କଟକ: କଟକର ପ୍ରମୁଖ ଶ୍ମଶାନ ଭାବେ ପରିଗଣିତ ସତୀଚଉରା। ଏହି ଐତିହାସିକ ଶ୍ମଶାନର ନାମକରଣ ପଛରେ ରହିଛି ଜନଶ୍ରୁତି। ସତୀଉଚରା ଶ୍ମଶାନକୁ ଲାଗି ରହିଛି ମା ସତୀଶ୍ବରୀଙ୍କ ପୀଠ ବା ପ୍ରାଚୀନ ସତୀ ଗୁମ୍ଫା। ଏବେ ମା ସତୀଶ୍ବରୀ ରୂପରେ ପୂଜା ପାଉଛନ୍ତି ମା’ କାଳୀ। କଟକର ଗଡଚଣ୍ଡୀ ଓ ମା କଟକ ଚଣ୍ଡୀ ମନ୍ଦିର ନିର୍ମାଣ ସମୟର ବା ସମସାମୟିକ ଏହି ସତୀଶ୍ବରୀ ପୀଠର ଆବଶ୍ୟକ ବିକାଶ କରାଯାଇନାହିଁ। ପ୍ରଶାସନ, ପ୍ରତ୍ନତତ୍ତ୍ବ ବିଭାଗର ଦୃଷ୍ଟି ଆଢୁଆଳରେ କଟକର ଏକ ପ୍ରାଚୀନ ତଥା ଐତିହାସିକ ପୀଠ ଲୁଚିଯାଇଛି। ଏହାର ବିକାଶ ତ ଦୂରର କଥା ଏ ପ୍ରାଚୀନ ପୀଠକୁ ପରିତ୍ୟକ୍ତ କରି ଛାଡି ଦିଆଯାଇଛି। ପୀଠକୁ ଲାଗି ସତୀଚଉରା ଶ୍ମଶାନ ଓ ଅପରପାର୍ଶ୍ବରେ ଏକ ବିରାଟ ବସ୍ତି ଗଢି ଉଠିଛି। ପାଖରେ କଟକର ସମସ୍ତ ଆବର୍ଜନା ସଂଗ୍ରହ ହୋଇ ଗଦା କରାଯାଉଛି। ଏବେ ଏହି ମନ୍ଦିର ଅଲିସା ବଜାର କମିଟି ପକ୍ଷରୁ ପରିଚାଳନା କରାଯାଉଛି। ମନ୍ଦିରର ରକ୍ଷଣାବେକ୍ଷଣ ଓ ନୀତିକାନ୍ତି କଥା ଏହି କମିଟି ବୁଝୁଛି। ତେବେ ଏହି ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ତଥା ପ୍ରାମାଣିକ ତଥ୍ୟ ବି ରହିଛି। ଏହି ପୀଠର ଚମତ୍କାରିତା ବି ରହିଛି। କିମ୍ବଦନ୍ତୀ ଅନୁସାରେ କାଠଯୋଡି ନଦୀ ପଠାରେ ବାଇମୁଣ୍ଡି ପଥର ବନ୍ଧକୁ ଲାଗି ଏହି ମନ୍ଦିର ରହିଥିଲା। ଏଠାରେ ଏକ ପ୍ରାଚୀନ ଗୁମ୍ଫା ଥିଲା ଯାହାର ନାମ ସତୀଗୁମ୍ଫା ନାମରେ ପ୍ରସିଦ୍ଧ ଥିଲା।
କୁହାଯାଏ ଏହି ସତୀଶ୍ବରୀ ପୀଠ ବା ହଜାର ବର୍ଷ ତଳର ସତୀଗୁମ୍ଫା ସହିତ ବାରବାଟୀ ଦୁର୍ଗର ସଂଯୋଗ ରହିଥିଲା। ବିପତ୍ତି ବା ଶତ୍ରୁ ଆକ୍ରମଣ ସମୟରେ ଏହି ଗୁମ୍ଫା ଦେଇ ପଳାୟନ ସୁବିଧା ଥିଲା। କାଳକ୍ରମେ ଏ ଗୁମ୍ଫା ପୋତି ହୋଇଯାଇଥିଲା। ଏହି ଗୁମ୍ଫାର ସଂଯୋଗ ସ୍ଥଳରେ ଜଣେ ସାଧୁ ମା’ ସତୀଶ୍ବରୀଙ୍କ ପୂଜାର୍ଚ୍ଚନା କରିଥିଲେ। ଗଡଚଣ୍ଡୀ ଓ କଟକ ଚଣ୍ଡୀ ମନ୍ଦିର ସମୟର ମନ୍ଦିର ମା’ ସତୀଶ୍ବରୀଙ୍କୁ ଲୋକେ ତିନି ଭଉଣୀ ବୋଲି କହୁଥିଲେ। ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ସତୀଶ୍ବରୀ ପୀଠର କୌଣସି ବିକାଶ ହୋଇପାରିନାହିଁ। ଏଠାରେ ବସ୍ତି ଗଢି ଉଠିଥିବାରୁ ଏହାର ବିକାଶ କରାଯାଇପାରୁନାହିଁ। ଅଲିଶାବଜାର କମିଟି ଓ କିଛି ବଦାନ୍ୟବ୍ୟକ୍ତିଙ୍କ ସହଯୋଗରେ ପୀଠର ବିକାଶ କରାଯାଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ଏହି ପୀଠ ନିକଟରେ ବାଇମୁଣ୍ଡି ପଥର ବନ୍ଧରର କିଛି ଭଗ୍ନାବଶେଷ ଦୃଶ୍ୟମାନ ହେଉଛି। କଟକର ଅନ୍ୟ କୌଣସି ସ୍ଥାନରେ ଏହାର ଭଗ୍ନାବଶେଷ ନ ଥିବା ବେଳେ ଏହି ସତୀଶ୍ବରୀ ପୀଠ ନିକଟରେ ବାଇମୁଣ୍ଡି ପଥର ବନ୍ଧ ସଂପୂର୍ଣ୍ଣ ଦୃଶ୍ୟମାନ। ଏଠାରେ ଏକ ବିଶାଳ ବର ଗଛ ବି ରହିଛି। ଏହି ବର ଗଛକୁ ଲାଗି ବାଇମୁଣ୍ଡି ପଥର ବନ୍ଧର କିଛି ଅଂଶ ଥିବା ବେଳେ କିଛି ପୋତି ହୋଇ ରହିଛି। ୫ରୁ ୬ ଫୁଟ୍ ଲମ୍ବର ପଥର ଏବେ ପଡି ରହିଛି। ପ୍ରାଚୀନତା ଦୃଷ୍ଟିରୁ ଏହାର ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ଥିବା ବେଳେ ଏହି ପୀଠର କିନ୍ତୁ ବିକାଶ କରାଯାଇପାରୁ ନାହିଁ। ପ୍ରଶାସନ ଏହାର ପୁନରୁଦ୍ଧାର କରି ବିକାଶ କରାଇବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।