ବନ୍ତଳା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପ ପାଇଁ ୨୦୧୭ ମସିହାରେ ରାଇଗୁଡା ଗାଁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଏବେ ଟିକରପଡା ପଞ୍ଚାୟତର ଦୁର୍ଗମ କଟରଙ୍ଗ ଗାଁକୁ ବିସ୍ଥାପିତ କରାଯାଇଛି। ବିସ୍ଥାପିତ ଗ୍ରାମବାସୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବାବଦ ୨୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି। କିନ୍ତୁ, କଟରଙ୍ଗ ଗାଁର ଆଉ ୧୭ଟି ପରିବାର କ୍ଷତିପୂରଣ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ କ୍ଷତିଗ୍ରସ୍ତ ତାଲିକାଭୁକ୍ତ କରିବା ସହ କ୍ଷତିପୂରଣ ଦେବାପାଇଁ ୨୫ ତାରିଖରେ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ୍ ଟିକରପଡା ପଞ୍ଚାୟତ କଟରଙ୍ଗ ଗାଁକୁ ନିକଟରେ ସାତକୋଶିଆ ଅଭୟାରଣ୍ୟରୁ ବିସ୍ଥାପିତ କରାଯାଇଛି। ସରକାରଙ୍କ ପକ୍ଷରୁ ବିସ୍ଥାପିତମାନଙ୍କ ମଧ୍ୟରୁ ୧୮ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଇଛି। ଏପର୍ଯ୍ୟନ୍ତ ଗାଁର ମୋଟ ୧୨୦ ଜଣଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ସେମାନେ ଏବେ କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର, କମଳାଡିହ, ଅନୁଗୁଳର ଜରପଡା ଓ ଅନ୍ୟ କେତେକ ଫୁଲବାଣୀ ଅଞ୍ଚଳରେ ରହୁଥିବା ଜଣାପଡିଛି। ତେବେ, କଟରଙ୍ଗ ଗାଁରେ ଜୀବିକା ନିର୍ବାହ ଉପାୟ ଓ ଶିକ୍ଷା ବ୍ୟବସ୍ଥା ନଥିବାରୁ ଏହି ଗାଁର ୧୭ଟି ପରିବାର ଅନୁଗୁଳର ବିଭିନ୍ନ ସ୍ଥାନରେ ରହୁଥିଲେ। କଟରଙ୍ଗ ଗାଁରେ ସେମାନଙ୍କର ଜମି ରହିଛି। ସେମାନେ କଟରଙ୍ଗ ଗାଁର ଅଧିବାସୀ ବୋଲି ସେମାନଙ୍କ ଭୋଟର ପରିଚୟପତ୍ର, ଆଧାରକାର୍ଡ, ରେସନକାର୍ଡ, ବ୍ୟାଙ୍କ ଖାତା ପ୍ରଭୃତିରେ ଉଲ୍ଲେଖ ରହିଛି। ସ୍ଥାନାନ୍ତର ପୂର୍ବରୁ ସେମାନଙ୍କୁ ଠିକ୍ ଭାବେ କ୍ଷତିପୂରଣ ପ୍ୟାକେଜ୍ ଦେବାପାଇଁ ସେମାନେ ଜିଲ୍ଲା ପ୍ରଶାସନ ଓ ବନ ବିଭାଗକୁ ଜଣାଇଥିଲେ। ଏ ସଂପର୍କରେ ଗାଁରେ ପଲ୍ଲୀସଭା ଓ ଗ୍ରାମ ସଭା ହୋଇଥିଲେ ମଧ୍ୟ ସେମାନଙ୍କୁ ସୂଚନା ଦିଆଯାଇଥିଲା। ସେମାନଙ୍କୁ କ୍ଷତିପୂରଣ ରାଶି ନମିଳିଲେ ଆସନ୍ତା ୯ ତାରିଖରେ ବିଶ୍ୱ ମୂଳଆଦିବାସୀ ଦିବସରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସଂପର୍କରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ ଡ. ସରୋଜ ପଣ୍ଡାଙ୍କୁ ପଚାରିବାରୁ ଅନୁଗୁଳ ତହସିଲଦାର ଦେଇଥିବା ଚିଠା ଅନୁଯାୟୀ କଟରଙ୍ଗ ଗ୍ରାମର ଅଧିବାସୀମାନଙ୍କୁ କ୍ଷତିପୂରଣ ପ୍ୟାକେଜ ଦିଆଯାଇଥିବା କହିଛନ୍ତି। ସରକାରୀ ନିୟମ ଅନୁଯାୟୀ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହେବାର ଦୁଇମାସ ପୂର୍ବରୁ ଯେଉଁମାନେ ଗ୍ରାମରେ ରହୁଥିବେ ସେମାନେ କ୍ଷତିପୂରଣ ରାଶି ପାଇବା ପାଇଁ ହକ୍ଦାର୍ । ଯେହେତୁ ଏହି ୧୭ଟି ପରିବାର ଗାଁରେ ରହୁ ନଥିଲେ ସେଥିପାଇଁ ସେମାନେ ଏଥିରୁ ବାଦ୍ ପଡିଛନ୍ତି। ତେବେ ଏ ସଂପର୍କରେ ଆସନ୍ତା ସପ୍ତାହରେ ଜିଲ୍ଲା ପ୍ରଶାସନ ସହ ହେବାକୁ ଥିବା ଆଲୋଚନାରେ ଆମେ ଜିଲ୍ଲାପାଳଙ୍କୁ ଜଣାଇବୁ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/anugul.jpg)