମିଶ୍ରଙ୍କ କହିବା ଅନୁଯାୟୀ ତାଙ୍କର ୫.୫ ଏକର ଜମି ମଧ୍ୟରୁ ୩ ଏକର ଜଳସେଚିତ ସେଠାରେ ରବି ଚାଷ ହେଉଛି। ସେ ମଧ୍ୟ ନିୟମିତ ସେ ବାବଦରେ ଜଳକର ଦାଖଲ କରୁଛନ୍ତି। ତାଙ୍କୁ ଏକର ପିଛା ୨୬ କୁଇଣ୍ଟାଲ୍ ହିସାବରେ ୭୮ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିବା କଥା। ମାତ୍ର ୨୨ କୁଇଣ୍ଟାଲ୍ର ଟୋକନ୍ ଆସିଛି। ବାକି ଧାନ କେଉଁଠି ବିକ୍ରି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅପର ପକ୍ଷରେ ସେହି ସୋସାଇଟିର କମଳାକ୍ଷ ପ୍ରଧାନ ନାମକ ଜଣେ ଚାଷୀଙ୍କର ଆଦୌ ଟୋକନ୍ ଆସି ନାହିଁ। ଆଉ ଜଣେ ଚାଷୀ ବି ୩ ଏକର ଡାଲୁଅ ଚାଷ କରିଥିବାବେଳେ ମାତ୍ର ୯୨ ଡିସିମିଲ୍ ଚାଷ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି ଓ ୨୩ କୁଇଣ୍ଟାଲ୍ର ଟୋକନ୍ ଆସିଛି। ଏଭଳି ଆହୁରି ଅନେକ ଚାଷୀଙ୍କର କମ୍ ଟୋକନ୍ ଆସିଥିବା ଅଭିଯୋଗ ହେଉଛି। ଏ ସଂପର୍କରେ ଡିଏସ୍ଆର୍ ଲିଙ୍ଗରାଜ ନାୟକଙ୍କ କହିବା ହେଲା ସାଟେଲାଇଟ୍ ସର୍ଭେବେଳେ ୨ ଡିସିମିଲ୍ ପ୍ଲଟ୍ରେ ବି ଚାଷ ହୋଇଛି କି ନାହିଁ ତାହା ଧରିଦେବ। ତେଣୁ ସେଥିରେ ଭୁଲ ହେବାର ନାହିଁ। କିନ୍ତୁ ଭୁଲ୍ ପ୍ଲଟ୍ ନମ୍ବର ଦାଖଲ ହୋଇଥିଲେ ସେଥିରେ ସାଟେଲାଇଟ୍ ସର୍ଭେର ଦୋଷ କଣ? ଚାଷୀ ମାନେ ପଞ୍ଜୀକରଣ ସମୟରେ ଠିକ୍ ପ୍ଲଟ୍ ନମ୍ବର ଦାଖଲ କରିବା ଦରକାର।
କିନ୍ତୁ ଅନେକ ଚାଷୀ ନିରକ୍ଷର ଥିବାବେଳେ ପ୍ଲଟ୍ ନମ୍ବର ଗୁଡ଼ିକ ସାଧାରଣତଃ ସମବାୟ ସମିତିର କର୍ମଚାରୀ ହିଁ ଭରିଥାଆନ୍ତି। ଚାଷୀ କେବଳ ଦସ୍ତଖତ କରିଥାଏ ବା ଟିପ ଚିହ୍ନ ଦେଇଥାଏ। ତେଣୁ ଏଭଳି କ୍ଷେତ୍ରରେ ଜମି ଥାଇ ଚାଷ କରି ବି ଅନେକ ଚାଷୀ ଟୋକନ୍ ନପାଇ ବେପାରୀ କମ୍ ମୂଲ୍ୟରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଏ ସଂପର୍କରେ ପରମାଣପୁର ସମବାୟ ସମିତି ସଂପାଦକ ଠିକ୍ରେ ପ୍ଲଟ୍ ନମ୍ବର ଦାଖଲ ହୋଇ ନଥିବା କଥାକୁ ସ୍ବୀକାର କରିଛନ୍ତି। ଚାଷୀମାନେ ରାଜସ୍ବ ବିଭାଗରୁ ନିଜ ଜମିର ବିସ୍ତୃତ ବିବରଣୀ ସଂଗ୍ରହ କରି ଠିକ୍ରେ ପ୍ଲଟ୍ ନମ୍ବର ଦାଖଲ କଲେ ଏହି ସମସ୍ୟା ଉପୁଜିବ ନାହିଁ ବୋଲି ସେ କହିଛନ୍ତି।