ମହାବଳ ଶୂନ୍ୟ ହେଲା ସାତକୋଶିଆ: ନଭେମ୍ବରରୁ ବାଘୁଣୀ ନିଖୋଜ, ମରିଗଲା, ନା’ ମାରିଦିଆଗଲା?

ବନବିଭାଗର ଭୂମିକା ସନ୍ଦେହମୁକ୍ତ ନୁହେଁ

ଅନୁଗୁଳ : ଗତବର୍ଷ ନଭେମ୍ବର ୧୩ରେ ଶେଷଥର ପାଇଁ ସାତକୋଶିଆରେ ବାଘୁଣୀ ଦେଖାଯାଇଥିଲା। ତା’ପରଠାରୁ ଆଉ ତା’ର ଖୋଜଖବର ନାହିଁ। ସାତକୋଶିଆରେ ଲାଗିଥିବା ଶହଶହ କ୍ୟାମେରା ବାଘୁଣୀକୁ ଖୋଜି ପାଉନି। ତା’ ପାଦ ଚିହ୍ନ ବି କେଉଁଠି ଠାବ କରିପାରିନାହାନ୍ତି ବନ କର୍ମଚାରୀ।

ଏମିତି କିଛି ଚର୍ଚ୍ଚା ଲାଗିରହିଥିବା ଭିତରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟଟି ସାମ୍ନାକୁ ଆସିଛି, ତା’ହେଲା ବନ ବିଭାଗ ଅଧିକାରୀମାନେ ସାତକୋଶିଆ ଅଭୟାରଣ୍ୟକୁ କାଗଜପତ୍ରରେ ବାଘ ଶୂନ୍ୟ (ପ୍ରଥମ ପର୍ଯ୍ୟାୟ ଗଣତି ପରେ) ବୋଲି ଦେଖାଇ ଦେଇଛନ୍ତି। ଅର୍ଥାତ୍ ଏଯାଏ ଅଧିକାରୀମାନେ ମୃତ୍ୟୁ ଅବଶେଷ କି ସେ ସଂକ୍ରାନ୍ତ କୌଣସି ଠୋସ୍ ପ୍ରମାଣ ପାଇନଥିଲେ ହେଁ ବନ ବିଭାଗ ମନେମନେ ଧରିନେଇଛନ୍ତି ଯେ ବାଘୁଣୀଟି ମରିଯାଇଛି। କେଉଁଠି ମଲା, ମୃତ୍ୟୁର କାରଣ କଣ ହୋଇପାରେ ଏସବୁ ବିଷୟରେ ତନାଘନା କରିବା ଲାଗି ମଧ୍ୟ ଆଉ କୌଣସି ଆଗ୍ରହ ନାହିଁ। ଯେହେତୁ ବାଘୁଣୀ ବୟସ ପାଖାପାଖି ୧୫ବର୍ଷ ହୋଇଯାଇଥିଲା, ଏଣୁ ସେ ବୁଢ଼ୀ ହୋଇଯାଇଥିଲା ଏବଂ ବୟସାଧିକ କାରଣରୁ ତାର ମୃତ୍ୟୁ ହୋଇଥାଇପାରେ ବୋଲି ଧରିନେଇ ପୂରା ପ୍ରସଙ୍ଗକୁ ଗୋଳିଆ କରିବା ଲାଗି ଉଦ୍ୟମ ଚାଲିଛି।

ଗୋଟିଏପଟେ ରାଜ୍ୟରେ ନିୟମିତ ବ୍ୟବଧାନରେ ହାତୀ ହତ୍ୟା ଅଭିଯାନ ଜାରି ରହିଥିବାବେଳେ ଅନ୍ୟପଟରେ ବାଘ ସଂପର୍କରେ ଏ ସଂକ୍ରାନ୍ତ ଖବର ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆଚମ୍ବିତ କରିଛି। ବାସ୍ତବରେ ରାଜ୍ୟରେ ବନ୍ୟପ୍ରାଣୀ ଯେ ଆଦୌ ସୁରକ୍ଷିତ ନାହାନ୍ତି ଏବଂ ସମ୍ବେଦନଶୀଳ ବନ୍ୟପ୍ରାଣୀମାନଙ୍କ ପାଇଁ ଯେଭଳି ତତ୍ପରତା ସରକାରୀସ୍ତରରେ ରହିବା କଥା ତାହା ଆଦୌ ପରିଦୃଷ୍ଟ ହେଉନାହିଁ, ଏକଥା ଦାଣ୍ଡରେ ପଡ଼ି ଏବେ ହାଟରେ ଗଡ଼ିଲାଣି।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଶେଷ ମହାବଳ କହିଲେ, ଏହି ବାଘୁଣୀକୁ ବୁଝାଉଥିଲା। ଏହା ପୂର୍ବରୁ ମହାବଳ ବାଘ ‘ନନ୍ଦନ’ ଅଭୟାରଣ୍ୟ ଛାଡି ନନ୍ଦନକାନନ ପଳାଇ ଆସି ‘ମେଘା’ ପ୍ରେମରେ ପଡ଼ି ରହିଗଲା। ପରବର୍ତ୍ତୀ ସମୟରେ ବାଘ ବଂଶ ବଢାଇବାକୁ ବାହାର ରାଜ୍ୟରୁ ଦୁଇଟି ବାଘ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ‘ମହାବୀର’ ଶିକାରୀ ଫାସରେ ପଡ଼ି ପ୍ରାଣ ହରାଇଥିଲା। ପରେ ‘ସୁନ୍ଦରୀ’ ଜଙ୍ଗଲକୁ ନ ଯାଇ ଜନବସତି ପାଖରେ ରହିଲା। ଦୁଇ ଜଣଙ୍କୁ ମାରି ଖାଇବାର ଅଭିଯୋଗ ତା’ ନାଁରେ ଆସିଲା। ‘ସୁନ୍ଦରୀ’ ପାଇଁ ଜନ ଆନ୍ଦୋଳନ ଆରମ୍ଭ ହେବା ପରେ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଭୀଷଣ ଅସନ୍ତୋଷ ଝାଡ଼ିବା ସହିତ ତାକୁ ମଧ୍ୟପ୍ରଦେଶକୁ ଫେରାଇ ନେଲେ। ଏଣୁ ଶେଷ ବାଘ ଭାବେ ଏହି ବୟସ୍କ ବାଘୁଣୀଟି ବଞ୍ଚିଥିଲା।

ମିଳିଥିବା ସୂଚନା ଅନୁସାରେ, ଏହି ବାଘୁଣୀ ସାତକୋଶିଆର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ବିଚରଣ କରୁଥିଲା। କିନ୍ତୁ ଗତ ନଭେମ୍ବର ମାସରୁ ତାର ଆଉ ପତ୍ତା ମିଳୁନି। ଶେଷଥର ପାଇଁ ନଭେମ୍ବର ୧୩ ତାରିଖରେ ଟୁଲୁକା ଜଙ୍ଗଲ ପାଖରେ ଏହି ବାଘ ଦେଖା ଯାଇଥିଲା। ସେଠାରେ ଲାଗିଥିବା ସିସିଟିଭି କ୍ୟାମରୋରେ ବାଘର ଚିତ୍ର କଏଦ ହୋଇଥିଲା। ଏହାର ଦୁଇଦିନ ପରେ ଛୋଟକେଇ ପାଖରେ ବାଘର ପାଦଚିହ୍ନ ଦେଖିଥିଲେ ବନ କର୍ମଚାରୀ। ଏହାପରଠାରୁ ଆଉ ତା’ ପତ୍ତା ମିଳୁନି।

ଜଙ୍ଗଲରେ ବାଘର ଉପସ୍ଥିତି ଜାଣିବା ପାଇଁ କୋର ଅଞ୍ଚଳରେ ୩ ଶହ କ୍ୟାମେରା ଖଂଜାଯାଇଥିବା ବନ ବିଭାଗ ଦାବି କରିଛି। ନିୟମତଃ ବନବିଭାଗ କର୍ମଚାରୀ ବିଭିନ୍ନ ସମୟରେ ବାଘର ପାଦ ଚିହ୍ନ, ମଳ, ରାମ୍ପୁଡ଼ା ଦାଗ ଏବଂ ଖାଇଥିବା ତୃଣଭୋଜୀ ପ୍ରାଣୀଙ୍କ ଦେହାବଶେଷ ଆଦି ନିରୀକ୍ଷଣ କରି ବାଘର ଉପସ୍ଥିତିର ପ୍ରମାଣ ଖୋଜିଥାନ୍ତି। କିନ୍ତୁ ପାଖାପାଖି ୭ ମାସ ହେଲା ଏମିତି କୌଣସି ପ୍ରକାର ଚିହ୍ନବର୍ଣ୍ଣ ବି ମିଳିନଥିବା ବନବିଭାଗ ସୂତ୍ରରୁ ସୂଚନା ମିଳୁଛି।

Representative Image Courtesy of NDTV

ଏସବୁ ଭିତରେ ଗୋଟିଏ ବଡ ଘଟଣା ଘଟିଛି। ସାତକୋଶିଆରେ ବାଘ ଗଣନା ସରି ଯାଇଛି। କୌଣସି ଚିହ୍ନବର୍ଣ୍ଣ ନ ପାଇ କର୍ତ୍ତୃପକ୍ଷ ଧରିନେଇଛନ୍ତି ଯେ ବାଘୁଣୀ ଆଉ ନାହିଁ, ଅର୍ଥାତ୍ ସେ ମରିଯାଇଛି। ଏଣୁ ସାତକୋଶିଆରେ ବାଘ ସଂଖ୍ୟା ଶୂନ ବୋଲି ଏଥିରେ ଦର୍ଶାଯାଇଛି। ଏହି ରିପୋର୍ଟ ଯେ ବନ ବିଭାଗର ଶୀର୍ଷସ୍ତରରେ ଅଧିକାରୀମାନେ ଦେଖିନଥିବେ, ସେମିତି ନୁହେଁ। କିନ୍ତୁ କେହି ଏଯାଏ ସମ୍ଭବତଃ ପ୍ରଶ୍ନ କରିନାହାନ୍ତି ବା କାହାକୁ ଆନ୍ଦୋଳିତ କରୁନାହିଁ ଯେ ଶେଷ ବାଘୁଣୀଟି ଗଲା କୁଆଡେ?

ବନ୍ୟପ୍ରାଣୀ ବିଶେଷଜ୍ଞମହଲରେ ଯେଉଁ କଥାଟି ଚର୍ଚ୍ଚା ହେଉଛି, ତାହା ହେଲା ସ୍ଥାନୀୟ ବନ ବିଭାଗ କର୍ତ୍ତୃପକ୍ଷ ବାଘ ଶୂନ୍ୟ ହୋଇଗଲା ବୋଲି ଯେବେ ରିପୋର୍ଟ ପ୍ରସ୍ତୁତ କରିଦେଲେ, ସେବେ ଏହି ବାଘୁଣୀ କେଉଁ ପରିସ୍ଥିତିରେ ପ୍ରାଣ ହରାଇଲା, ଶେଷ ବେଳକୁ ସେ ରୋଗାକ୍ରାନ୍ତ ଥିଲା କିମ୍ବା ବୟସାଧିକ କାରଣରୁ ପଡି ପଡି ମଲା? ତାକୁ କେହି ମାରିଦେଇନାହିଁ ତ? ଅନ୍ୟଥା ଛୋଟକେଇ ପାଖରେ ରହୁଥିବା ବାଘ ହଠାତ କେମିତି ଉଭାନ ହେଇଗଲା? ସର୍ବୋପରି କେଉଁଠାରେ ମଲା ଏସବୁ ଜାଣିବା ଲାଗି ଅଧିକାରୀମାନେ ଆଗ୍ରହ କରୁନାହାନ୍ତି କେମିତି? ତାକୁ କେହି ମାରି ପୋତିଦେଇନାହିଁ ତ?

ଏସବୁ ପ୍ରଶ୍ନର ଉତ୍ତର ଏଯାଏ ମିଳିନାହିଁ।

ଉଲ୍ଲେଖଥାଉକି, ଯଦିଓ ସାତକୋଶିଆରେ ବାଘ ନାହାନ୍ତି ବୋଲି କୁହାଯାଇଛି, ତଥାପି ବାଘୁଣୀ ମରିଛି ବୋଲି ଖୋଲାଖୋଲି ମାନିବାକୁ ବନବିଭାଗ ଅଧିକାରୀ ନାରାଜ। ନିଜେ ସାତକୋଶିଆ ଡିଏଫଓ ସରୋଜ ପଣ୍ଡା କହିଛନ୍ତି ଯେ, ନଭେମ୍ବର ପରେ ବାଘର କୌଣସି ପତ୍ତା ମିଳୁନି। ତା’କୁ ଖୋଜିବା ପାଇଁ ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତା’ ଗତିବିଧି ନେଇ କୌଣସି ଖବର ମିଳୁନି। ସିସିଟିଭି କ୍ୟାମେରା ଲଗାଯାଇଥିଲେ ମଧ୍ୟ ତା’ର ଟେର ମିଳିଲାନାହିଁ। ପ୍ରାଣୀ ଗଣନା ସମୟରେ ବି ବନ କର୍ମଚାରୀମାନେ ତା’ ସନ୍ଧାନ ପାଇ ନାହାନ୍ତି। ଏପରିସ୍ଥଳେ ଆଜିଠାରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଗଣତି ଉପରେ ଏବେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ।

ସମ୍ବନ୍ଧିତ ଖବର