ସତିଆ ବି ହାଇଦରର ଧରମ ପୁଅ, ଫେରାର ହେବାକୁ ଦେଇଥିଲା କାର୍‌

ବିଭିନ୍ନ ସ୍ଥାନରେ ଚଢ଼ଉ; ସତିଆ ଫେରାର, ଅର୍ଚ୍ଚନାଙ୍କୁ ନେଇ ଆସିଲା ରୋଚକ ତଥ୍ୟ

କଟକ : ବ୍ରାଉନସୁଗାର ମାଫିଆ ସତିଆ ଓରଫ ସତ୍ୟନାରାୟଣ ସାହୁ ଗ୍ୟାଙ୍ଗଷ୍ଟର‌ ହାଇଦର‌ର ଧରମ ପୁଅ। ଖୋର୍ଧା ବୋଲଗଡ଼ର ସତିଆ ଅନ୍ତଃରାଜ୍ୟ ବ୍ରାଉନସୁଗାର କାରବାର ରାକେଟ୍‌ର ଜଣେ ସକ୍ରିୟ ସଦସ୍ୟ। ବ୍ରାଉନସୁଗାର କାରବାର ସହିତ ହାଇଦର‌ ଗ୍ୟାଙ୍ଗ୍‌ ପାଇଁ ସେ କାମ କରୁଥିବା କୁହାଯାଉଛି। ହାଇଦର‌ ଖୋର୍ଧାରୁ ଯେଉଁ ମାରୁତି ସୁଇଫ୍ଟ ଡିଜାୟାର କାର‌ରେ ତେଲେଙ୍ଗାନା ଚମ୍ପଟ୍‌ ମାରିଥିଲା, ସେହି କାର‌ ସତିଆ ବ୍ୟବହାର କରୁଥିଲା। ଧରମ ପୁଅ ସୂତ୍ରରେ ସତିଆ ଫେରାର‌ ପାଇଁ ହାଇଦର‌କୁ ନିଜ କାର‌ ଯୋଗାଇଥିବା କୁହାଯାଉଛି। କମିସନରେଟ୍‌ ପୁଲିସ ଏବେ ସତିଆକୁ ତଦନ୍ତ ପରିସରଭୁକ୍ତ କରିଛି। ସତିଆ ଘରେ କମିସନରେଟ୍‌ ପୁଲିସର ଏକ ଟିମ୍‌ ଚଢ଼ଉ କରିଥିଲେ ସୁଦ୍ଧା ସେ ଫେରାର ଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ହାଇଦର‌ ଫେରାର ଥିବା ସୁଇଫ୍ଟ ଡିଜାୟାର‌ କାର‌(ଓଡି ୦୨ ଏଏସ୍‌ ୬୭୭୦)ର ପ୍ରକୃତ ମାଲିକାନା ଖୋର୍ଧା ଜିଲ୍ଲା ବୋଲଗଡ଼ ରାଜସୁନାଖଳାର ତ୍ରିଲୋଚନ ସାହୁ ନାମରେ ରହିଛି। କିନ୍ତୁ ଏହି ଗାଡ଼ି ତାଙ୍କ ପୁଅ ସତିଆ ଆପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରୁଥିବା କୁହାଯାଉଛି। ରାଜ୍ୟ ଭିତରେ ଓ ବାହାରେ ବ୍ରାଉନସୁଗାର କାରବାରରେ ଏହି କାର‌ ବ୍ୟବହାର କରାଯାଉଥିଲା। ରବିବାର କାର‌ଟି ତେଲେଙ୍ଗାନା ୟାଦାଦ୍ରି ଭୁବାନଗରି ଜିଲ୍ଲାରୁ ଜବତ ପରେ ପୁଲିସ ଟିମ୍‌ ସତିଆକୁ ଧରିବାକୁ ଚଢଉ କରିଥିଲେ ବି ସତିଆର ପତ୍ତା ମିଳୁନାହିଁ। ଗାଡ଼ିର ମାଲିକାନା ତ୍ରିଲୋଚନଙ୍କ ନାଁରେ ଥିବାବେଳେ କେଉଁ ପରିସ୍ଥିତିରେ ହାଇଦର‌ ନିକଟକୁ ଆସିଲା, ପୁଲିସ ଏହି ଦିଗକୁ ଏବେ ତଦନ୍ତ ପରିସରଭୁକ୍ତ କରିଛି। ଯୋବ୍ରା ରହେମାନ ଛକରେ ରହୁଥିବା ହାଇଦର‌ର ଅନ୍ୟତମ ଧରମ ପୁଅ ମହମ୍ମଦ ଇସ୍ତିଆଜ୍‌କୁ ପୂର୍ବରୁ ପୁଲିସ ଗିରଫ କରିଥିବା ବେଳେ ଆଜି ହାଇଦର‌ର ଦ୍ବିତୀୟ ଧରମ ପୁଅ ସତିଆର ସମ୍ପର୍କ ସାମ୍‌ନାକୁ ଆସିଛି।

ତେବେ, ହାଇଦର୍‌ ବ୍ୟବହାର କରିଥିବା ବାଇକ୍‌ର ମାଲିକାନା ସମ୍ପର୍କରେ ପୁଲିସ୍‌କୁ କୌଣସି ସଠିକ୍‌ ତଥ୍ୟ ମିଳିନାହିଁ। ସୂଚନା ମିଳିଛି, ହାଇଦର‌ ଫେରାର ପୂର୍ବରୁ ସେକେଣ୍ତ ହ୍ୟାଣ୍ତ ବାଇକ୍‌ ଓ କାର‌ କିଣିବା ପାଇଁ କଟକ ମାଲଗୋଦାମ ଅଞ୍ଚଳର କିଛି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିଥିଲା। ଏଥିରେ ହାଇଦର‌୍‌କୁ ଧରମ ପୁଅ ଇସ୍ତିଆଜ୍‌ ସହଯୋଗ କରିଥିଲା। କିନ୍ତୁ ଏଠାରେ କୌଣସି କାରଣରୁ ନକିଣି ଖୋର୍ଧାର ଧରମ ପୁଅ ସତିଆର କାର‌ ବ୍ୟବହାର କରିଥିଲା। ଯେଉଁ ବାଇକ୍‌ ହାଇଦର‌୍‌ ବ୍ୟବହାର କରିଥିଲା, ତା’ର ମାଲିକାନା ସମ୍ପର୍କରେ ପୁଲିସ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ସେ ଦିଗରେ ତଦନ୍ତ ଜାରି ରହିଥିବା ସୂଚନା ମଳିଛି।

ଅନ୍ୟପଟେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ତାଇର ସୋନାଲି ସ୍ବାଇଁ ମାଧ୍ୟମରେ କେନ୍ଦ୍ରାପଡ଼ାର ବ୍ୟବସାୟୀ ଶରତ ନାୟକଙ୍କ ନିକଟରୁ ଯେଉଁ ୫ ଲକ୍ଷ ଟଙ୍କା ବଟି ହାଇଦର‌ ଆଣିଥିବା କୁହାଯାଉଛି, ଏ ସମ୍ପର୍କିତ ଆଉ ଏକ ମାମଲା ପଟ୍ଟାମୁଣ୍ତାଇ ଥାନା ପୁଲିସ ରୁଜୁ କରିବା ନେଇ ଯୋଜନା କରୁଛି। ଏହି ମାମଲାରେ ପୁଲିସ ହାଇଦର‌୍‌କୁ ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟମାନଙ୍କୁ ସହଯୋଗୀ ଦର୍ଶାଇବ ବୋଲି ଜଣାପଡ଼ିଛି।

ସେହିଭଳି, ଆଲବମ୍‌ ଅଭିନେତ୍ରୀ ବାଲେଶ୍ବର ଭୋଗରାଇର ଅର୍ଚ୍ଚନା ପରିଡ଼ାଙ୍କ ହାଇଦର‌ ସହ ସଂପର୍କକୁ ନେଇ ଏବେ ରୋଚକ ତଥ୍ୟ ସାମନାକୁ ଆସିବାରେ ଲାଗିଛି। ଭୋଗରାଇର ଏକ ସରକାରୀ କଲେଜରେ ପଢ଼ୁଥିବା ଅର୍ଚ୍ଚନା ଗଲା ବର୍ଷ ଲକ୍‌ଡାଉନ୍‌ରେ ଘରେ ଥିବାବେଳେ ଫେସ୍‌ବୁକ୍‌ରେ କେନ୍ଦ୍ରାପଡ଼ାର ଲକି ସହିତ ବନ୍ଧୁତା ହୋଇଥିଲା। ଫେସ୍‌ବୁକ୍‌ ମେସେଞ୍ଜର‌ରେ ଲକି ତାଙ୍କୁ ଲକ୍‌ଡାଉନ୍‌ରେ ଘରେ ନ ବସି ଭୁବନେଶ୍ବର ଖଣ୍ତଗିରିରେ ଥିବା ଭରଦ୍ବାଜ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ସ˚ସ୍ଥାରେ ଡାଟା ଏଣ୍ଟ୍ରି ଚାକିରି କରିବାକୁ କହିଥିଲା। ପରିବାର ଲୋକଙ୍କ ବାରଣ ସତ୍ତ୍ବେ ଅର୍ଚ୍ଚନା ଗଲା ବର୍ଷ ଡିସେମ୍ବର ୨୭ ତାରିଖରେ ଭୁବନେଶ୍ବର କାମ କରିବାକୁ ଆସିଥିଲେ। ଭୁବନେଶ୍ବରରେ ଭଡ଼ା ନେଇ ରହିବା ସହିତ ହାଇଦର‌ ମାର୍ଚ୍ଚ ୨୩ ତାରିଖରେ ବଡ଼ ଡାକ୍ତରଖାନା ଆସିବା ପରଠାରୁ ତା’ ପାଖକୁ ନିୟମିତ ଆସୁଥିଲେ ଅର୍ଚ୍ଚନା। ହାଇଦର ଗ୍ୟାଙ୍ଗ୍‌ରେ ଅର୍ଚ୍ଚନା ରହିଛି ବୋଲି ପୁଲିସ ଦାବି କରୁଥିବାବେଳେ ପରିବାର ଲୋକେ ଏବେ ତାଙ୍କ ମାନସିକ ରୋଗ ଚିକିତ୍ସା ସ˚କ୍ରାନ୍ତ ସମସ୍ତ କାଗଜପତ୍ର କମିସନରେଟ୍‌ ପୁଲିସକୁ ଦେଇଥିବା କୁହାଯାଉଛି। ପୁଲିସ ଏହି କାଗଜପତ୍ରକୁ ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର