କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବେଆଇନ ଚିଙ୍ଗୁଡ଼ିଘେରିର ହେବ ସାଟେଲାଇଟ୍‌ ସର୍ଭେ

ରାଜନଗର : ବେଆଇନ ଚିଙ୍ଗୁଡ଼ିଘେରି ଯୋଗୁଁ ଭିତରକନିକାର ଜୈବ ବିବିଧତା ବିପଦରେ। ଏହି ଚିଙ୍ଗୁଡ଼ିଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଓ ବନବିଭାଗ ପକ୍ଷରୁ ଚିଙ୍ଗୁଡ଼ିଘେରି ଉଚ୍ଛେଦ କରାଯାଉଥିବା ନେଇ କୋର୍ଟଙ୍କୁ ତଥ୍ୟ ଦିଆଯାଉଛି। ମାତ୍ର ଲୋକଦେଖାଣିଆ ଉଚ୍ଛେଦ କରାଯାଇ କୋର୍ଟଙ୍କୁ ଭୁଆଁ ବୁଲାଯାଉଛି। ଏ ବର୍ଷ ପ୍ରଶାସନ ପକ୍ଷରୁ ଯେଉଁ ଚିଙ୍ଗୁଡ଼ିଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି ବୋଲି ଦର୍ଶାଯାଇଛି, ସେଗୁଡ଼ିକ ଚାଲୁଥିବା ନେଇ ଆମିକସ୍‌କ୍ୟୁରି ହାଇକୋର୍ଟରେ ଫଟୋଚିତ୍ର ଦାଖଲ କରିଥିଲେ। ଚିଙ୍ଗୁଡିଘେରି ଉଚ୍ଛେଦ ପ୍ରସଙ୍ଗର ଶୁଣାଣି ବେଳେ ହାଇକୋର୍ଟ ଏ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ରାପଡା ଜିଲ୍ଲାରେ ଥିବା ସମସ୍ତ ଚିଙ୍ଗୁଡ଼ିଘେରି ସାଟେଲାଇଟ ମାଧ୍ୟମରେ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବେଆଇନ ଚିଙ୍ଗୁଡିଘେରିକୁ ଉଚ୍ଛେଦ ପାଇଁ ହାଇକୋର୍ଟ ଦୀର୍ଘ ବର୍ଷ ହେଲା ନିର୍ଦ୍ଦେଶ ଦେଇଛନ୍ତି। ୨୦୧୭ରୁ ହାଇକୋର୍ଟରେ ଏ ନେଇ ଡବ୍ଲ୍ୟୁପିସି. ନମ୍ବର ୭୪୬୯/୨୦୧୭ରେ ମାମଲା ଚାଲୁଛି। ପ୍ରତିବର୍ଷ ଚିଙ୍ଗୁଡ଼ିଘେରି ଉଚ୍ଛେଦ କରାଯାଉଥିବା ନେଇ ଜିଲ୍ଲାପାଳମାନେ ହାଇକୋର୍ଟଙ୍କୁ ଦର୍ଶାଉଛନ୍ତି। ମାତ୍ର ପ୍ରକୃତପକ୍ଷେ ଘେରି ନଭାଙ୍ଗି ଭୁଆଁ ବୁଲାଯାଉଛି। ଚଳିତ ଏପ୍ରିଲ ମାସରେ ରାଜନଗର ତହସିଲ ପକ୍ଷରୁ ୧୪୨ଟି ଚିଙ୍ଗୁଡ଼ିଘେରି ଭଙ୍ଗାଯାଇଥିବା ନେଇ ରିପୋର୍ଟ ଦିଆଯାଇଥିଲା। ମାତ୍ର ଗୋଟିଏ ବି ଚିଙ୍ଗୁଡ଼ିଘେରିରୁ ମାଛ ନଷ୍ଟ ହୋଇ ନ ଥିଲେ। ପ୍ରଶାସନ ପକ୍ଷରୁ ଯେଉଁ ଚିଙ୍ଗୁଡ଼ିଘେରିଗୁଡ଼ିକୁ ଭଙ୍ଗାଯାଇଥିବା ଦର୍ଶାଯାଇଥିଲା ସଂପୃକ୍ତ ଘେରି ଚାଲୁଥିବା ନେଇ ଆମିକସକ୍ୟୁରି ମୋହିତ ଅଗ୍ରୱାଲ ଜିଲ୍ଲାପାଳମାନଙ୍କୁ ତାର ଫଟୋଗ୍ରାଫି ଦେବା ସହ ହାଇକୋର୍ଟରେ ଦାଖଲ କରିଥିଲେ। କୌଣସି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଦର୍ଶାଇଥିଲେ। ଚିଙ୍ଗୁଡ଼ି ମାଫିଆଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଦର୍ଶାଇଥିଲେ। କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଜଗତସିଂହପୁର-୪ ଜିଲ୍ଲାର ଜିଲ୍ଲାପାଳମାନେ ପରବର୍ତ୍ତୀ ତାରିଖରେ ଭର୍ଚୁଆଲ ମାଧ୍ୟମରେ ହାଜର ହୋଇ କି କି ପଦକ୍ଷେପ ନେଇଛନ୍ତି, ଦର୍ଶାଇବାକୁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର