ଅନୁଗୁଳ: ଗଛ ଲଗାଇବା ଓ ଏହାର ସୁରକ୍ଷା ଦେବାକୁ ନାରା ଦିଆଯାଉଛି। ବୃକ୍ଷରୋପଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବନବିଭାଗ ନାକ ତଳୁ ଗଛ କାଟି ଦିଆଯାଉଛି। ବନଖଣ୍ଡ ଅଧିକାରୀଙ୍କୁ ଅନ୍ଧାର‌ରେ ରଖି ଅନୁଗୁଳ ବନଖଣ୍ଡରୁ ଗଛକଟା ଚାଲିଛି। ତଳିଆ କର୍ମଚାରୀ ସବୁ ଜାଣୁଥିଲେ ବି ଡିଏଫ୍‌ଓଙ୍କୁ ଜଣାଉନାହାନ୍ତି। ସଲାସୁତୁରାରେ ସଂରକ୍ଷିତ ଜଙ୍ଗଲ ପଦା ହେବାକୁ ବସିଲାଣି, ହେଲେ କାହାରି କିଛି ‌ଯେମିତି ଯାଏଆସେ ନାହିଁ। ଅନୁଗୁଳ ବନଖଣ୍ଡ ଅଧୀନ କୁଇଓ ସଂରକ୍ଷିତ ଜଙ୍ଗଲରେ ଏମିତି ଗଛ କଟା ଯାଇଥିବା ଅଭିଯୋଗ ହୋଇଛି। ଅନୁଗୁଳ ବନଖଣ୍ଡ ମୁଖ୍ୟାଳୟରୁ କୁଇଓ ସଂରକ୍ଷିତ ଜଙ୍ଗଲ ମାତ୍ର ୫ କିମି ଦୂର। କିନ୍ତୁ ତାରି ଭିତରୁ ଶହ ଶହ ସଂଖ୍ୟାରେ ଗଛ କାଟି ସଫା କରି ଦିଆଯାଇଛି। ଗତ କିଛି ମାସ ଭିତରେ ଏମିତି ଜଙ୍ଗଲ ପଦା ହେବାରେ ଲାଗିଛି। ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ସବୁଜ ବନାନୀକୁ ‌କିଏ ଶ୍ରୀହୀନ କରୁଛି ତାହାକୁ ନେଇ ଉଠିଛି ପ୍ରଶ୍ନ। ସରଂକ୍ଷିତ ଜଙ୍ଗଲରୁ ଶହ ଶହ ସଂଖ୍ୟାରେ ଗଛ କାଟିବାକୁ କିଏ ସାହାସ କଲା, ତାହା ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। 

Advertisment

ସୂତ୍ରରୁ ମିଳିଥିବା ଖବର ଅନୁସାରେ କୁଇଓ ସଂରକ୍ଷିତ ଜଙ୍ଗଲ ପାଖରେ ଏକ ଗାଁ ରହିଛି। ସେଠାରେ ଏକ ପାହାଡ଼ ଉପରେ ଏକ ମନ୍ଦିର ନିର୍ମାଣ କରାଯାଇଛି। ଉକ୍ତ ମନ୍ଦିରକୁ ରାସ୍ତା ନିର୍ମାଣ ପାଇଁ କିଛି ଲୋକ ଗଛ କାଟିବାକୁ ବନବିଭାଗକୁ ଅନୁମତି ମାଗିଥିଲେ। କିନ୍ତୁ ମନ୍ଦିରକୁ ରାସ୍ତା ନିର୍ମାଣ ନିମନ୍ତେ ଗଛ କାଟିବାକୁ ଅନୁମତି ଦେଇହେବ ନାହିଁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହାପରେ ବି ଉକ୍ତ ରାସ୍ତା ନିର୍ମାଣ ପାଇଁ ବେଆଇନ୍‌ ଭାବେ ଗଛ କଟା ଯାଇଛି। ମନ୍ଦିରକୁ ରାସ୍ତା ହେବାକୁ କେହି ମନା କରୁନାହାନ୍ତି। କିନ୍ତୁ ସେଇ ଉଦ୍ଦେଶ୍ୟରେ ଶହ ଶହ ଗଛ ବଳି ପକାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। 

ସବୁଠାରୁ ବଡ଼ କଥା ହେଲା, ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ରେଞ୍ଜ କାର୍ଯ୍ୟାଳୟ ସହର ଭିତରେ ରହିଛି। ଆଉ ସହର ଉପକଣ୍ଠରେ ରହିଛି ଉକ୍ତ ଜଙ୍ଗଲ। ଦେଖିବାକୁ ଗଲେ, ଅନୁଗୁଳ ବନବିଭାଗ ମୁଖ୍ୟାଳୟର ନାକ ତଳେ ଏହି ଜଙ୍ଗଲ ରହିଛି। ସେଠାରେ ଗଛରୁ ପତ୍ର ଝଡ଼ିଲେ ବି ରେଞ୍ଜ କାର୍ଯ୍ୟାଳୟ ଓ ଡିଏଫ୍‌ଓ ଅଫିସ୍‌ ଜାଣେ ବୋଲି କୁହାଯାଏ। ହେଲେ ରାସ୍ତା ନିର୍ମାଣ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଶହ ଶହ ସଂଖ୍ୟାରେ ଗଛ କାଟି ଦିଆଗଲା, ଅଥଚ କେହି କେମିତି ଜାଣିପାରିଲେନି ତାହା ଆଶ୍ଚର୍ଯ୍ୟର କଥା। କୁହାଯାଉଛି, ବିଭାଗୀୟ କିଛି ତଳିଆ କର୍ମଚାରୀ ଏହି ଗଛ କଟାରେ ସାମିଲ୍‌ ଅଛନ୍ତି। କେଉଁଦିନ କିଏ ଗଛ କାଟିଲା ସେମାନେ ସବୁ ଜାଣିଛନ୍ତି। ରେଞ୍ଜ କାର୍ଯ୍ୟାଳୟର କିଛି ଅଧିକାରୀ ସବୁ ଜାଣିଥିଲେ ବି ମୁହଁ ଖୋଲୁ ନାହାନ୍ତି। ଏପରିକି କିଛି ଲୋକ ଗଛ କଟାଯାଉଥିବା ନେଇ ଖବର ଦେଇଥିଲେ ବି ‌କେହି ସେଠାକୁ ଯାଇନଥି‌ଲେ। ଅନ୍ୟପଟେ ଏ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଅନୁଗୁଳ ଡିଏଫ୍‌ଓ ନୀତିଶ କୁମାର କହିଛନ୍ତି। କେଉଁ ପରିସ୍ଥିତି ଓ କିଏ ଉକ୍ତ ଗଛ କାଟିଲା ସେନେଇ ବିଭାଗୀୟ ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଯଦି ବିଭାଗୀୟ କର୍ମଚାରୀ କିମ୍ବା ଅଧିକାରୀ ଏଥିରେ ସାମିଲ୍‌ ଥିବା ଜଣାପଡ଼ିବ ତେବେ ସେନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।