ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର। ଏଥିପାଇଁ ବ୍ୟାପକ ପୁଞ୍ଜି ନିବେଶ କରି ବାଘ ସଫାରି ସହ ଭିତ୍ତିଭୂମି ବିକାଶ କରାଯିବ। ଏନେଇ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିଲା ବେଳେ ଏହାର କାର୍ଯ୍ୟକାରିତା ନେଇ ଆରମ୍ଭରୁ ଆଶଙ୍କା ପ୍ରକାଶ ପାଇଛି। ବ୍ୟାଘ୍ର ପ୍ରକଳ୍ପ ଭିତରେ ପର୍ଯ୍ୟଟନ ପ୍ରକଳ୍ପ ନିର୍ମାଣ ସଂପର୍କରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ) ସ୍ପଷ୍ଟୀକରଣ ମାଗିଥିବାରୁ ଆଶଙ୍କା ବଢ଼ିଛି।
ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରିବାକୁ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ପ୍ରାୟ ୧୭୪ କୋଟି ଟଙ୍କା ଖର୍ଚ୍ଚ ହେବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ବେଶ୍ ଆଗ୍ରହୀ ଅଛନ୍ତି। ସାତକୋଶିଆର ବିଭିନ୍ନ ପ୍ରବେଶ ପଥରେ ତୋରଣ ସହ ବଜାର ନିର୍ମାଣ କରାଯିବ। ସେହିପରି ଇକୋ ଟୁରିଜିମ୍ କେନ୍ଦ୍ର ଖୋଲିବାକୁ ଯୋଜନା ହୋଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭିତ୍ତିଭୂମି ବିକାଶ ଓ ଚିତ୍ତ ବିନୋଦନ ପାଇଁ ବିଭିନ୍ନ ନିର୍ମାଣ କରାଯିବ। ଏହା ବାଦ୍ ସଫାରିରେ ପର୍ଯ୍ୟଟକ ବୁଲି ବନ୍ୟପ୍ରାଣୀ ଦେଖି ପାରିବେ। ଏନେଇ ସରକାରୀ ସ୍ତରରେ ଘୋଷଣା ହେବା ପରେ ‘ସାତକୋଶିଆ ଅଭୟାରଣ୍ୟ ଓ ପ୍ରଜା ସୁରକ୍ଷା ସମିତି’ ପକ୍ଷରୁ ଏନ୍ଟିସିଏ ନିକଟରେ ଏକ ପିଟିସନ୍ ଦାୟର କରାଯାଇଥିଲା। ୧୨୦ ପୃଷ୍ଠା ବିଶିଷ୍ଟ ଏହି ପିଟିସନ୍ ସୁପ୍ରିମକୋର୍ଟକୁ ମଧ୍ୟ ଦିଆଯାଇଛି। ଅଭୟାରଣ୍ୟ ଭିତରେ ଥିବା ଗାଁଗୁଡ଼ିକୁ ଉଠାଇ ଦିଆଯାଉଥିଲା ବେଳେ ପର୍ଯ୍ୟଟକଙ୍କ ରହିବା ପାଇଁ କେମିତି ବ୍ୟବସ୍ଥା କରାଯାଉଛି ବୋଲି ପ୍ରଶ୍ନ କରାଯାଇଛି। ସେହିପରି ଗ୍ରାମବାସୀଙ୍କ ପାଇଁ ରାସ୍ତା ବନ୍ଦ କରାଯାଉଥିବା ସମୟରେ ପର୍ଯ୍ୟଟକଙ୍କ ପାଇଁ କେଉଁ ଆଇନ୍ ବଳରେ ରାସ୍ତା ଚଉଡ଼ା କରାଯାଉଛି ବୋଲି ପିଟିସନ୍ରେ ଉଲ୍ଲେଖ କରାଯାଇଛି।
ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଏମିତି ନିର୍ମାଣ ହେବା ନେଇ ଅଭିଯୋଗ ଆସିବା ପରେ ଏନେଇ ସ୍ପଷ୍ଟୀକରଣ ମାଗିଛି ଏନ୍ଟିସିଏ। ଓଡ଼ିଶାର ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍କୁ ଏ ସଂପର୍କରେ ପକ୍ଷ ରଖିବାକୁ କୁହାଯାଇଛି। ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକକୁ ସ୍ପଷ୍ଟୀକରଣ ମଗାଯାଇଛି। ପ୍ରକଳ୍ପ ଭିତରେ କ’ଣ ନିର୍ମାଣ କାମ ହେବ ସେନେଇ ସବିଶେଷ ତଥ୍ୟ ରଖିବାକୁ ଏଥିରେ କୁହାଯାଇଛି। କେବଳ ଏତିକି ନୁହେଁ, ସୁପ୍ରିମକୋର୍ଟର କେନ୍ଦ୍ରୀୟ କ୍ଷମତାସମ୍ପନ୍ନ କମିଟି(ସିଇସି) ମଧ୍ୟ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଛି। ଫଳରେ ଏହି ପ୍ରକଳ୍ପ ନେଇ ସରକାର ଚଳାଇଥିବା ଯୋଜନା ଏକପ୍ରକାର ଅଟକି ଯାଇଛି। କେବଳ ଏତିକି ନୁହେଁ, ଏହାର ଭବିଷ୍ୟତ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଏ ସଂପର୍କରେ ପରିବେଶବିତ୍ ପ୍ରସନ୍ନ କୁମାର ବେହେରା କହିଛନ୍ତି, ବ୍ୟାଘ୍ର ଅଭୟାରଣ୍ୟ ଭିତରେ ଏମିତି ବେଆଇନ୍ ନିର୍ମାଣ କରାଯିବାଆଦୌ ଗ୍ରହଣୀୟ ନୁହେଁ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ନିର୍ମାଣ କାର୍ଯ୍ୟ କରାଗଲେ ଏହା ବ୍ୟାଘ୍ର ପ୍ରକଳ୍ପକୁ ପ୍ରଭାବିତ କରିବ। ଭବିଷ୍ୟତରେ ଏହା ଅନେକ ସମସ୍ୟା ଆଣିଦେବ। ସରକାର ଅଭୟାରଣ୍ୟବାସୀଙ୍କ ସୁବିଧାକୁ ନଜର ନ ଦେଇ ପର୍ଯ୍ୟଟକଙ୍କ ପାଇଁ ବ୍ୟାଘ୍ର ପ୍ରକଳ୍ପର ଦ୍ବାରା ଖୋଲିଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।