ବିଫଳ ହେଲା ବିଶେଷଜ୍ଞଙ୍କ ଶତତ ଉଦ୍ୟମ: ୪୦ବର୍ଷ ପରେ ପୂରିଲା ‘ସାତକୋଶିଆ କୋଳ’

ବୁଡ଼ିବାକୁ ବସିଥିବା ଥଣ୍ଟିଆ କୁମ୍ଭୀର ବଂଶକୁ ପ୍ରକୃତି ବଞ୍ଚାଇଲା

ଅନୁଗୁଳ,(ବିକାଶ ଚନ୍ଦ୍ର ସାହୁ): ସାତକୋଶିଆ ଅଭୟାରଣ୍ୟର ଜୈବ ବିବିଧତା ରାଜ୍ୟରେ ଅନନ୍ୟ। ହରିଣ, କୁମ୍ଭୀରଠାରୁ ଆରମ୍ଭ କରି ଚୌଶିଙ୍ଗା, ଗୟଳ, ମହାବଳ, କଲରାପତରିଆ ବାଘ ଆଦି ଜାତି ଜାତିକା ବିରଳ ପଶୁପକ୍ଷୀ, ସରୀସୃପ ଏବଂ ଉଦ୍ଭିଦଙ୍କର ଏକତ୍ର ସମାହାର ପ୍ରକୃତିର ଏକ ବରଦାନ ସଦୃଶ୍ୟ। କିନ୍ତୁ, ସାତକୋଶିଆର ଏହି ପ୍ରକୃତି କୋଳରୁ ଗଲା ୪୦ବର୍ଷ ହେଲା ଗୋଟିଏ ପ୍ରଜାତି ସତେ ଯେମିତି ପୂରା ନିଶ୍ଚିହ୍ନ ହୋଇଯାଇଥିଲା। ବିରଳ ପ୍ରଜାତି କୁହାଯାଉଥିବା ଘଡ଼ିଆଳ/ଥଣ୍ଟିଆ କୁମ୍ଭୀର ବଂଶ ବୁଡ଼ିବାକୁ ବସିଥିଲା। ଦୀର୍ଘ ୪ଦଶନ୍ଧି ପରେ ସାତକୋଶିଆର ଘଡ଼ିଆଳ କୋଳ ପୂରିଛି। ପୂରା ବିଶ୍ବ ଯେତେବେଳେ କରୋନା କରାଳରେ ତାଲାବନ୍ଦ ପରିସ୍ଥିତି ଦେଇ ଗତି କରୁଥିଲା, ସେବେ ହଜିଯାଉଥିବା ଏ ବିରଳ ପ୍ରଜାତିର ନବ ସୃଜନ ସାତକୋଶିଆରେ ହୋଇଛି।

ସାତକୋଶିଆ ଅଭୟାରଣ୍ୟର ମହାନଦୀ ଗଣ୍ଡ ଘଡ଼ିଆଳ କୁମ୍ଭୀରଙ୍କର ପ୍ରାକୃତିକ ଆବାସସ୍ଥଳୀ। ଦୀର୍ଘ ପ୍ରାୟ ଅର୍ଧ ଶତାବ୍ଦୀ ତଳେ ସାତକୋଶିଆ ଗଣ୍ଡରେ ଏ ବିରଳ ପ୍ରଜାତି କୁମ୍ଭୀରଙ୍କର ପ୍ରଜନନ ଆଉ ହେଲା ନାହିଁ। ବିଦେଶରୁ କୁମ୍ଭୀର ବିଶେଷଜ୍ଞ ଏଚ୍‌.ଆର୍‌. ବଷ୍ଟାର୍ଡ ସାତକୋଶିଆର ଟିକରପଡ଼ାକୁ ଆସିଲେ। ଏଠାରେ ଘଡ଼ିଆଳ ଗବେ‌ଷଣା କେନ୍ଦ୍ର ଖୋଲିଲେ। ଘଡ଼ିଆଳଙ୍କର ଅଣ୍ଡା ଆଣି ଏଠାରେ କୃତ୍ରିମ ଉପାୟରେ ଫୁଟାଇଲେ। ଶହ ଶହ ସଂଖ୍ୟାରେ ଛୁଆ ଏଠାରେ କୃତ୍ରିମ ଉପାୟରେ ଜାତ ହେଲେ ସତ, କିନ୍ତୁ ପ୍ରକୃତିରେ ତିଷ୍ଠି ପାରିଲେ ନାହିଁ। ଶହ ଶହ ଘଡ଼ିଆଳ ଶାବକ ମହାନଦୀ ଗଣ୍ଡରେ ନିଶ୍ଚିହ୍ନ ହୋଇଗଲେ।

ନିକଟରେ ରାଜ୍ୟ ସରକାର ପୁଣି ନୂଆ ଘଡ଼ିଆଳ ପ୍ରକଳ୍ପ ଆରମ୍ଭ କଲେ। ନନ୍ଦନକାନନରୁ ଘଡ଼ିଆଳ ଛୁଆଙ୍କୁ ଆଣି ମହାନଦୀ ଗଣ୍ଡରେ ଛାଡ଼ିଲେ। ତାଙ୍କ ଦେହରେ ମେସିନ୍‌ ଖଞ୍ଜା ଗଲା। ଏମାନେ କୁଆଡ଼େ ଯାଉଛନ୍ତି, କଣ କରୁଛନ୍ତି ତାର ସମ୍ପୂର୍ଣ୍ଣ ଗତିବିଧିକୁ ଅନୁଧ୍ୟାନ କରାଗଲା। କିନ୍ତୁ, କିଛି ଫଳ ଦେଲା ନାହିଁ। ନନ୍ଦନକାନନ କୁମ୍ଭୀର ମହାନଦୀ ଗଣ୍ଡରେ ରହି କିଛି ମରିଗଲେ, ଆଉ କିଛି ବଞ୍ଚିଲେ ସତ କିନ୍ତୁ ପ୍ରଜନନ କରି ନାହାନ୍ତି। ସାତକୋଶିଆ ଅଭୟାରଣ୍ୟର ପ୍ରକୃତି କୋଳରେ କୃତ୍ରିମ ଉପାୟରେ ଘଡ଼ିଆଳ ବଂଶ ବଢ଼ାଇବା ପାଇଁ ଚେଷ୍ଟା ହେଲା।

ଇତିମଧ୍ୟରେ ପ୍ରାୟ ୪୦ବର୍ଷ ବିତିଗଲା। ହେଲେ ଯାହା ମଣିଷ ଉଦ୍ୟମରେ ହୋଇ ପାରିଲା ନାହିଁ, ତାହା ପ୍ରକୃତି ନିଜେ କରି ଦେଖାଇଛି। ଦୀର୍ଘ ୪୦ବର୍ଷ ପରେ ସାତକୋଶିଆରେ ବହୁ ବର୍ଷ ହେଲା ରହି ଆସୁଥିବା ମାଆ ଘଡ଼ିଆଳ ଗତବର୍ଷ ୨୮ଟି ଶାବକଙ୍କୁ ଜନ୍ମ ଦେଇଥିଲା, ଚଳିତବର୍ଷ ୩୨ଟି ଶାବକ ଜନ୍ମ ହୋଇ ପ୍ରକୃତିରେ ଖେଳାବୁଲା କରୁଛନ୍ତି। ମଣିଷର ଶତତ ଉଦ୍ୟମ ସତ୍ତ୍ବେ ଏହି ବିରଳ ପ୍ରଜାତି କୁମ୍ଭୀରଙ୍କର ପ୍ରଜନନ ଗଲା ୪୦ବର୍ଷ ହେଲା ଯେଉଁଠି ବନ୍ଦ ଥିଲା, କୋଭିଡ୍ ମହାମାରୀ ବେଳାରେ ସାରା ବିଶ୍ବ ତାଲାବନ୍ଦ ଦେଇ ଗତି କରୁଥିବା ସମୟରେ ହଠାତ୍‌ ପୁଣି ସାତକୋଶିଆରେ ପୁଣି ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବା ପରିବେଶବିତ୍‌ଙ୍କୁ ଚକିତ କରିଛି। ପ୍ରକୃତି ସାମ୍ନାରେ ମଣିଷର ଉଦ୍ୟମ ଯେ ତୁଚ୍ଛ, ଘଡ଼ିଆଳଙ୍କର ପ୍ରଜନନ ତାହା କେବଳ ପ୍ରମାଣିତ କରୁନାହିଁ, ବରଂ ସାତକୋଶିଆର ଜୈବ ବିବିଧତା ପୁଣି ସମୃଦ୍ଧ ହୋଇଛି ତାହାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର