ସତୀନଦୀ ସୁଖୁଛି, ୪କୋଟି ୩୮ଲକ୍ଷରେ ଇନଟାକ୍ ୱେଲ୍ ନିର୍ମାଣ ଜାରୀ

ପାଣି ଯୋଗାଇବା ଲକ୍ଷ୍ୟରେ ଓଏଚପିସି କରୁଛି୨୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ

ଜୟପୁର: ଖରା ମାସ ଆସିବା ମାତ୍ରକେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସତୀନଦୀ ଓ ଡ୍ୟାମ ପାଣି ଶୁଖି ଶୁଖି ଆସିଲାଣି। ଡ୍ୟାମ ପରିସରରେ ଥିବା କେନାଲରୁ ପାଣି ଉଠାଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ଜଳଯୋଗାଣ କରି ଆସୁଛି। ଏଠାରେ ପାଣି ସୁଖିଗଲେ ସହରରେ ପାଣି ଯୋଗାଉଥିବା ଜନସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଥାଏ। ସହରରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଠପ୍ ହୋଇ ପଡ଼ିବା ସହ ସଂପୁର୍ଣ୍ଣ ରୁପେ ବିଗଡ଼ି ଯାଇଥାଏ। ଏହି ବର୍ଷ ମଧ୍ୟ ସେଭଳି ସ୍ଥିତି ଉପୁଜିବାକୁ ଜଳଜଳ ଦିଶିଲାଣି। ତେବେ ଏହାକୁ ରୋକିବା ପାଇଁ ଉପରକୋଲାବ ଜଳସେଚନ ପ୍ରକଳ୍ପ ଓ ଓଏଚପିସି ପକ୍ଷରୁ ୨୦ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ କରି ଅଳ୍ପ ଅଳ୍ପ ପାଣିକୁ କେନାଲରେ ଛଡ଼ାଯାଉଛି। ଦିନକୁ ୧୪.୫୬ମିଲିୟନ ଲିଟର ପାଣି ସହରରେ ଥିବା ୨୮ଟି ୱାର୍ଡରେ ୧୧ହଜାର ୮୫୦ଜଣ ଗ୍ରାହକଙ୍କ ଘରକୁ ଯୋଗାଯାଉଛି। ତେବେ ଦିନକୁ ଗୋଟିଏ ଥର ହିଁ ଦିଆଯାଉଛି। ଅଧା ୱାର୍ଡକୁ  ସକାଳ ବେଳା ଓ ବଳକା ଅଧାକୁ ଉପରବେଳା ଯୋଗାଯାଉଛି।

ବିଦ୍ୟୁତ ଉତ୍ପାଦନ ଅଧିକା କରାଗଲେ ଅଧିକା ପାଣି ଛାଡିବାକୁ ପଡ଼ିଥାଏ। ଏବଂ ସେ ସମୟରେ ପାଣିକୁ ଡ୍ୟାମରେ ଜମା କରି ନ ରଖି ମୁଖ୍ୟକେନାଲ, ପଦ୍ମପୁର ଶାଖା କେନାଲ, ସତୀନଦୀରେ ବି ଛଡ଼ା ଯାଉଛି। ତଳମୁଣ୍ଡକୁ ଏହି ପାଣିଗଲେ ଲୋକେ ଚାଷ ବି କରି ଆସୁଛନ୍ତି। ନିୟମିତ ଭାବେ ଏହି ସମସ୍ୟା ଲାଗି ରହିଥିବାରୁ ଏବଂ ପାଣି ଉଠାଉଥିବା ସ୍ଥାନରେ ଜୟପୁର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଇନଟାକ୍ ୱେଲ୍ କରି ନାହାନ୍ତି। ଏହି ସମସ୍ୟା ସମାଧାନ କରିବା ପାଇଁ ବିଭାଗ ପକ୍ଷରୁ ନୂଆ କରି ସତୀନଦୀ ଡ୍ୟାମରେ ସୁକିଆଗୁଡା ନିକଟରେ ୪କୋଟି ୩୮ଲକ୍ଷ ବ୍ୟୟରେ ଇନଟା‌କ୍ ୱେଲ୍ ନିର୍ମାଣ କାମ ଜାରୀ ରହିଛି। ଏହାର ଗଭୀର ୧୮ମିଟର ରହିଥିବା ବେଳେ ୧୦ମିଟର ବ୍ୟାସର ଓସାର ରହିଛି। ସଂପ୍ରତି ଏହାର ନିର୍ମାଣ କାମ  ଯୁଦ୍ଧକାଳୀନ ଭିତ୍ତିରେ ଜାରୀ ରହିଛି। ଅଳ୍ପ କିଛି ମାସ ମଧ୍ୟରେ ଏହାର ନିର୍ମାଣ କାମ ସରିବ।  ଏହାର ନିର୍ମାଣ ସରିଲେ ସହରର ଜଳଯୋଗାଣ ସମସ୍ୟା ସଂପୁର୍ଣ୍ଣ ରୁପେ ଦୁର ହୋଇ ପାରିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ହାଁସଦା। ଏହି ଇନଟା‌କ୍ ୱେଲ୍ ନିର୍ମାଣ ହେଲେ ଆଉ ସତୀନଦୀ ଓ ଡ୍ୟାମ ପାଣି ଉପରେ ସହରବାସୀଙ୍କୁ ପାଣି ପାଇଁ ନିର୍ଭର ହେବାକୁ ପଡ଼ିବ ନାହିଁ। ଦିନର ଦୁଇ ବେଳା ୨୮ଟି ଯାକ ୱାର୍ଡରେ ପାଣି ଯୋଗାଇ ହେବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ।

ସମ୍ବନ୍ଧିତ ଖବର