ଅନୁଗୁଳ: ସାତକୋଶିଆରେ ପ୍ରକୃତିନିବାସ ହେବା ପରେ ଅନୁଗୁଳ ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିଛି। ଗତବର୍ଷ ଅନୁଗୁଳ ଜିଲ୍ଲାକୁ ୧୮ଶହ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ଏଥିରୁ ଅଧିକାଂଶ ସାତକୋଶିଆ ଯାଇଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ବି ଦେଢ଼ ଲକ୍ଷ ପାର୍‌ କରିଛି। ଅନୁଗୁଳ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। ସାତକୋଶିଆରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଅପରୂପ ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ସବୁବେଳେ ଆନମନା କରିଥାଏ। ପୁଣି ରାତିରେ ଜଙ୍ଗଲରେ ବୁଲିବା ମଜା ନିଆରା। ଏପଟେ ତାଳଚେର ହିଙ୍ଗୁଳା ମନ୍ଦିର, ଅନୁଗୁଳ ଶୈଳଶ୍ରୀକ୍ଷେତ୍ର, ଆଠମଲ୍ଲିକର ଦେଉଳଝରୀ ଓ ବିନିକେୟୀ ପୀଠ ଧାର୍ମିକ ପର୍ଯ୍ୟଟନ ପାଇଁ ଉପଯୁକ୍ତ ସ୍ଥାନ। ପୁଣି ଆଠମଲ୍ଲିକ ଓ ପାଳଲହଡ଼ାର ମନଲୋଭା ପ୍ରାକୃତିକ ଶୋଭା ପାଇଁ ପର୍ଯ୍ୟଟକ ଟାଣି ହୋଇ ଆସନ୍ତି। ଏଥିପାଇଁ ଅନୁଗୁଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ସରକାରୀ ସୂଚନା ଅନୁସାରେ, ୨୦୨୪ରେ ଅନୁଗୁଳକୁ ସମୁଦାୟ ୧,୫୩,୬୪୫ ଜଣ ପର୍ଯ୍ୟଟକ ଆସିଛନ୍ତି। ଏଥିରୁ ୧୮ଶହ ବିଦେଶୀ ପର୍ଯ୍ୟଟକ ରହିଛନ୍ତି। ଏହି ବିଦେଶୀ ପର୍ଯ୍ୟଟକ ସାତକୋଶିଆ, ଅନୁଗୁଳ ଓ ତାଳଚେର ଅଞ୍ଚଳକୁ ବୁଲିବାକୁ ଯାଇଛନ୍ତି। ସେଠାରେ ରାତି କାଟିଛନ୍ତି।

Advertisment

ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍‌
ବଢ଼ିଛି ପ୍ରକୃତି ଓ ଶିଳ୍ପ ପର୍ଯ୍ୟଟନ

ଅନୁଗୁଳରେ ହଠାତ୍‌ ବିଦେଶୀ ପର୍ଯ୍ୟଟକ ବଢ଼ିବା ଜିଲ୍ଲା ପାଇଁ ଏକ ଶୁଭ ସଙ୍କେତ ଦେଇଛି। ବଡ଼ କଥା ହେଲା, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହାରରେ ଅନୁଗୁଳ ରାଜ୍ୟର ସପ୍ତମ ସ୍ଥାନରେ ରହିଛି। ଖୋର୍ଦ୍ଧାକୁ ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଆସିଥିଲା ବେଳେ ଏହା ତଳକୁ ପୁରୀ ରହିଛି। ଏହା ପରେ ଝାରସୁଗୁଡ଼ା, କୋରାପୁଟ, ରାୟଗଡ଼ା ଓ ଯାଜପୁର ଜିଲ୍ଲାକୁ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହାର ଭଲ ରହିଛି। ଅନୁଗୁଳକୁ ବିଦେଶୀ ପର୍ଯ୍ୟଟକ ବଢ଼ିବା ପଛରେ ସାତକୋଶିଆ ଓ ଶିଳ୍ପ ପର୍ଯ୍ୟଟନ ରହିଥିବା ଜଣାପଡ଼ିଛି। ଦୁଇ ବର୍ଷ ପୂର୍ବରୁ ଅନୁଗୁଳରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହଜାରେ ତଳେ ରହିଥିଲା ବେଳେ ଏବେ ଏଥିରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ଏବେ ସାତକୋଶିଆରେ ପ୍ରକୃତି ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯାଉଥିବାରୁ ଆଗକୁ ଅନୁଗୁଳ ଜିଲ୍ଲାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।